ଏଭଳି ପରିସ୍ଥିତି ବି ଆସିବାର ଥିଲା; ଶ୍ମଶାନରେ ସ୍ଥାନ ନ ମିଳିବାରୁ ରାସ୍ତାରେ କରିବାକୁ ପଡ଼ିଲା ଅନ୍ତିମ ସଂସ୍କାର

ରାଞ୍ଚି: କରୋନା ଟିକା ଦେବା ଅଭିଯାନ ଜାରି ରହିଛି। ଏଭଳି ପରିସ୍ଥିତିରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଚିନ୍ତାର କାରଣ ପାଲଟିଛି। ଏଭଳି କ୍ରମରେ ଝାଡ଼ଖଣ୍ଡରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଲୋକଙ୍କ ଶବଦାହ ପାଇଁ ଶ୍ମଶାନରେ ଲମ୍ବା ଧାଡ଼ି ଲାଗି ରହୁଛି। ଏଭଳି ପରିସ୍ଥିତିରେ ଶବଦାହ ମେସିନ ବି ଖରାପ ହୋଇଯାଉଛି। ତେଣୁ ବାଧ୍ୟ ହୋଇ ଲୋକମାନେ ଖୋଲା ରାସ୍ତା ଅବା ଶ୍ମଶାନ ଘାଟର ପାର୍କିଂ ଅଞ୍ଚଳରେ ମୃତଦେହ ସଂସ୍କାର କରୁଥିବାର ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳୁଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଗତ ରବିବାର ରାଞ୍ଚିରେ ସର୍ବାଧିକ ୬୦ଜଣଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ସେଥିମଧ୍ୟରୁ ୧୨ଜଣ କରୋନା ଆକ୍ରାନ୍ତରେ ପ୍ରାଣ ହରାଇଥିଲେ। ଏସବୁ ମୃତଦେହକୁ ଘାଘରା ଶ୍ମଶାନରେ ସାମୁହିକ ଭାବେ ଦାହ କରାଯାଇଥିଲା। ସେହିପରି ରୁତୁରୋଡ ଏବଂ କାଣ୍ଟାଟୋଲି କବରସ୍ତାନରେ୧୩ଜଣଙ୍କ ମୃତଦେହକୁ କବର ଦିଆଯାଇଥିଲା। ତେବେ ମୃତକଙ୍କ ସଂଖ୍ୟା ଅଧିକ ହେବାରୁ ଲୋକେ ବାଧ୍ୟ ହୋଇ ହରମୁ ମୁକ୍ତିଧାମ ବାହାର ରାସ୍ତାରେ ଅନ୍ତିମ ସଂସ୍କାର କରିଥିଲେ। ଏହି ଘଟଣାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଫଟୋକୁ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ନିକଟରେ ହସ୍ପିଟାଲରେ ଜଣେ ବୃଦ୍ଧଙ୍କ କରୋନାରେ ମୃତ୍ୟୁ ହୋଇଯାଇଥିଲା। ଏହାପରେ ବୃଦ୍ଧଙ୍କ ପରିବାରଲୋକ ତାଙ୍କ ମୃତଦେହ ନେବାକୁ ମନା କରି ଦେଇଥିଲେ। ଏଭଳି ପରିସ୍ଥିତିରେ ଜଣେ ମୁସଲମାନ ବ୍ୟକ୍ତି ଚାରିଜଣଙ୍କ ସହିତ ମିଶି ପିପିଇ କିଟ ପିନ୍ଧି ବୃଦ୍ଧଙ୍କ ମୃତଦେହକୁ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ସଂସ୍କାର କରିଥିଲେ।

ସମ୍ବନ୍ଧିତ ଖବର