ଶିବସେନା ଦାବି କଲା ମୁଖ୍ୟମନ୍ତ୍ରୀ ପଦ, ୫୦-୫୦ ଫର୍ମୁଲା କାର୍ଯ୍ୟକାରୀ କରିବାକୁ ଚାପ

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି-ଶିବସେନା ସରକାର ପୁଣି ଥରେ ଗଠନ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଶିବସେନା ବିଜେପି ଉପରେ ପ୍ରବଳ ଚାପ ସୃଷ୍ଟି କରିବା ଆରମ୍ଭ କରିଛି। ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିଜେପି ସହିତ ପୂର୍ବରୁ ୫୦-୫୦ ର୍ଫମୁଲା ନେଇ ଆଲୋଚନା ହୋଇଥିଲା ଏବଂ ଏହାକୁ ଏଥର ବାଧ୍ୟତାମୂଳକ ଲାଗୁ କରାଯିବ। ଏହି ପ୍ରସଙ୍ଗରେ ଶିବସେନା କୌଣସି ସାଲିସ କରିବ ନାହିଁ ଏବଂ ନିଜ ପାଇଁ ମୁଖ୍ୟମନ୍ତ୍ରୀ ପଦ ଦାବି କରିବ ବୋଲି ସେ କହିଛନ୍ତି। ଉଦ୍ଧବଙ୍କ ଏହି ବୟାନ ପରେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ଏବଂ ବିଜେପି ମଧ୍ୟରେ କନ୍ଦଳ ବଢ଼ିବ ବୋଲି ଅନୁମାନ କରଯାଉଛି। ମହାରାଷ୍ଟ୍ରାରେ ଏବେ ବଡ଼ ଭାଇ ଏବଂ ଛୋଟ ଭାଇ ମଧ୍ୟରେ କୌଣସି ଫରକ ନାହିଁ। ଏଥର ଜନମତ ସମସ୍ତଙ୍କ ଆଖି ଖୋଲି ଦେଇଛି ଏବଂ ୫୦-୫୦ ଫର୍ମୁଲା ଲାଗୁ ହେଲେ ହିଁ ମେଣ୍ଟ ସରକାର ସୁରୁଖୁରୁରେ ଚାଲିବ ବୋଲି ସେ କହିଛନ୍ତି। ଉଭୟ ଦଳର ମୁଖ୍ୟମନ୍ତ୍ରୀ ଅଢ଼େଇ ବର୍ଷ ଲେଖାଏଁ ରହିବେ ଏବଂ ଏଥିରେ ବିଜେପିର ସମସ୍ୟା କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି ଯେ ବିଜେପି-ଶିବସେନା ମେଣ୍ଟକୁ ସରକାର ଗଠନ ପାଇଁ ସ୍ପଷ୍ଟ ବହୁମତ ମିଳିଛି ଏବଂ ସେ ପ୍ରାୟ ୧୫ ଜଣ ସ୍ବାଧୀନ ବିଧାୟକଙ୍କ ସଂପର୍କରେ ଅଛନ୍ତି। ଦଳର ବିଦ୍ରୋହୀ ପ୍ରାର୍ଥୀମାନେ ଅନେକ ସଂଖ୍ୟାରେ ନିର୍ବାଚନ ଜିତିଥିବାରୁ ସେମାନଙ୍କ ସମର୍ଥନ ହାସଲ ପାଇଁ ମଧ୍ୟ ଫଡ଼ନାଭିସ ପ୍ରୟାସ କରୁଛନ୍ତି।

ସମ୍ବନ୍ଧିତ ଖବର