କଣ୍ଢେଇ ନାଚ !

ସରକାର ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷଣ କରିଛନ୍ତି କିନ୍ତୁ ଅନେକ କ୍ଷେତ୍ରରେ ମହିଳାମାନେ କଣ୍ଢେଇ ନାଚର କଣ୍ଢେଇଟିଏ ଭଳି ବ୍ୟବହୃତ ହେଉଛନ୍ତି !

ଏବେକା ରାଜନୀତିର ରଙ୍ଗଢ଼ଙ୍ଗ ଦେଖି ପିଲାଦିନେ ଆମେ ଦେଖିଥିବା କଣ୍ଢେଇ ନାଚ କଥା ମନେ ପଡ଼ିଯାଏ । ପରଦା ପଛପଟେ ଥାଇ ଅସଲି କଳାକାର କଣ୍ଢେଇଗୁଡ଼ିକର ହାତ, ଗୋଡ଼ ଓ ମୁଣ୍ଡରେ ବନ୍ଧା ହୋଇଥିବା ସୂତା ସାହାଯ୍ୟରେ ସେମାନଙ୍କୁ ନଚାନ୍ତି । ଆଉ ଆମକୁ ନିର୍ଜୀବ କଣ୍ଢେଇଗୁଡ଼ିକ ଜୀବନ୍ତ ଭଳି ଲାଗନ୍ତି! ଯଦି କଣ୍ଢେଇ ନାଚ ଦେଖଣାହାରୀଙ୍କୁ ଭଲ ଲାଗେ ତେବେ ବାହାବା ନିଅନ୍ତି ନାଚମାଷ୍ଟ୍ରେ । କଣ୍ଢେଇଗୁଡ଼ାଙ୍କୁ କେବେ କେହି ବାହାବା ଦେବା ଆପଣ ଦେଖିଛନ୍ତି?

ନା…ଦେଖି ନଥିବେ । ଆଉ ଏକଥା ବଖାଣିବା ପଛରେ ଠୋସ୍ କାରଣ ବି ରହିଛି । ତାହା ହେଲା ପାଖେଇ ଆସୁଥିବା ପଂଚାୟତ ଆଉ ପୌର ନିର୍ବାଚନ।

ଗତ ନିର୍ବାଚନ ବେଳର କଥା । ଆମ ଅଞ୍ଚଳର ୱାର୍ଡଟା ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଗଲା । ଯେଉଁ ବ୍ୟକ୍ତି ୱାର୍ଡମେମ୍ବର ଥିଲେ (ସାହି ହିସାବରେ ଆମର ଦାଦା ଲାଗିବେ) ସେ ନିଜର ଏକମାତ୍ର ପତ୍ନୀଙ୍କୁ ପ୍ରାର୍ଥୀ କରିଦେଲେ । ହେଲେ ତାଙ୍କ ପତ୍ନୀ ଅର୍ଥାତ୍ ଆମର ଖୁଡ଼ୀ ଥିଲେ ସଂପୂର୍ଣ୍ଣ ଭାବେ ଜଣେ ଘରୁଆ ସ୍ତ୍ରୀ ଲୋକ । ତାଙ୍କୁ ଏସବୁ ପସନ୍ଦ ନଥିଲା । କିନ୍ତୁ କ’ଣ କରାଯିବ? ଗେରସ୍ତ ରାଗୀ ଲୋକ, ତାଙ୍କ କଥାରୁ ଏପଟସେପଟ ହେବାର ପ୍ରଶ୍ନ ଉଠୁନି । ବର୍ଷକୁ ଦି’ଚାରିଥର ଘରୁ ବାହାରୁଥିବା ସ୍ତ୍ରୀ ଲୋକଟି ଘରକୁ ଘର ବୁଲି ଭୋଟ ମାଗିବାକୁ ଲାଗିଲେ।

