ରାଜ୍ୟପାଳଙ୍କ ବିରୋଧରେ ଅଧ୍ୟାଦେଶ ଆଣିବେ କେରଳ ସରକାର

ତିରୁଅନନ୍ତପୁରମ : କେରଳରେ ପିନାରାୟୀ ବିଜୟନ ସରକାର କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ଙ୍କୁ ରାଜ୍ୟ ବିଶ୍ବବିଦ୍ୟାଳୟର ଚାନ୍ସେଲର ଭାବେ ହଟାଇବାପାଇଁ ଅଧ୍ୟାଦେଶ ଆଣିବାକୁ ଯୋଜନା କରିଛନ୍ତି। ରାଜ୍ୟ ସରକାର ଏବଂ ରାଜ୍ୟପା‌ଳଙ୍କ ମଧ୍ୟରେ ଲଗାତାର ବିବାଦ ଲାଗି ରହିଥିବା ବେଳେ ରାଜ୍ୟପାଳଙ୍କୁ ଚାନ୍ସେଲର ଭାବେ ହଟାଇବାପାଇଁ ରାଜ୍ୟ ସରକାର ଅଧ୍ୟା‌ଦେଶ ଆଣିବେ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ଆର୍‌ ବିନ୍ଦୁ କହିଛନ୍ତି ।

ଉକ୍ତ ପ୍ରସଙ୍ଗରେ ଆଇନ ବିଭାଗ ଦ୍ବାରା ପ୍ରସ୍ତାବିତ ଏକ ଚିଠା ଅଧ୍ୟା‌‌ଦେଶ ଉପରେ କ୍ୟାବିନେଟ ବୈଠକରେ ଆଲୋଚନା ହୋଇଛି। ଏହା ନିଷ୍ପତ୍ତି ହୋଇଛି ଯେ ଜଣେ ଚାନ୍ସେଲରଙ୍କ ପରିବର୍ତ୍ତେ ଏକାଧିକ ଚାନ୍ସେଲର ରହିବେ। ଏହା ଉଚ୍ଚ ଶିକ୍ଷା ‌କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ବିନ୍ଦୁ କହିଛନ୍ତି। ବିଶ୍ବବିଦ୍ୟାଳୟରେ ଭିସି ନିଯୁକ୍ତି ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ‌ବାମ ସରକାର ଏବଂ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ବିରୋଧରେ ବିବାଦ ଲାଗି ରହିଥିବାବେଳେ ଏଭଳି ଏକ ନିଷ୍ପତ୍ତି ହୋଇଛି। ଇତି ମଧ୍ୟରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏହି ପ୍ରସଙ୍ଗରେ ଏକ ଟିପ୍ପଣୀ ରଖି କହିଛନ୍ତି ଯେ ସେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ପାଇଁ ଏହି ଅଧ୍ୟାଦେଶ ପଠାଇଦେବେ। ରାଜ୍ୟପାଳ କହିଛନ୍ତି, ଅଧ୍ୟାଦେଶ ଯେହେତୁ ମୋ ବିରୋଧରେ ଆସିଛି ମୁଁ ଏହା ଉପରେ କିଛି ବିଚାର କରିପାରିବି ନାହିଁ। ତେଣୁ ଏହାକୁ ମୁଁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଦେବି।

ସମ୍ବନ୍ଧିତ ଖବର