ସମ୍ପତ୍ତି ଲୋଭରେ ପିଶାଚ ପାଲଟିଲା ପୁଅ: ଟିଭି ଅଭିନେତ୍ରୀ ବୀଣା କପୁରଙ୍କୁ ହତ୍ୟା

ନୂଆଦିଲ୍ଲୀ : ବରିଷ୍ଠ ଟିଭି ଅଭ‌ିନେତ୍ରୀ ବୀଣା କପୁରଙ୍କୁ ତାଙ୍କ ନିଜ ପୁଅ ସମ୍ପତ୍ତି ବିବାଦ ପାଇଁ ହତ୍ୟା କରିଛି। ୭୪ ବର୍ଷୀୟା ଅଭିନେତ୍ରୀଙ୍କୁ ତାଙ୍କ ପୁଅ ଏକ ବେସବଲ୍‌ ବ୍ୟାଟ୍‌ରେ ପିଟିପିଟି ମାରିବାପରେ ମୃତଦେହକୁ ନେଇ ନଦୀରେ ଫୋପାଡ଼ି ଦେଇଥିଲା। ବୀଣାଙ୍କ ହତ୍ୟାକାରୀ ପୁଅ ସଚିନ କପୁର (୪୩)ପୁଲିସ ଆଗରେ ନିଜ ଅପରାଧ ସ୍ବୀକାର କରିଛି। ୧୨ କୋଟି ଟଙ୍କାର ସମ୍ପତ୍ତି ପାଇଁ ସଚିନ କପୁରର ମା’ଙ୍କ ସହ ବଚସା ହୋଇଥିଲା। ଏଥିରେ ରାଗି ଯାଇ ସଚିନ ମା’ଙ୍କୁ ବ୍ୟାଟ୍‌ରେ ପିଟିଥିଲା। ଫଳରେ ବୀଣାଙ୍କର ମୃତ୍ୟୁ ହୋଇଯାଇଛି। ବୀଣାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଏହି ଘଟଣା ଘଟିଛି। ଜୁହୁ ପୁଲିସ ଏହି ମାମଲାରେ ସଚିନ କପୁର ଏବଂ ଘରୋଇ ସହାୟକ ଲାଲୁକୁମାର ମଣ୍ଡଳକୁ ଗିରଫ କରିଛି।

ପୁଲିସ ଅନୁଯାୟୀ ମଙ୍ଗଳବାର ରାତିରେ କଳ୍ପତରୁ ସୋସାଇଟିର ସିକ୍ୟୁରିଟି ସୁପରଭାଇଜର ଜୁହୁ ପୁଲିସକୁ ଫୋନ୍‌ କରି ବୀଣା କପୁର ନିଖୋଜ ଥିବା ଖବର ଦେଇଥିଲେ। ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏହାର ପରଦିନ ପୁଲିସ ସଚିନ କପୁର ଏବଂ ତା’ ଘରୋଇ ସହାୟକଙ୍କୁ ଡାକିଥିଲା। ପୁଲିସ ଆଗରେ ଉଭୟ ଅପରାଧ ସ୍ବୀକାର କରିଛନ୍ତି। ସଚିନ କପୁର ମା’ଙ୍କୁ ହତ୍ୟା କରିବା ପରେ ଅପରାଧ ଲୁଚାଇବାପାଇଁ ଘରଠାରୁ ୯୦ କିମି ଦୂର ରାୟଗଡ଼ ଜିଲ୍ଲାର ଏକ ନଦୀରେ ଶବ ଫୋପାଡ଼ି ଦେଇଥିଲା। ବୀଣାଙ୍କ ବଡ଼ ପୁଅ ଆମେରିକାରେ ରହନ୍ତି। ପୁଲିସ ଏହି ଘଟଣାରେ ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ୩୦୨, ୨୦୧ ଏବଂ ୩୪ ଅଧୀନରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର