ଶାରଦା ଚିଟ୍‌ଫଣ୍ଡ ସ୍କାମ୍‌ : ମମତା ସହଯୋଗ କରୁ ନଥିବାରୁ ସୁପ୍ରିମ କୋର୍ଟରେ ସିବିଆଇ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଶାରଦା ଚିଟ୍‌ଫଣ୍ଡ ସ୍କାମ୍‌ ମାମଲାର ତଦନ୍ତରେ ସହଯୋଗ କରୁ ନଥିବାରୁ ତଦନ୍ତକାରୀ ସଂସ୍ଥା ସିବିଆଇ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ମାମଲାରେ ଜଡ଼ିତ ଥିବା ଅଭିଯୁକ୍ତମାନଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଣ୍ଟ ଘୋଡ଼ାଉଛନ୍ତି। ସେମାନେ ତାଙ୍କ ଦଳର ନେତା ହୋଇଥିବାରୁ ସେ ତଦନ୍ତରେ ଜାଣିଶୁଣି ସହଯୋଗ କରୁ ନାହାନ୍ତି ବୋଲି ସିବିଆଇ ପକ୍ଷରୁ ସୁପ୍ରିମ କୋର୍ଟରେ ଅଭିଯୋଗ ହୋଇଛି। ଆବେଦନ ପତ୍ରରେ ସିବିଆଇ ପକ୍ଷରୁ କୁହାଯାଇଛି, ଶାରଦା ଚିଟ୍‌ଫଣ୍ଡ ମାମଲାର ଅଭିଯୁକ୍ତ ପୂର୍ବତନ ସାଂସଦ କୁନାଲ ଘୋଷଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଶାରଦା ଗ୍ରୁପ୍‌ ମୁଖ୍ୟ ସୁଦୀପ୍ତ ସେନ୍‌ଙ୍କର ଉତ୍ତମ ସମ୍ପର୍କ ରହିଛି ବୋଲି ଇଡି ରିପୋର୍ଟ ଦେଇଛି। କେବଳ ସେତିକି ନୁହେଁ ପୂର୍ବତନ ପୁଲିସ କମିଶନର୍‌ ରାଜୀବ କୁମାରଙ୍କ ଭୂମିକା ମଧ୍ୟ ଶାରଦା ମାମଲାରେ ଜଡ଼ିତ ଥିବାର ଯଥେଷ୍ଟ ପ୍ରମାଣ ରହିଛି। ଏସବୁର ଉଦାହରଣ ଦେଇ ସିବିଆଇ କୋର୍ଟଙ୍କୁ କହିଛି, ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଏବଂ ସମ୍ବିଧାନ ସିଷ୍ଟମକୁ ସମ୍ପୂର୍ଣ୍ଣ ଅବମାନନା କରାଯାଉଛି। ଶାରଦା ମାମଲାରେ ଜଡ଼ିତ ଥିବା ବ୍ୟକ୍ତି‌ବିଶେଷଙ୍କୁ ନେଇ ପ୍ରସ୍ତୁତ ତାଲିକାକୁ ସରକାର ଉପେକ୍ଷା କରିବା ସହ ପୁଲିସ ବି କୌଣସି ସନ୍ତୋଷଜନକ ରେକର୍ଡ ଦେଇପାରୁ ନାହିଁ ବୋଲି ସିବିଆଇ ଅଦାଲତଙ୍କୁ ଜଣାଇଛି।

ସମ୍ବନ୍ଧିତ ଖବର