ଅନଭ୍ୟସ୍ତ ଲୋକ ପାଇଁ ଏ କାମଟା ଜମାରୁ ସହଜ ନୁହେଁ, ପୁଣି ସହଜେ ମାଛିକୁ ମଁ କହି ଶିଖି ନଥିବା ଭଦ୍ରମହିଳା । ପ୍ରାର୍ଥୀନୀଙ୍କ ସହ ଘରକୁ ଘର ବୁଲୁଥିବା ଚେଲାଚାମୁଣ୍ଡା ତାଙ୍କ ସ୍ୱାମୀଙ୍କ ପାଖରେ ଫେରାଦ ହେଲେ କି ଭାଉଜ ଜମାରୁ ଲୋକଙ୍କ ଘର ଭିତରକୁ ଯାଉ ନାହାନ୍ତି ଦୁଆର ମୁହଁରୁ ଫେରିଆସୁଛନ୍ତି । ଏକଥା ଶୁଣି ସ୍ୱାମୀ କ୍ରୋଧରେ ନିଆଁବାଣ। ଏମିତି ହେଲେ ତ ହାତରୁ ୱାର୍ଡଟା ଖସିଯିବ।

ରାତିରେ ଘରକୁ ଫେରି ପତ୍ନୀଙ୍କ ଉପରେ ନାଲି ଆଖି ଦେଖେଇଲେ । ସାଇପଡ଼ିଶା ଫୁଟୁରୁଫାଟର ହେଲେ କି ଅଧରାତି ଯାଏଁ ତାଙ୍କ ଘରୁ ଉଚ୍ଚବାଚ୍ଚ ଶୁଣାଯାଉଥିଲା । ସେ ଯା ହେଉ, ତା’ ପରଦିନ ପ୍ରାର୍ଥୀନୀଙ୍କ ସହ ଘରକୁ ଘର ବୁଲିବା ଆରମ୍ଭ କଲେ ପତି ମହୋଦୟ । ଆମେ ଦେଖିଲୁ ସେ ପତ୍ନୀଙ୍କୁ ଗମ୍ଭୀର ଗଳାରେ ତୁହାକୁ ତୁହା ହୁକୁମ୍ ଝାଡ଼ୁଥାଆନ୍ତି- “ଇଏ ମାଉସୀ ହେବେ ତାଙ୍କ ଗୋଡ଼ ଛୁଁ । ଯା’ ସେ ଘର ଭିତରକୁ, ସେଠି ଆଈ ଖଟିଆରେ ପଡ଼ିଛି ତା’ ଗୋଡ଼ ଆଉଁସି ଦେଇ ଆ.. । ମଳିକ ଘର ପିଲା ନାକରୁ ସିଂଘାଣି ବୋହୁଛି ତୋ କାନିରେ ପୋଛିଦେ ।” ଆଉ ପ୍ରାର୍ଥୀନୀ ଜଣକ ଚୁପଚାପ ସବୁ ପାଳନ କରି ଚାଲିଥାଆନ୍ତି କିଣା ଚାକରାଣୀଟିଏ ଭଳି।

ଆଉ ଦିନକର କଥା । ସାହିକୁ ଆସିଲେ କିଛି ମିଡ଼ିଆବାଲା । ସ୍ତ୍ରୀକୁ ପଦବିରେ ରଖି କ୍ଷମତା ଉପଭୋଗ କରିବାକୁ ଯୋଜନା ଚଳାଇଥିବା ଦାଦା ଜଣକ ଇସ୍ତ୍ରୀକରା ଖଦଡ଼ ପଂଜାବୀ ପିନ୍ଧି କ୍ୟାମେରାରେ ମୁହଁ ଦେଖାଇବା ପାଇଁ ପୂରା ତୟାର । କିନ୍ତୁ ସାମ୍ବାଦିକମାନେ ତ ବୋକା ନୁହନ୍ତି । ଜଣେ ତାଙ୍କୁ ପଚାରିଲେ – ଆପଣ କ’ଣ ପ୍ରାର୍ଥୀ?

“ନା..ମୁଁ ତାଙ୍କ ସ୍ୱାମୀ । ଗତ ଇଲେକସନରେ ମୁଁ ମେମ୍ବରଥିଲି ଏଥର ତ ରିଜର୍ଭ ହୋଇଗଲା । ସେ ମାଇପି ଲୋକ କ୍ୟାମେରା ସାମ୍ନାରେ କ’ଣ ଛିଡ଼ାହେଇପାରିବ?” ଦାଦା ସଫେଇ ଦେଲେ।

“ପ୍ରାର୍ଥୀଙ୍କୁ ଡ଼ାକନ୍ତୁ, ଯାହା କହିବା କଥା ସିଏ କହିବେ ନା, ଆପଣ କହିଲେ କେମିତି ହେବ?” ସାମ୍ବାଦିକଙ୍କର ଏଇ କଥାପଦକ ଶୁଣି ଦାଦାଙ୍କ ମୁହଁ ଆମ୍ବିଳା ହେଇଗଲା । ବିଚରା ନସରପସର ହୋଇ ଘରକୁ ଧାଇଁଲେ । ଯା’ହେଉ, ଅଳ୍ପ କେଇ ମିନିଟ୍ ଭିତରେ ଖୁଡ଼ୀଙ୍କୁ ଧରି ହାଜର ହେଲେ । ଆରମ୍ଭ ହେଲା ସୁଟିଂ । କ’ଣ ହଉଛି ଦେଖିବା ପାଇଁ ସାହିଲୋକେ ଭିଡ଼ ଜମାଇଦେଲେ । କାମସାରି ସାମ୍ବାଦିକମାନେ ବାହୁଡ଼ିଗଲେ । ଲୋକଭିଡ଼ ବି ଟିକେ ପତଳା ହେଇଗଲା।

ଏଇ ସମୟରେ ଶୁଣାଗଲା ଦାଦାଙ୍କ ରଡ଼ି- “କିମିତିଆ ଲୋକଟେ ତୁ । ତୋ ପାଟିରୁ ଦି’ପଦ କଥା ବାହାରୁନି । ଘରେ କେଡ଼େକେଡ଼େ କଥା କହୁଛୁ ଆଉ ମିଡ଼ିଆ ବାଲାଙ୍କ ସାମ୍ନାରେ ତୋ ପାଟି ଖନିମାରିଯାଉଛି । ଶଃ.. ମୋ ଇଜ୍ଜତ ମହତ ସାରିଲୁ ।”

ବିଚାରୀ ଖୁଡ଼ୀ ସାହି ଦାଣ୍ଡରେ ଅଶ୍ରାବ୍ୟ ଭାଷାର ଗାଳି ଖାଇଖାଇ ମୁହଁକୁ ତଳକୁ ପୋତି ଘର ଆଡ଼କୁ ଯାଉଥିବା ବେଳେ ଆମେ ଭାବୁଥିଲୁ- ଇଏ କ’ଣ ଆମ ଗଣତନ୍ତ୍ରରେ ମହିଳାଙ୍କୁ ମିଳିଥିବା ଭାଗଦାରୀର ଅସଲ ସ୍ୱରୂପ?

କାହିଁକି ନା; ଏହା କେବଳ ଆମ ସାହିର କଥା ନୁହେଁ, ଆମ ରାଜ୍ୟରେ ଏମିତି ଅନେକ ସାହି ଅଛି। ଇଏ ମାତ୍ର ଭାତହାଣ୍ଡିରୁ ଗୋଟିଏ । ଯଦିଓ ସରକାର ମହିଳା ସଶକ୍ତୀକରଣ ନାଁରେ ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷଣ କରିଛନ୍ତି କିନ୍ତୁ ଅନେକ କ୍ଷେତ୍ରରେ ମହିଳାମାନେ କଣ୍ଢେଇ ନାଚର କଣ୍ଢେଇଟିଏ ଭଳି ବ୍ୟବହୃତ ହେଉଛନ୍ତି।

ଆଉ କେତେଦିନ ଚାଲିବ ଏଇ କଣ୍ଢେଇ ନାଚ? ହାଏରେ ଆମ ଗଣତନ୍ତ୍ର ଆଉ ନାରୀ ସ୍ୱାଧୀନତା !!

-ଧୃତିକାମ ମହାନ୍ତି

ସମ୍ବନ୍ଧିତ ଖବର