ଟ୍ରାକ୍ଟର ଶୋଭାଯାତ୍ରା ହିଂସାରେ ହସ୍ତକ୍ଷେପ କରିବୁନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗତ ୨୬ ତାରିଖରେ ଆନ୍ଦୋଳନରତ ଚାଷୀଙ୍କ ଟ୍ରାକ୍ଟର ଶୋଭାଯାତ୍ରା ବେଳେ ନୂଆଦିଲ୍ଲୀରେ ସଂଘଟିତ ହିଂସାକାଣ୍ଡର ତଦନ୍ତ କରିବାକୁ ଆଗତ ସଂଖ୍ୟାଧିକ ଆବେଦନର ଶୁଣାଣି କରିବେ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ ରୋକଠୋକ ଶୁଣାଇଛନ୍ତି। ‘କେନ୍ଦ୍ର ସରକାର ଏଭଳି ହିଂସାତ୍ମକ ଘଟଣାର ତଦନ୍ତ କରୁଛନ୍ତି ବୋଲି ଆମେ ନିଶ୍ଚିତ ଅଛୁ। ସେହିପରି ଆଇନ ମଧ୍ୟ ତା’ ବାଟରେ ଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଏକ ବକ୍ତବ୍ୟ ଆମେ ପଢ଼ିଛୁ। ସୁତରାଂ ଏହି ମାମଲାରେ ଆମେ ଆଉ ହସ୍ତକ୍ଷେପ କରିବା ଆବଶ୍ୟକ ନାହିଁ’ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡ଼େଙ୍କ ନେତୃତ୍ବରେ ଗଠିତ ତିନିଜଣିଆ ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି। ସେହିପରି ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଉକ୍ତ ହିଂସାକାଣ୍ଡର ତଦନ୍ତ ସାରିବା ଲାଗି ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଏକ କମିଟି ଗଠନ ଲାଗି ହୋଇଥିବା ଜନସ୍ବାର୍ଥ ମାମଲାକୁ ମଧ୍ୟ ଖଣ୍ଡପୀଠ ଅଗ୍ରାହ୍ୟ କରି ଦେଇଛନ୍ତି। ଅପରପକ୍ଷେ, ଏଥି ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଲାଗି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆବେଦନକାରୀ ତଥା ଆଇନଜୀବୀ ବିଶାଳ ତିଵାରୀଙ୍କୁ ଅଦାଲତ ପରାମର୍ଶ କରିଛନ୍ତି।

ସମ୍ବନ୍ଧିତ ଖବର