ଲକଡାଉନ୍ ବେଳେ ଫିଟନେସ୍ ମନ୍ତ୍ର: ଦିନକୁ ଦିଅନ୍ତୁ ଘଣ୍ଟାଏ, କରନ୍ତୁ ଏହି ୫ଟି କାମ

ନୂଆଦିଲ୍ଲୀ: ସାରା ବିଶ୍ୱରେ ପ୍ରାୟ ୭ ଲକ୍ଷରୁ ଅଧିକ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଏବେ ସଂଗ୍ରାମ କରୁଛନ୍ତି । ଏହି ମହାମାରୀ ଭୂତାଣୁର ଶିକାର ହୋଇ ବର୍ତ୍ତମାନ ସୁଦ୍ଧା ୩୮ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇସାରିଲାଣି । ଯାହାଫଳରେ ବର୍ତ୍ତମାନ ଅନେକ ଦେଶରେ ଲକଡାଉନ କଟକଣା ଲାଗୁ କରିଦିଆଯାଇଛି । ହେଲେ ଲକଡାଉନ୍ ସମୟରେ ଘରେ ବନ୍ଦୀ ରହିବା କାରଣରୁ ଲୋକଙ୍କ ଶରୀରରେ ଏହାର ଗଭୀର ପ୍ରଭାବ ଦେଖିବାକୁ ମିଳୁଛି । ଏଥି ସହିତ ଲୋକମାନଙ୍କର ମାନସିକସ୍ଥିତି ମଧ୍ୟ ବିଗିଡିବାର ଯଥେଷ୍ଟ ସମ୍ଭାବନା ରହିଛି ।

ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ଲୋକଙ୍କ ଉଭୟ ଶାରୀରିକ ଏବଂ ମାନସିକ ସ୍ଥିତିକୁ ନଜରରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଛି । ଯେଉଁଥିରେ ଲୋକଙ୍କୁ ଶାରିରୀକ ସୁସ୍ଥ ରହିବା ପାଇଁ ଅତି କମରେ ୩୦ ମିନିଟ୍ କାଳ ନିଜ ପାଇଁ ସମୟ ଦେବାକୁ ପଡିବ ବୋଲି ପରାମର୍ଶ ଦିଆଯାଇଛି । ସେହପରି ଛୋଟ ପିଲାଙ୍କୁ ୧ ଘଣ୍ଟା ପାଇଁ ଶାରୀରିକ ବ୍ୟାୟାମ ଥିବା କାମ କରିବାକୁ ମଧ୍ୟ କୁହାଯାଇଛି ।

ପ୍ରତିଦିନ ୧ ଘଣ୍ଟାରେ କରନ୍ତୁ ