ନଗ୍ନ ଦମ୍ପତିଙ୍କ ଉପରେ ୫୦ ଟ୍ୟୁବ୍ ଅଠା ଢାଳି ହତ୍ୟା କଲା ତାନ୍ତ୍ରିକ

ଉଦୟପୁର ଜଙ୍ଗଲରେ ଅଭାବନୀୟ କାଣ୍ଡ

ଉଦୟପୁର: ରାଜସ୍ଥାନର ଉଦୟପୁର ଜଙ୍ଗଲରେ ଏକ ନଗ୍ନ ଦମ୍ପତିଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସୋମବାର ୫୨ ବର୍ଷୀୟ ଭାଲେଶ କୁମାର ଯୋଶୀ ନାମକ ଜଣେ ଭଣ୍ଡ ତାନ୍ତ୍ରିକକୁ ପୁଲିସ ଗିରଫ କରିଛି। ହତ୍ୟାର ଶିକାର ୩୨ ବର୍ଷୀୟ ସରକାରୀ ଶିକ୍ଷକ ରାହୁଲ ମୀନା ଓ ୩୧ ବର୍ଷୀୟା ସୋନୁ କନୱାରଙ୍କ ଶବକୁ କେଳା ବାଉଦି ଜଙ୍ଗଲ ଅଞ୍ଚଳରୁ ପୁଲିସ ଜବତ କରିଛି।

ସୂଚନାଯୋଗ୍ୟ, ଶିକ୍ଷକ ଜଣଙ୍କର ସ୍ତ୍ରୀ ଥିବାବେଳେ ସେ ଏହି ବିବାହିତା ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ଭାଦ୍ବୀଗୁଡ଼ାଠାରେ ଥିବା ଇଚ୍ଛାପୂର୍ଣ୍ଣ ଶେଷନାଗ ଭାବଜୀ ମନ୍ଦିରରେ ଭାଲେଶ ଯୋଶୀ ନାମକ ତାନ୍ତ୍ରିକକୁ ଦେଖା କରିବାକୁ ଉଭୟଙ୍କ ପରିବାର ଅନେକ ସମୟରେ ଆସନ୍ତି। ମହିଳାଙ୍କ ସହ ଅନୈତିକ ସମ୍ପର୍କ ଆରମ୍ଭ ହେବା ପରେ ଶିକ୍ଷକଙ୍କର ତାଙ୍କ ସ୍ତ୍ରୀ ସହ ସବୁବେଳେ ଝଗଡ଼ା ହେଉଥିଲା। ଏହାର ପ୍ରତିକାର ପାଇଁ ଶିକ୍ଷକଙ୍କ ସ୍ତ୍ରୀ ତାନ୍ତ୍ରିକଙ୍କ ଶରଣାପନ୍ନ ହୋଇଥିଲେ। ତାନ୍ତ୍ରିକ ରାହୁଲ-ସୋନୁଙ୍କ ଅନୈତିକ ସମ୍ପର୍କ ବିଷୟରେ ଜାଣିଥିବାରୁ ଏ ବିଷୟରେ ଶିକ୍ଷକ ରାହୁଲଙ୍କ ସ୍ତ୍ରୀଙ୍କୁ କହିଥିଲେ। ଦୁହେଁ ଏକଥା ଜାଣିବା ପରେ ତାନ୍ତ୍ରିକକୁ ମିଛ-ବଦନାମ କରିବାକୁ ଷଡ଼୍‌ଯନ୍ତ୍ର କଲେ। ତାନ୍ତ୍ରିକ ମଧ୍ୟ ବଦନାମରୁ ରକ୍ଷା ପାଇବା ପାଇଁ ଏ ଦୁହିଙ୍କୁ ସଫା କରିଦେବା ଲାଗି ନିଷ୍ପତ୍ତି ନେଲା।

