ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ଟପିଲା, କୋଭିଡ୍‌ ସଂକ୍ରମଣର ବୃଦ୍ଧିହାର ୨୮ ପ୍ରତିଶତ କମିଲା

ନୂଆଦିଲ୍ଲୀ: ଦେଶରେ କ‌ରୋନା ସଂକ୍ରମଣ ମାମଲା ଆଜି ୯ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟ‌ା ମଧ୍ୟ‌ରେ ଦେଶରେ ୨୮ ହଜାର ୪୯୮ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୫୫୩ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ମାମଲା ୮ ଲକ୍ଷରୁ ୯ ଲକ୍ଷ ଟପିବାପାଇଁ ମାତ୍ର ୩ ଦିନ ଲାଗିଛି। ଦେଶରେ ଏବେ ମୋଟ୍‌ ସଂକ୍ରମଣ ମାମଲା ୯ ଲକ୍ଷ ୬ ହଜାର ୭୫୨ରେ ପହଞ୍ଚିଛି ଏବଂ ୨୩ ହଜାର ୭୨୭ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ୫ ଲକ୍ଷ ୭୧ ହଜାର ୪୫୯ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୩ ଲକ୍ଷ ୧୧ ହଜାର ୫୬୫ ସକ୍ରିୟ ମାମଲା ରହିଛି। ଦେଶରେ ୬୩.୦୨ ପ୍ରତିଶତ କରୋନାରୁ ଆରୋଗ୍ୟ ହୋଇ ସାରିଛନ୍ତି। ଲଗାତାର ୫ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୨୬ ହଜାରରୁ ଅଧିକ ରହିବାପରେ ଦେଶରେ ସଂକ୍ରମଣର ମାତ୍ରା ହଠାତ୍‌ ବଢ଼ିଯାଇଛି। ଦେଶରେ ୧ ଲକ୍ଷ ମାମଲା ହେବାପାଇଁ ୧୧୦ ଦିନ ଲାଗିଥିଲା କିନ୍ତୁ ୧ ଲକ୍ଷରୁ ୯ ଲକ୍ଷ ‌ହେବାପାଇଁ ୫୬ ଦିନ ଲାଗିଛି।

ସଂକ୍ରମଣ ବଢ଼ୁଥିଲେ ମଧ୍ୟ ସରକାର ଏକ ସକରାତ୍ମକ ସୂଚନା ପ୍ରଦାନ କରି କହିଛନ୍ତି, ଦେଶରେ ଦୈନିକ ସଂକ୍ରମଣ ବୃଦ୍ଧିହାର କମୁଛି। ଦେଶର ଅଳ୍ପ କିଛି ରାଜ୍ୟରେ ସଂକ୍ରମଣ ଅଧିକ ରହିଛି ବୋଲି ସରକାର କହିଛନ୍ତି। ଦେଶରେ ସଂକ୍ରମଣ ବୃଦ୍ଧିହାର ପ୍ରାୟ ୨୮ ପ୍ରତିଶତ କମିଯାଇଛି। ମାର୍ଚ୍ଚ ମାସଠାରୁ ଦୈନିକ ସଂକ୍ରମଣ ବୃଦ୍ଧିହାରକୁ ଭଲଭାବେ ଆକଳନ କଲେ ଏହା ଜଣାପଡ଼ୁଛି। ମାର୍ଚ୍ଚରେ ଦୈନିକ ସଂକ୍ରମଣ ବୃଦ୍ଧି ହାର ୩୧ ପ୍ରତିଶତ ଥିଲା। ଏହା ମେ’ରେ ୩୧ ପ୍ରତିଶତ, ମେ’ ରେ ୯ ପ୍ରତିଶତ ଏବଂ ମେ’ ଶେଷ ବେଳକୁ ପ୍ରାୟ ୫ ପ୍ରତିଶତ କମିଗଲା। ତେବେ ଜୁଲାଇ ୧୨ ସୁଦ୍ଧା ଏହା ୩.୨୪ ପ୍ରତିଶତକୁ ଖସି ଆସିଛି। ନୂଆ ସଂକ୍ରମଣ ମାମଲାରେ ବୃଦ୍ଧିହାର ଲଗାତାର କମୁଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସଚିବ ରାଜେଶ ଭୁଷଣ କହିଛନ୍ତି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ଭାରତରେ ସମସ୍ତ ପଜିଟିଭ୍‌ ମାମଲାର ୮୬ ପ୍ରତିଶତ କେବଳ ୧୦ ଟି ରାଜ୍ୟରେ ସୀମିତ। ମହାରାଷ୍ଟ୍ର ଏବଂ ତାମିଲନାଡ଼ୁରେ ମୋଟ୍‌ ମାମଲାର ୫୦ ପ୍ରତିଶତ ରିପୋର୍ଟ କରାଯାଇଛି। ବାକି ୩୬ ପ୍ରତିଶତ ମାମଲା ଅନ୍ୟ ୮ଟି ରାଜ୍ୟ ତଥା କର୍ଣ୍ଣାଟକ, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ଗୁଜରାଟ ଏବଂ ଆସାମରୁ ଚିହ୍ନଟ ହୋଇଛି। ଅନେକ ବଡ଼ ରାଜ୍ୟ ତଥା ବିହାର , ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ଉତ୍ତରାଖଣ୍ଡ, କେରଳ ଏବଂ ହିମାଚଳ ପ୍ରଦେଶରେ ସ୍ଥିତି ଏବେ ବି ଭଲ ଅଛି ବୋଲି କୁହାଯାଇଛି। ବିଶ୍ବରେ ପ୍ରତି ୧୦ ଲକ୍ଷରେ ୧୬୩୮ ସଂକ୍ରମଣ ମାମଲା ଚିହ୍ନଟ ହେଉଥିବାବେଳେ ଭାରତରେ ପ୍ରତି ୧୦ ଲକ୍ଷରେ ୬୫୭ ମାମଲା ଚିହ୍ନଟ ହୋଇଛି। ସେହିପରି ଭାରତରେ ପ୍ରତି ୧୦ ଲକ୍ଷରେ ୧୭.୨ ମୃତ୍ୟୁ ହେଉଥିବାବେଳେ ବିଶ୍ବରେ ଏହା ୭୩ ରହିଛି।

ସମ୍ବନ୍ଧିତ ଖବର