ବଦଳିବ କୋରାପୁଟ ଜିଲ୍ଲା ଆଦିବାସୀଙ୍କ ଭାଗ୍ୟ: ଚାଷ ହେବ ଜିରା, ଜୁଆଣୀ, କଳାଜିରା

ନୂଆଦିଲ୍ଲୀ : ବଦଳିବ ମାଓ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଆଦିବାସୀଙ୍କ ଭାଗ୍ୟ। ରାଜସ୍ଥାନରେ ଚାଷ ହେଉଥିବା ମସଲା ମଧ୍ୟ କୋରାପୁଟରେ ଚାଷ ହେବ। ଏହି ସବୁ ମସଲା ମଧ୍ୟରେ ରହିଛି ଜିରା, ପାନମଧୁରି, ଧନିଆ, ଜୁଆଣୀ, କଳାଜିରା ଓ ମେଥି ଇତ୍ୟାଦି। ଭାରତୀୟ କୃଷି ଗବେଷଣା ପରିଷଦ- ମସଲାବୀଜ ଜାତୀୟ ଗବେଷଣା କେନ୍ଦ୍ର (ଆଇସିଏଆର୍‌-ଏନ୍‌ଆର୍‌ସିଏସ୍‌ଏସ୍‌) ଆଜମେରର ନିର୍ଦ୍ଦେଶକ ଶୈଳେନ୍ଦ୍ରନାଥ ସାକ୍‌ସେନା ‘ସମ୍ବାଦ’କୁ ଏହି ସୂଚନା ଦେଇଛନ୍ତି। ଆଇସିଏଆର୍‌-ଏନ୍‌ଆର୍‌ସିଏସ୍‌ଏସ୍‌ ଆଜମେର ଦ୍ବାରା ଗତ ବର୍ଷ ଅକ୍ଟୋବରରେ ଏ ନେଇ ଓଡ଼ିଶା ସରକାରଙ୍କ ଠାରୁ ପ୍ରସ୍ତାବ ମଗାଯାଇଥିଲା।

Gaon Connection English

କୋରାପୁଟରେ ଦଶଟି ମସଲା ଚାଷ ପାଇଁ ଆଜମେର ଗବେଷଣା କେନ୍ଦ୍ର ଦ୍ବାରା ପ୍ରସ୍ତାବ ପଠାଯାଇଥିଲା। ପ୍ରସ୍ତାବରେ କୁହାଯାଇଥିଲା ଆଜମେର କେନ୍ଦ୍ରର ତିନି ଜଣ ବୈଜ୍ଞାନିକ କୋରାପୁଟ ଯାଇ ଚାଷୀମାନଙ୍କୁ ମସଲା ଚାଷ ଉପରେ ପ୍ରଶିକ୍ଷଣ ଦେବେ। ପ୍ରସ୍ତାବ ଅନୁସାରେ ମସଲା ଚାଷ ପାଇଁ ଜମିର ଉର୍ବରତାକୁ ପ୍ରଥମେ ଆକଳନ କରାଯିବ ଓ ଅଧା-ଅଧା ହେକ୍ଟରର ଦଶଟି ଜମିରେ ମସଲା ଚାଷ ହେବ। ଗବେଷକମାନଙ୍କୁ ସେଠାରେ ମୁତୟନ କରାଯିବ ସହ ଚାଷ ଉପରେ ନିୟମିତ ନଜର ରଖାଯିବ। ଡ. ସାକସେନାଙ୍କ ସୂଚନା ହେଲା, ଆଜମେର କେନ୍ଦ୍ରର ପ୍ରସ୍ତାବ ଉପରେ ଏକାଧିକ ବାର ବୈଠକ ଓ ବିଚାରବିମର୍ଶ ପରେ କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ବାରା ଏ ନେଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି। ମସଲା ଚାଷ ପାଇଁ ଚଳିତ ମାସ ୨୧ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୬୦.୮୨ ଲକ୍ଷ ଟଙ୍କା ମଂଜୁର ହୋଇଛି। ତିନି ବର୍ଷ ପର୍ଯ୍ୟନ୍ତ ଏହି ପ୍ରକଳ୍ପ କୋରାପୁଟରେ ଜାରି ରହିବ। ଓଡ଼ିଶା ସରକାର ପାଣ୍ଠି ପ୍ରଦାନ କରିବା ପରେ ଆସନ୍ତା ଅକ୍ଟୋବର -ନଭେମ୍ବରରେ ଆଜମେର କେନ୍ଦ୍ରର ୩ ଜଣ ବୈଜ୍ଞାନିକ କୋରାପୁଟ ଗସ୍ତ କରିବେ। ଡଃ ସାକସେନାଙ୍କ ସୂଚନା ହେଲା ହେକ୍ଟର ପିଛା ଚାଷୀମାନେ ୧୦ କୁଇଣ୍ଟାଲ ପର୍ଯ୍ୟନ୍ତ ମସଲା ଉତ୍ପାଦନ କରିପାରିବେ। ଏହା ଦ୍ବାରା ସ୍ଥାନୀୟ ଚାଷୀମାନେ ଅଧିକ ରୋଜଗାର କରିପାରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର