ଦିଲ୍ଲୀରେ ଝଡ଼ତୋଫାନ, ପ୍ରବଳ ବର୍ଷା

ୟୁପିରେ ଆଜି ଝଡ଼ତୋଫାନ ସମ୍ଭାବନା

ନୂଆଦିଲ୍ଲୀ: ଝଡ଼ତୋଫାନର ଭୟ ଥମୁନି। ଗତକାଲି ପରି ଆଜି ସନ୍ଧ୍ୟାରେ ମଧ୍ୟ ନୂଆ ଦିଲ୍ଲୀ ଏବଂ ଏହାର ନିକଟସ୍ଥ ଅଞ୍ଚଳରେ ପ୍ରବଳ ଝଡ଼ତୋଫାନ ସାଙ୍ଗକୁ ବର୍ଷା ହୋଇଛି। ଘଣ୍ଟାକୁ ୫୦-୭୦ କିମି ବେଗରେ ପବନ ବହୁଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ପକ୍ଷରୁ ଦିଲ୍ଲୀ ବାସିନ୍ଦାମାନଙ୍କୁ ବାହାରକୁ ନବାହାରି ଯଥାସମ୍ଭବ ଘର ଭିତରେ ରହିବାପାଇଁ ସତର୍କସୂଚନା ଜାରି କରାଯାଇଛି। ଗତ ରବିବାର ଦିନ ଦିଳ୍ଲୀରେ ଝଡ଼ତୋଫାନ ହେତୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୮ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ତେବେ କେବଳ ଦିଲ୍ଲୀ ନୁହେଁ ଉତ୍ତରପ୍ରଦେଣର କିଛି ଅଂଶରେ ମଧ୍ୟ ଆସନ୍ତାକାଲି ଝଡ଼ତୋଫାନ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପୂର୍ବ ଉତ୍ତରପ୍ରଦେଶର କିଛି ନିର୍ଦ୍ଦିଷ୍ଟ ଜିଲ୍ଲା ତଥା ସିଦ୍ଧାର୍ଥନଗର, କୁଶିନଗର ଏବଂ ମହାରାଜଗଞ୍ଜ ପ୍ରଭାବିତ ହେବ ବୋଲି ପାଣିପାଗ ବିଭାଗ ସୂତ୍ରରୁ କୁହାଯାଇଛି। ଗତ ରବିବାର ଦିନ ୬ଟି ରାଜ୍ୟରେ ଝଡ଼ତୋଫାନ ହୋଇ ୮୦ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ହୋଇଥିଲା। କେବଳ ଉତ୍ତରପ୍ରଦେଶରେ ୫୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ଗତ ମେ’ ୨ ତାରିଖରେ ଉତ୍ତରପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଉତ୍ତରାଖଣ୍ଡ ଏବଂ ପଞ୍ଜାବରେ ଝଡ଼ତୋଫାନ ହେତୁ ୧୩୪ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୪୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର