ଭୁଶୁଡ଼ିଗଲାଣି ଶିକ୍ଷା ବ୍ୟବସ୍ଥା : ଚିନ୍ତାଜନକସ୍ଥିତିରେ ଡ୍ରପ୍ ଆଉଟ୍ ହାର

‘ମୋ ସରକାର’ରେ କିଏ ଉତ୍ତରଦାୟୀ, କଳାପଟା ନାହିଁ, ଖେଳପଡିଆ, ପାଚେରି ବି

ଭୁବନେଶ୍ବର : ସଭିଏଁ ପଢ଼ନ୍ତୁ, ସଭିଏ ବଢ଼ନ୍ତୁ। ଏମିତି ସ୍ଲୋଗାନ ଦେଉଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ସରକାର ଏ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ୨୦୨୦-୨୧ ବଜେଟରେ ସରକାର ଦାବି କରିଛନ୍ତି ଯେ ମୋଟ ବଜେଟର ୧୨.୯% ଅର୍ଥ ଶିକ୍ଷା କ୍ଷେତ୍ରରେ ବ୍ୟୟ ହେଉଛି।

ହେଲେ ବାସ୍ତବତା କିଛି ଅଲଗା। ଗୋଟିଏ ପଟେ ଡ୍ରପ୍ ଆଉଟ୍ ସ୍ଥିତି ଚିନ୍ତାଜନକ ରହିଛି। ଅନ୍ୟପଟରେ ସରକାର ଗୁଣାତ୍ମକ ଶିକ୍ଷା ପାଇଁ ଶିକ୍ଷକ ଓ ଶ୍ରେଣୀ ଗୃହ ଯୋଗାଇ ପାରୁନାହାନ୍ତି; ଆନୁଷଙ୍ଗିକ ସୁବିଧା ଦେବା କ୍ଷେତ୍ରରେ ମଧ୍ୟ ବିଫଳ ହୋଇଛନ୍ତି। ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନିଜସ୍ବ ରିପୋର୍ଟ ମୁଣ୍ଡବିନ୍ଧା କଲାଭଳି। ଆଖିବୁଜା ସ୍କୁଲ ଖୋଲିବା ଲାଗି ଆଦୌ କାର୍ପଣ୍ୟ ଦେଖାଉନଥିବା ସରକାର କଳାପଟା ଠାରୁ ଆରମ୍ଭ କରି ପାଠାଗାର, ଖେଳପଡିଆ, ବିଦ୍ୟାଳୟରେ ପାଚେରି ନିର୍ମାଣ କରିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି।

ତଥ୍ୟାନୁସାରେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ୫୨ ହଜାର ୪୩୪ ପ୍ରାଥମିକ ବିଦ୍ୟାଳୟରେ ପିଇବା ପାଣିର ସୁବିଧା ରହିଛି। ହେଲେ ସେଥିରୁ ୩୪ ହଜାର ୩୯୪ଟି ବିଦ୍ୟାଳୟରେ ଥିବା ପାଇଖାନାକୁ ପାଣି ସୁବିଧା ଦିଆଯାଇ ପାରିନାହିଁ। ପୁରୀରେ ୧୮୯୬ଟି ବିଦ୍ୟାଳୟ ମଧ୍ୟରୁ ୧୪୭୦ଟିରେ ଏ ସୁବିଧା ନାହିଁ। ଖୋର୍ଧା ଜିଲ୍ଲା କ୍ଷେତ୍ରର ଚିତ୍ର ବି ସେମିତି। ଏଠାରେ ଥିବା ୧୩୦୬ ବିଦ୍ୟାଳୟ ମଧ୍ୟରୁ ଅଧାରୁ ଅଧିକ ଅର୍ଥାତ୍ ୭୦୧ଟି ବିଦ୍ୟାଳୟରେ ପାଇଖାନା ପାଣି ଯୋଗାଇବା ନେଇ ସରକାର ପଦକ୍ଷେପ ନେଇନାହାନ୍ତି। ହେଲେ ଗଜପତି ଜିଲ୍ଲାରେ ମାତ୍ର ୭ଟି ବିଦ୍ୟାଳୟ ବାକି ରହିଛି। ଅନୁଗୁଳ ଠାରୁ ମୟୂରଭଂଜ, ଝାରସୁୁଗୁଡା ଠାରୁ ଗଞ୍ଜାମ କୌଣସି ଗୋଟିଏ ଜିଲ୍ଲାରେ ସରକାର ଏହାକୁ ନିଶ୍ଚିତ କରିପାରି ନାହାନ୍ତି। ଏହାକୁ ନେଇ ବାରମ୍ବାର ପ୍ରକାଶ ପାଇଥିବା ଉଦ୍‌ବେଗ ସମ୍ଭବତଃ ରାଜ୍ୟ ସରକାରଙ୍କୁ ବ୍ୟଥିତ କରିପାରୁନାହିଁ।

କେବଳ ଏହି ଗୋଟିଏ କ୍ଷେତ୍ରରେ ଅସୁବିଧା ଅଛି ତା ବି ନୁହେଁ, ଏମିତି ୯୦ଟି ବିଦ୍ୟାଳୟ ରହିଛି ଯେଉଁଠାରେ କଳାପଟା ଟିଏ ବି ନାହିଁ। ଅନୁଗୁଳରେ ଏଭଳି ୯ଟି ବିଦ୍ୟାଳୟ ରହିଥିବା ବେଳେ ବାଲେଶ୍ବର, କଟକ, ନବରଙ୍ଗପୁରରେ ୨ଟି ଲେଖାଏଁ, ଢେଙ୍କାନାଳରେ ୩ଟି, ଗଞ୍ଜାମରେ ୨୦ଟି, ଜଗତସିଂହପୁରରେ ୧୦ଟି, ଯାଜପୁରରେ ୧୭ଟି, ନୟାଗଡରେ ୧୨ଟି ବିଦ୍ୟାଳୟ ରହିଛି। ବିଭାଗ ଯେଉଁ ଆଳ ଦେଖାଇଛି, ତାହା ଆଉ ଏକ ବିପଜ୍ଜନକ ଦିଗକୁ ଇଙ୍ଗିତ କରୁଛି। କୁହାଯାଇଛି ଯେ କଳାପଟା ନାହିଁ ଅର୍ଥ ସେଠାରେ ଶ୍ରେଣୀ ଗୃହ ନାହିଁ। ଅର୍ଥାତ୍ ସେସବୁ ଶ୍ରେଣୀରେ ପିଲାମାନେ କେମିତି ପଢୁଛନ୍ତି?

ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଥିବା ଆହୁରି ସାଂଘାତିକ ଘଳିଆ ସାମ୍ନାକୁ ଆସିଛି। ୩୫ ହଜାର ୬୭୯ଟି ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ନାହିଁ। ପିଲାଙ୍କ ଶାରୀରିକ ବ୍ୟାୟାମ ପାଇଁ ବି ସର୍ବନିମ୍ନ ସୁବିଧା ଯୋଗାଇ ଦେଇପାରି ନାହାନ୍ତି ସରକାର। ୩୭ ହଜାର ୬୪୫ଟି ବିଦ୍ୟାଳୟରେ ଖେଳପଡିଆ ନାହିଁ। ୨୪୫୧ଟି ବିଦ୍ୟାଳୟରେ ପିଲାଙ୍କ ପାଇଁ ପାଠାଗାର ସ୍ବପ୍ନ। ୧୬ ହଜାର ୩୪୮ଟି ବିଦ୍ୟାଳୟରେ ପାଚେରି ନିର୍ମାଣ କରିପାରି ନାହାନ୍ତି ସରକାର।

ଏଭଳିସ୍ଥିତିରେ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆକର୍ଷଣ କିଭଳି ରହିବ? ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସ୍ବୀକାର କରିଛନ୍ତି ଯେ ପ୍ରାଥମିକ ବିଦ୍ୟାଳୟରେ ଡ୍ରପ୍ ଆଉଟ୍ ଅର୍ଥାତ୍ ଅଧାରୁ ପାଠ ଛାଡୁଥିବା ହାର ୫.୪୨% ଥିବା ବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ହାର ୬.୯୩% ଓ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୫.୪୧% ରହିଛି। ଅର୍ଥାତ୍ ସବୁ ପିଲା ପାଠ ପଢିବାକୁ ଆସୁନାହାନ୍ତି, ଯେତିକି ଆସୁଛନ୍ତି ସେତିକି ବି ରହୁନାହାନ୍ତି। ରାୟଗଡା (୧୧.୬୭%), ମାଲକାନଗିରି (୭.୨୧%), କୋରାପୁଟ (୬.୨୭%) ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଡ୍ରପ୍ ଆଉଟ୍ ହାର ଏଭଳି ଉଦ୍‌ବେଗଜନକ ରହିଛି। ଉପକୂଳ ଜିଲ୍ଲା ସ୍ଥିତି ଆହୁରି ଗମ୍ଭୀର। ଖୋଦ୍ ରାଜଧାନୀ ଅନ୍ତର୍ଗତ ଖୋର୍ଧା ଜିଲ୍ଲାରେ ଏହି ହାର ୮.୧୯% ରହିଛି। ଯାଜପୁରରେ ଏହି ହାର ୮.୨୪%, କଟକରେ ୭.୭୮%, କେନ୍ଦ୍ରାପଡାରେ ୮.୯୩% ରହିଛି। ବଡ଼ ବାବୁମାନେ ରହୁଥିବା ଜିଲ୍ଲାର ସ୍ଥିତି ଏୟା। ଉଚ୍ଚ ପ୍ରାଥମିକ କ୍ଷେତ୍ରରେ ସ୍ଥିତି ବିପଜ୍ଜନକ। ପୁରୀରେ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଡ୍ରପ୍ ଆଉଟ୍ ହାର ୧୦. ୫୨% ରହିଥିବା ବେଳେ କେନ୍ଦ୍ରାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହା ୧୦.୯୭%, ନବରଙ୍ଗପୁରରେ ୧୧.୨୧%, ମାଲକାନଗିରିରେ ୧୩.୭୮%, ରାୟଗଡାରେ ୧୭.୧୦% ରହିଛି।

ଶିକ୍ଷା କ୍ଷେତ୍ରର ଏଭଳି ବିକଳ ଚିତ୍ର ପାଇଁ କାହାକୁ ଦାୟୀ କରାଯିବ? ମନ୍ତ୍ରୀ, ସଚିବ, ନିର୍ଦେଶକ ନା ଜିଲ୍ଲାର ବଡ଼ ବାବୁମାନେ ଉତ୍ତରଦାୟୀ ହେବେ? ମୋ ସରକାର କାର୍ଯ୍ୟକ୍ରମରେ ଏହା ନିର୍ଧାରଣ ହେବନି?

ସମ୍ବନ୍ଧିତ ଖବର