ତାନ୍ତ୍ରିକ ଜଣକ ୫୦ ଟ୍ୟୁବ୍ ସୁପର ଅଠା ଫେଭିକ୍ବିକ୍ କିଣି ତାକୁ ଏକ ବଡ଼ ବୋତଲରେ ପୂରେଇଲା। ନଭେମ୍ବର ୧୫ ତାରିଖରେ ସେ ଶିକ୍ଷକ ଓ ତାଙ୍କ ପ୍ରେମିକାକୁ କୌଣସି ବାହାନା କରି ଏକ ନିକାଞ୍ଚନ ସ୍ଥାନକୁ ଡାକିଲା ଏବଂ ସେଠାରେ ସେମାନଙ୍କୁ ସମସ୍ୟାରୁ ମୁକ୍ତି ପାଇଁ ଯୌନକ୍ରିୟା କରିବାକୁ ପରାମର୍ଶ ଦେଇ ସେଠାରୁ ପଳାଇଯିବାର ଅଭିନୟ କଲା। କିନ୍ତୁ ପଳାଇ ନ ଯାଇ କୌଣସି ଗଛ ଆଢ଼ୁଆଳରେ ଲୁଚିରହିଲା। ଦୁହେଁ ଯେତେବେଳେ ଦେଖିଲେ କେହି ନାହାନ୍ତି, ସେମାନେ ଶରୀରିକ ସମ୍ପର୍କ ଆରମ୍ଭ କରିଦେଲେ। ଏହି ସମୟରେ ତାନ୍ତ୍ରିକ ଜଣକ ଲୁଚିଲୁଚି ଆସି ସେମାନଙ୍କ ଉପରେ ଅଠା ବୋତଲକୁ ଢାଳିଦେଲା।

ନଗ୍ନ ଅବସ୍ଥାରେ ଥିବା ଶିକ୍ଷକ ଓ ମହିଳାଙ୍କ ପେଟ ଓ ଯୌନାଙ୍ଗ ଫେଭିକ୍ବିକ୍ ଅଠାରେ ଏପରି ଭାବେ ଲାଗି ଯାଇଥିଲା ଯେ ସେମାନେ ପରସ୍ପରଠାରୁ ନିଜକୁ ଛଡ଼ାଇବାକୁ ଚେଷ୍ଟା କରିବା ଭିତରେ ଚର୍ମ ଛିଣ୍ଡି ଶରୀର କ୍ଷତାକ୍ତ ହୋଇଯାଇଥିଲା। ଏହି ସମୟରେ ତାନ୍ତ୍ରିକ ଶିକ୍ଷକର ତଣ୍ଟିକାଟି ଓ ମହିଳା ପେଟରେ ଛୁରି ଭୁଷି ହତ୍ୟା କରି ସେଠାରୁ ପଳାୟନ କରିଥିଲା। ନଗ୍ନ ଅବସ୍ଥାରେ ଦମ୍ପତିଙ୍କ ଉପରେ ଅଠା ଢାଳି ହତ୍ୟା କରିବା ପଛରେ ତାନ୍ତ୍ରିକର ଉଦ୍ଦେଶ୍ୟ ଥିଲା ପୁଲିସ ଓ ଲୋକଙ୍କ ନଜର ଅନ୍ୟ ଆଡ଼କୁ ନେବା।

ଗତ ସପ୍ତାହରେ ଉଦୟପୁରର ଗୋଲୁଣ୍ଡା ଥାନା ଅନ୍ତର୍ଗତ କେଳା ବାଉଦି ଜଙ୍ଗଲରୁ ଶବ ଜବତ ହେବା ପରେ ପୁଲିସ ପ୍ରାୟ ୫୦ଟି ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ପ୍ରାୟ ୨୦୦ ଲୋକଙ୍କୁ ପଚରାଉଚରା କରିଛି। ଏଥିରୁ ହତ୍ୟାକାରୀ ତାନ୍ତ୍ରିକ ଭାଲେଶ କୁମାର ଯୋଶୀ ବୋଲି ନିଶ୍ଚିତ ହେବା ପରେ ପୁଲିସ ତାକୁ ଗିରଫ କରିଛି। ଜେରା ପରେ ତାନ୍ତ୍ରିକ ତା’ର ଅପରାଧ ସ୍ବୀକାର କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର