ଦିଲ୍ଲୀ ନଗର ନିଗମ ନିର୍ବାଚନ ଶାନ୍ତିପୂର୍ଣ୍ଣ: ଇଭିଏମ୍‌ରେ ୧୩୪୯ ପ୍ରାର୍ଥୀଙ୍କ ଭାଗ୍ୟ

୭ରେ ଆସିବ ଫଳାଫଳ, ଦିଲ୍ଲୀ କଂଗ୍ରେସ ସଭାପତିଙ୍କ ନାମ ଭୋଟର୍‌ ତାଲିକାରୁ ଗାଏବ

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ (ଏମ୍‌ସିଡି) ନିର୍ବାଚନ ଆଜି ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି ଏବଂ ଅପରାହ୍ନ ୫ଟା ସୁଦ୍ଧା ପ୍ରାୟ ୫୦ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ସୁରୁଖୁରୁରେ ଭୋଟ୍‌ ଗ୍ରହଣ ପାଇଁ ନିର୍ବାଚନ କମିସନ ଏବଂ ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା ଏବଂ ୫୬ଟି ଅତି ସମ୍ବେଦନଶୀଳ ଅଞ୍ଚଳରେ ଡ୍ରୋନ୍‌ ଦ୍ବାରା ନଜର ରଖାଯାଇଥିଲା। ଏହି ନିର୍ବାଚନ ଉଭୟ ବିଜେପି ଏବଂ ଆମ୍‌ ଆଦ୍‌ମୀ ପାର୍ଟି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଆଜି ଉଭୟ ଦଳ ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ସହ ମତଦାନ ଦିବସରେ ବି ଭୋଟର୍‌ଙ୍କୁ ପ୍ରଭାବିତ କରିବାକୁ ଜୋର୍‌ଦାର ପ୍ରୟାସ କରିଥିଲେ। ବିଜେପି ଏବଂ ଆମ୍‌ ଆଦ୍‌ମୀ ପାର୍ଟି ଦ୍ବାରା ମଦ ଓ ଟଙ୍କା ବଣ୍ଟାଯାଉଥିବା ନେଇ ପୁଲିସରୁ ୪୦ରୁ ଅଧିକ ଅଭିଯୋଗ ମିଳିଥିଲା। ଏଥର ଏମ୍‌ସିଡି ନିର୍ବାଚନରେ ୨୫୦ ୱାର୍ଡ ପାଇଁ ୧୩୪୯ ପ୍ରାର୍ଥୀ ମଇଦାନରେ ଥିବା ବେଳେ ଆଜି ସେମାନଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଛି। ଭୋଟ୍‌ ଗଣତି ୭ ତାରିଖରେ ହେବ। ନିର୍ବାଚନ କମିସନ ଆଜି ଭୋଟର୍‌ଙ୍କୁ ମତଦାନ କେନ୍ଦ୍ର ଭିତରକୁ ମୋବାଇଲ୍‌ ଫୋନ୍‌ ନେଇ ଯିବାପାଇଁ ଅନୁମତି ଦେଇଥିଲେ ଏବଂ ପ୍ରତ୍ୟେକ ବୁଥ୍‌ରେ ଶୃଙ୍ଖଳା ବଜାୟ ରଖିବାକୁ କଡ଼ା ପଦକ୍ଷେପ ଗ୍ରହଣ କରିଥିଲେ।

ଉତ୍ତର ପଶ୍ଚିମ ଜିଲ୍ଲା କଟେୱାରା ଗ୍ରାମବାସୀ ଆଜି ଭୋଟ୍‌ ବର୍ଜନ କରିଛନ୍ତି। ଗ୍ରାମକୁ ଭଲ ରାସ୍ତା ନଥିବା ଏବଂ ଅତ୍ୟାବଶ୍ୟକ ସୁବିଧା ସୁଯୋଗରୁ ଏହି ଗ୍ରାମବାସୀଙ୍କୁ ବଞ୍ଚିତ କରାଯାଇଥିବା ଅଭିଯୋଗ କରି ଲୋକେ ଭୋଟ୍‌ ବର୍ଜନ କରିଥିବା ଜଣାପଡ଼ିଛି। ଏମ୍‌ସିଡି ନିର୍ବାଚନରେ ମୁଖ୍ୟତଃ ବିଜେପି-ଆପ୍‌ ମଧ୍ୟରେ କଡ଼ା ମୁକାବିଲା ହୋଇଥିବା ବେଳେ କଂଗ୍ରେସ ମଧ୍ୟ ମଇଦାନରେ ରହିଛି। ଆଜି ସକାଳେ ଦିଲ୍ଲୀ ପ୍ରଦେଶ କଂଗ୍ରେସ ସଭାପତି ଅନୀଲ ଚୌଧରୀ ଭୋଟ୍‌ ଦେବାପାଇଁ ଦଲ୍ଲୁପରା ପୋଲିଂ ବୁଥ୍‌ରେ ପହଞ୍ଚିବା ପରେ ତାଙ୍କ ନାମ ଭୋଟର୍‌ ତାଲିକାରେ ନଥିବା ଜଣପଡ଼ିଥିଲା। ଭୋଟ୍‌ ଦେଇପାରିନଥିବା ଚୌଧରୀ କହିଛନ୍ତି, ତାଙ୍କ ନାମ ଜାଣିଶୁଣି ତାଲିକାରୁ କଟାଯାଇଛି ଏବଂ ଏଥିରେ ବିଜେପିର ହାତ ରହିଛି।

ସମ୍ବନ୍ଧିତ ଖବର