ଶ୍ରୀଲଙ୍କା ନରସଂହାର: ତାମିଲ ଶିକ୍ଷକଙ୍କ ସମେତ ୧୦୬ ଗିରଫ

କଲମ୍ବୋ: ଇଷ୍ଟର୍‌ ଦିନ ଶ୍ରୀଲଙ୍କାରେ ହୋଇଥିବା ସିରିଜ ବିସ୍ଫୋରଣ ସହ ସମ୍ପୃକ୍ତ ଥିବା ଅଭିଯୋଗରେ ୧୦୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଜଣେ ତାମିଲ ଶିକ୍ଷକ ଏବଂ ଜଣେ ସ୍କୁଲ ଅଧ୍ୟକ୍ଷ। ସେମାନଙ୍କ ଠାରୁ ବହୁ ଆପତ୍ତିଜନକ ସାମଗ୍ରୀ ଏବଂ ସିମ୍‌ କାର୍ଡ ଜବତ କରାଯାଇଛି। ଗିରଫ ତାମିଲ ଶିକ୍ଷକଙ୍କ ପାଖରୁ ୫୦ଟି ସିମ୍‌ କାର୍ଡ ବ୍ୟତୀତ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। କଲ୍‌ପତିୟ ପୁଲିସ୍‌ ଏବଂ ନୌସେନାର ତଲାସି ଅଭିଯାନ ବେଳେ ଉକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଛି। ଭବୁନିୟା ସହରରେ ପୁଲିସ୍‌ ଏବଂ ସେନା ପକ୍ଷରୁ ସହରର ସମସ୍ତ ରାସ୍ତାକୁ ୩ ଘଣ୍ଟା ଧରି ବନ୍ଦ କରାଯାଇ ଏକ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ କରାଯାଇଛି। ଏଥିରେ ୧୦ ଜଣକୁ ଗିରଫ କରାଯାଇଛି। ଗୁଇନ୍ଦା ସୂଚନା ଆଧାରରେ, ଏନ୍‌ଟିଜେ ଦ୍ୱାରା ପରିଚାଳିତ ଦାମ୍‌ଗେଦର ଅଂଚଳରେ ଥିବା ଏକ ବିଦ୍ୟାଳୟରେ ଚଢ଼ଉ କରାଯାଇ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏହି ୨ ଜଣଙ୍କ ମଧ୍ୟରେ ଜଣେ ବିଦ୍ୟାଳୟର ଅଧ୍ୟକ୍ଷ ଥିବା ବେଳେ ଅନ୍ୟ ଜଣେ ଡାକ୍ତର ଅଛନ୍ତି। ଏନ୍‌ଟିଜେ ଦ୍ୱାରା ପରିଚାଳିତ ବିଦ୍ୟାଳୟ ବିଷୟରେ ପୁଲିସ୍‌ ଅଧିକ ଖୋଳତାଡ କରୁଥିବା ଜଣାପଡିଛି। ଇତିମଧ୍ୟରେ, ଶ୍ରୀଲଙ୍କା ସରକାର ଶନିବାର ସିରିଜ୍‌ ବିସ୍ଫୋରଣରେ ସମ୍ପୃକ୍ତ ଥିବା ନେସ୍‌ନାଲ ତୋହିତ ଜମାତ୍ (ଏନ୍‌ଟିଜେ)କୁ ନିଷିଦ୍ଧ ଘୋଷଣା କରିଛନ୍ତି। ଦେଶ ସାରା ପ୍ରାୟ ୧୦ ହଜାର ସୈନିକଙ୍କୁ ନିୟୋଜିତ କରାଯାଇ ସୁରକ୍ଷା କଡାକଡି କରାଯିବା ସହ ଆଇଏସ୍‌ ସମର୍ଥିତ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅଭିଯାନ ଜାରି ରହିଛି। ଦେଶରେ ଆତଙ୍କବାଦୀଙ୍କୁ ନିପାତ ପାଇଁ ଶେ‌ଷ ଯାଏଁ ଅଭିଯାନ ଜାରି ରହିବ ବୋଲି ସୁରକ୍ଷା ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଇସ୍ଲାମିକ୍‌ ଷ୍ଟେଟ୍‌ର ୧୩୦ ଆତଙ୍କବାଦୀ ଦେଶରେ ସକ୍ରିୟ ଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ସୂଚନା ଦେଇଛନ୍ତି। ତେବେ ସକ୍ରିୟ ଥିବା ଆଇଏସ୍‌ର ଆତଙ୍କବାଦୀ ଏବଂ ସ୍ଥାନୀୟ ଆତଙ୍କବଦୀ ସଂଗଠନଗୁଡିକୁ ନିପାତ କରିବା ପାଇଁ ଦେଶରେ ନୂଆ ନିୟମର ଆବଶ୍ୟକତା ରହିଛି ବୋଲି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମାସିଂଘେ ସୂଚନା ଦେଇଛନ୍ତି।

ମୁଖ୍ୟ ଆତଙ୍କବାଦୀର ବାପା, ୨ ଭାଇ ନିହତ
ଶ୍ରୀଲଙ୍କା ସିରିଜ୍‌ ବିସ୍ଫୋରଣରେ ସମ୍ପୃକ୍ତ ଥିବା ଆତଙ୍କବାଦୀଙ୍କ ଏକ ଆଡ୍ଡାସ୍ଥଳୀ ଉପରେ ଚଢ଼ଉ ବେଳେ ହୋଇଥିବା ସଂଘର୍ଷରେ ଶୁକ୍ରବାର ରାତିରେ ୧୫ ଜଣ ନିହତ ହୋଇଥିଲେ। ନିହତଙ୍କ ମଧ୍ୟରେ ଇଷ୍ଟର୍‌ ନରସଂହାରର ମାଷ୍ଟର୍‌ମାଇଣ୍ଡ୍‌ କୁହାଯାଉଥିବା ମୁଖ୍ୟ ଆତଙ୍କବାଦୀ ଜହରନ୍‌ ହସିମ୍‌ର ବାପା ଏବଂ ଦୁଇ ଭାଇ ଥିବା ଜଣାପଡିଛି।

ସୂଚନା ଥାଉକି, ଶୁକ୍ରବାର ଚଢ଼ଉ ବେଳେ ପୁଲିସକୁ ଦେଖି ଉକ୍ତ କୋଠାରେ ଥିବା ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇବା ସହ ଗୁଳିମାଡ କରିଥିଲେ। ଉକ୍ତ ବିସ୍ଫୋରଣରେ କୋଠା ମଧ୍ୟରେ ଏବଂ ବାହାରେ ତିନି ଜଣ ମହିଳା, ୬ ଜଣ ଶିଶୁଙ୍କ ସମେତ ୧୫ ଜଣ ନିହତ ହୋଇଥିଲେ। କୋଠା ମଧ୍ୟରେ ନିହତ ହୋଇଥିବା ତିନି ଜଣ ଇସ୍ଲାମିକ୍‌ ଷ୍ଟେଟ୍‌ର ଆତଙ୍କବାଦୀ ବୋଲି ସଂଗଠନ ତରଫରୁ ଅମାକ୍‌ ନିଉଜ୍‌ ଏଜେନ୍ସି ପକ୍ଷରୁ ଦାବି କରାଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଇସ୍ଲାମିକ୍‌ ଷ୍ଟେଟ୍‌ ସମର୍ଥନରେ ଏକାଠି ଦେଖାଯାଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଉକ୍ତ ତିନି ଜଣ ଥିବା ଜଣାପଡିଛି। ତେବେ ଉକ୍ତ ୧୫ ଜଣ ନିହତଙ୍କ ମଧ୍ୟରେ ହାସିମ୍‌ଙ୍କ ବାପା ମହମ୍ମଦ ହାସିମ୍‌, ତାଙ୍କ ଦୁଇ ଭାଇ ଜାଇନେ ହସିମ୍‌ ଏବଂ ରିଲ୍‌ୱନ ହସିମ୍‌ ଥିବା ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର