ଭାଲେଣ୍ଟାଇନ ଡେ ରେ ଫାଶୀ ପାଇଥିଲେ କି ଭଗତ ସିଂହଙ୍କ ସହ ଦୁଇ ସ୍ୱାଧୀନତା ସଂଗ୍ରାମୀ!

ନୂଆଦିଲ୍ଲୀ: ଭାଲେଣ୍ଟାଇନ ଡେ(ଫେବୃୟାରୀ ୧୪) ଆସିବାମାତ୍ରେ ସୋସିଆଲ ମିଡିଆରେ ଏକ ବାର୍ତ୍ତା ଭାଇରାଲ ହୋଇଥାଏ | ଏହି ଦିନ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ଫାଶୀ ଦିଆଯାଇଥିଲା | ତେଣୁ ଭାଲେଣ୍ଟାଇନ ଦିବସ ପାଳନ କରିବା ଉଚିତ ନୁହେଁ ବୋଲି ମେସେଜ ଭାଇରାଲ ହୋଇଥାଏ | କିଛି ସଂଗଠନ ଓ ବ୍ୟକ୍ତିବିଶେଷ ଟ୍ୱିଟର, ହ୍ଵାଟ୍ସଆପ ଓ ଫେସବୁକରେ ଭାଲେଣ୍ଟାଇନ ଦିବସକୁ ବର୍ଜନ କରିବାକୁ ଆହ୍ୱାନ ଦେଇଥାନ୍ତି | ତେବେ ସତରେ କଣ ଆଜି ଅର୍ଥାତ ଫେବୃୟାରୀ ୧୪ରେ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ଫାଶୀ ଦିଆଯାଇଥିଲା, ମନରେ ପ୍ରଶ୍ନ ଉଠିଥାଏ |

ତେବେ ଏମ ଏସ ଗିଲଙ୍କ ପୁସ୍ତକ ‘ଟ୍ରାୟଲସ ଡାଟ ଚେଂଜଡ଼ ହିଷ୍ଟ୍ରୀ: ଫ୍ରମ ସକ୍ରେଟସ ଟୁ ସଦ୍ଦାମ ହୁସେନ’ରେ ଉଲ୍ଲେଖ ଅଛି ଯେ ସ୍ପେଶାଲ ଟ୍ରିବ୍ୟୁନାଲ କୋର୍ଟ ୭ ଅକ୍ଟୋବର,୧୯୩୦ ମସିହାରେ ଭାରତୀୟ ଦଣ୍ଡ ସଂହିତାର ଧାରା ୧୨୧ ଓ ୩୦୨ ସହ ଏକ୍ସପଲୋସିଭ ସବଷ୍ଟେନ୍ସ ଆକ୍ଟ ୧୯୦୮ର ଧାରା୪(ବି) ଓ ୬(ଏଫ) ଅନୁଯାୟୀ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ | ଏହା ପରେ ହଜାର ହଜାର ସଂଖ୍ୟାରେ ଲୋକ ଏକ ଦାବିପତ୍ରରେ ସ୍ଵାକ୍ଷର କରି ଏହାକୁ ଭାଇସରାୟଙ୍କ ପାଖକୁ ପଠାଇବାର ଥିଲା |

ଲୋକମାନେ ଏଥିରେ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ କ୍ଷମା ଦେବାକୁ ଅନୁରୋଧ କରିଥିଲେ | ହେଲେ ସରକାରଙ୍କ ଉପରେ କୌଣସି ପ୍ରଭାବ ପଡ଼ିନଥିଲା | ଆଉ ୨୩ ମାର୍ଚ୍ଚ ୧୯୩୧ ମସିହାରେ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ଫାଶୀ ଦିଆଯାଇଥିଲା |

ସମ୍ବନ୍ଧିତ ଖବର