ସୁପ୍ରିମ୍‌କୋର୍ଟରେ ତୃତୀୟ ‘କେବଳ ମହିଳା’ ବେଞ୍ଚ ଗଠିତ

ନୂଆଦିଲ୍ଲୀ: ପ୍ରଧାନବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଗୁରୁବାର କେବଳ ମହିଳା ବିଚାରପତିଙ୍କୁ ନେଇ ଏକ ବେଞ୍ଚ ଗଠନ କରିଛନ୍ତି। ଏହି ବେଞ୍ଚରେ ଅଛନ୍ତି ଜଷ୍ଟିସ୍ ହିମା କୋହଲି ଓ ବେଲା ଏମ୍ ତ୍ରିବେଦୀ। ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାର ସମସ୍ୟା ଯଥା ବୈବାହିକ ବିବାଦ ଜନିତ ବଦଳି ଓ ଜାମିନ ଆଦି ଉପରେ ଏହି ଖଣ୍ଡପୀଠ ଶୁଣାଣି କରିବେ। ସୁପ୍ରିମ୍‌କୋର୍ଟ ଇତିହାସରେ କେବଳ ମହିଳାଙ୍କୁ ନେଇ ବେଞ୍ଚ ଗଠନ କରାଯିବାରେ ଏହା ହେଉଛି ତୃତୀୟ ଘଟଣା। ଏହି ମହିଳା ବେଞ୍ଚ ବର୍ତ୍ତମାନ ସୁପ୍ରିମ୍‌କୋର୍ଟର କୋର୍ଟ ନମ୍ବର ୧୧ରେ ବସୁଛନ୍ତି।

ଏହି ବେଞ୍ଚ ଦ୍ବାରା ବର୍ତ୍ତମାନ ୩୨ଟି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇଛି। ସେଥି ମଧ୍ୟରୁ ୧୦ଟି ହେଉଛି ବୈବାହିକ ବିବାଦଜନିତ ବଦଳି ମାମଲା ଏବଂ ୧୦ଟି ଜାମିନ ମାମଲା। କେବଳ ମହିଳା ବିଚାରପତିଙ୍କୁ ନେଇ ବେଞ୍ଚ ପ୍ରଥମେ ୨୦୧୩ରେ ଗଠନ କରାଯାଇଥିଲା। ସେତେବେଳେ ଜଷ୍ଟିସ୍ ଜ୍ଞାନସୁଧା ମିଶ୍ର ଓ ରଞ୍ଜନା ପ୍ରକାଶ ଦେଶାଇ ଥିଲେ ଏହାର ସଦସ୍ୟ। ତା’ପରେ ୨୦୧୮ରେ ଜ‌ଷ୍ଟିସ୍ ଆର୍ ଭାନୁମତୀ ଓ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଦ୍ବତୀୟ ସର୍ବମହିଳା ଖଣ୍ଡପୀଠ ହୋଇଥିଲା। ବର୍ତ୍ତମାନ ସୁପ୍ରିମ୍‌କୋର୍ଟରେ ତିନିଜଣ ମହିଳା ବିଚାରପତି ଅଛନ୍ତି। ସେମାନେ ହେଉଛନ୍ତି- ଜଷ୍ଟିସ୍ ହିମା କୋହଲି, ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଓ ଜଷ୍ଟିସ୍ ବିଭି ନାଗରତ୍ନା। ଜଷ୍ଟିସ ନାଗରତ୍ନା ୨୦୨୭ରେ ଦେଶର ପ୍ରଥମ ମହିଳା ପ୍ରଧାନବିଚାରପତି ହେବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର