ପାର୍ଲାମେଣ୍ଟରେ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ବୁଧବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ଲୋକସଭାର ୮ ଜଣ ଓ ରାଜ୍ୟସଭାର ୫ ଜଣ ଦିବଙ୍ଗତ ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି କ୍ରମରେ ଓଡ଼ିଶାର ଦିବଙ୍ଗତ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କୁ ଲୋକସଭା ଓ ରାଜ୍ୟସଭାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

୨୦୨୨ ସେପ୍ଟେମ୍ବର ୨୮ରେ ଜୟନ୍ତୀ ପଟ୍ଟନାୟକଙ୍କ ୯୦ ବର୍ଷ ବୟସରେ ପରଲୋକ ଘଟିଥିଲା। ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଶୋକ ପ୍ରସ୍ତାବ ଆଗତ କରି କହିଥିଲେ ଦିବଙ୍ଗତ ଜୟନ୍ତୀ ପଟ୍ଟନାୟକ କଟକ ସଂସଦୀୟ ‌କ୍ଷେତ୍ରରୁ ସପ୍ତମ ଓ ଅଷ୍ଟମ ଲୋକସଭା ଏବଂ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରୁ ଦ୍ବାଦଶ ଲୋକସଭାକୁ ପ୍ରତିନିଧିତ୍ବ କରିଥିଲେ। ଏପ୍ରିଲ ୧୯୯୬ରୁ ମାର୍ଚ ୧୯୯୮ ପର୍ଯ୍ୟନ୍ତ ରାଜ୍ୟସଭାର ସାଂସଦ ରହିଥିଲେ। ସେ ସଂସଦୀୟ ଆକଳନ କମିଟି, ମାନବ ବିକାଶ ସମ୍ବଳ ସଂପର୍କିତ ସଂସଦୀୟ କମିଟି ଏବଂ ସହରାଞ୍ଚଳ ଓ ଗ୍ରାମୀଣ ବିକାଶ ସମ୍ବନ୍ଧୀୟ ସଂସଦୀୟ କମିଟିର ସଦସ୍ୟା ରହିଥିଲେ।

ସେହିଭଳି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼୍‌ଙ୍କ ଦ୍ବାରା ଦିବଙ୍ଗତ ଜୟନ୍ତୀ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ସେ କହିଲେ ଯେ ସ୍ବର୍ଗତା ପଟ୍ଟନାୟକ ଜାତୀୟ ମହିଳା କମିଶନର ପ୍ରଥମ ଅଧ୍ୟକ୍ଷା ଭାବେ ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। କ୍ରୀଡ଼ାକୁ ପ୍ରୋତ୍ସାହନ କରିବା ଦିଗରେ ମଧ୍ୟ ତାଙ୍କର ଭୂମିକା ଥିଲା। ତାଙ୍କ ପରଲୋକରେ ଦେଶ ଜଣେ ଖ୍ୟାତନାମା ମହିଳା ସାମାଜିକ କର୍ମୀଙ୍କୁ ହରାଇଛି। ଉଭୟ ସଦନରେ ଜୟନ୍ତୀ ପଟ୍ଟନାୟକଙ୍କ ସମେତ ୧୩ ଜଣ ପୂର୍ବତନ ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧିତ ଖବର