ସଙ୍ଗରୋଧ କେନ୍ଦ୍ରକୁ ବାଘ, ସାପ ଭୟ : ସାପ କାମୁଡ଼ାରେ ଯାଉଛି ଜୀବନ

ଡେରାଡ଼ୁନ୍ : ଉତ୍ତରାଖଣ୍ଡରେ ପାର୍ବତ୍ୟାଞ୍ଚଳ ଗୁଡ଼ିକରେ ସଂକ୍ରମଣ ବଢ଼ିବା‌ରେ ଲାଗିଛି। ଅତି ନିପଟ ଗ୍ରାମାଞ୍ଚଳଗୁଡ଼ିକରେ ପ୍ରତିଦିନ ସଂକ୍ରମଣ ବଢ଼ୁଛି। କିନ୍ତୁ ସବୁଠୁ ଚିନ୍ତାଜନକ ହେଉଛି ପାର୍ବତ୍ୟାଞ୍ଚଳରେ ଥିବା ସଙ୍ଗରୋଧ କେନ୍ଦ୍ରରେ କରୋନା ଅପେକ୍ଷା ବନ୍ୟଜନ୍ତୁଙ୍କ ଭୟ। ପାର୍ବତ୍ୟ ଜିଲ୍ଲାରେ ଥିବା ବିଭିନ୍ନ ବିଦ୍ୟାଳୟଗୁଡ଼ିକ ଏବେ ସଙ୍ଗରୋଧ କେନ୍ଦ୍ର ହୋଇଛି। ତେବେ ଏଠାରେ ବାଘ ସାଙ୍ଗକୁ ବିଷାକ୍ତ ସାପ ଲୋକଙ୍କ ଭୟ ବଢ଼ାଇ ଦେଇଛି। ଗତ କିଛି ଦିନ ତଳେ ନୈନିତାଲ୍‌ ଜିଲ୍ଲାର ବେଟାଲ୍‌ଘାଟ୍‌ ଅଞ୍ଚଳରେ ଥିବା ଏକ ସଙ୍ଗରୋଧ କେନ୍ଦ୍ର୍‌ରେ ଜଣେ ୧୦ ବର୍ଷୀୟା ଝିଅର ସାପ କାମୁଡ଼ାରେ ମୃତ୍ୟୁ ହୋଇଥିଲା। ବନ୍ୟଜନ୍ତୁଙ୍କ ଭୟରେ ଲୋକେ ଏହି ସଙ୍ଗରୋଧ କେନ୍ଦ୍ର୍‌ ଗୁଡ଼ିକରେ ରାତିରେ ଠିକ୍‌ରେ ଶୋଇ ମଧ୍ୟ ପାରୁନାହାନ୍ତି।

ପୌଡ଼ିର ତିଲ୍ଲା ଗ୍ରାମରେ ଥିବା ଏକ ସରକାରୀ ସ୍କୁଲ୍‌ରେ ମୁମ୍ବାଇ ଫେରନ୍ତା ପ୍ରବାସୀ ରହୁଥିବାବେଳେ ବନ୍ୟଜନ୍ତୁଙ୍କୁ ନେଇ ସେମାନଙ୍କ ମନରେ ଯେଉଁ ଭୟ ରହିଛି ତାହା ସେମାନେ ସୋସିଆଲ୍‌ ମିଡିଆ ମାଧ୍ୟମରେ ଜଣାଇଛନ୍ତି। ବିକ୍ରମ ସିଂହ ନାମକ ଜଣେ ମୁମ୍ବାଇ ଫେରନ୍ତା କହିଛନ୍ତି, ସେମାନେ ଯେଉଁ ଘରେ ରହୁଛନ୍ତି ସେ ଘରେ ଝରକା ନାହିଁ। ସେହିପରି ଅନ୍ୟ ଜଣେ ପ୍ରବାସୀ ଆକାଶ କହିଛନ୍ତି, ସେ ଉତ୍ତରକାଶୀର ପୁରୋଲା ବ୍ଲକ୍‌ର ଗୈନ୍ଦା ଗ୍ରାମରେ ରହୁଛନ୍ତି। ପ୍ରତି ରାତିରେ ସେ ବାଘର ଗର୍ଜନ ଶୁଣୁଛନ୍ତି। ତେବେ ଏହି ସବୁ ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ଆମ୍ବୁଲାନ୍ସ ରହିବାପାଇଁ ଦାବି ହୋଇଛି। ଏନେଇ ଗ୍ରାମପ୍ରଧାନମାନେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଛନ୍ତି। କିନ୍ତୁ କିଛି ଅଧିକାରୀ କହିଛନ୍ତି, ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରେ ବନ୍ୟଜନ୍ତୁଙ୍କ କବଳରୁ ବର୍ତ୍ତିବାପାଇଁ ଆବଶ୍ୟକୀୟ ସୁବିଧାସୁଯୋଗ ଅଛି। କୌଣସି ଅସୁବିଧା ଉପୁଜିଲେ ସଙ୍ଗେସଙ୍ଗେ ଆମ୍ବୁଲାନ୍ସ ସୁବିଧା ପାଇବା ପାଇଁ ଦାବି ‌ହୋଇଛି। ପୌଡ଼ି ଗଡ଼ୱାଲ୍‌ ଜିଲ୍ଲାପାଳ କହ‌ିଛନ୍ତି, ପର୍ବତରେ ମଣିଷ ଓ ପଶୁ ପାଖାପାଖି ବାସ କରନ୍ତି। ଏଥିପାଇଁ ଅଧିକ ଯତ୍ନବାନ ହେବାକୁ ପଡ଼ିବ। ସରକାରଙ୍କ ପକ୍ଷରୁ ସଙ୍ଗରୋଧ କେନ୍ଦ୍ର ପରିସରରେ ବିଦ୍ୟୁତ୍ ପାଣି ଓ ଶୌଚ୍ଚାଳୟ ସୁବିଧା କରାଯାଇଛି। ଏ ବର୍ଷ ଜାନୁଆ‌ରିରୁ ମେ’ ମଧ୍ୟରେ ବନ୍ୟଜନ୍ତୁଙ୍କ ଆକ୍ରମଣରେ ୧୩ ଜଣଙ୍କ ଜୀବନ ଯାଇଛି ଏବଂ ୭୪ ଜଣ ଗୁରୁତର ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର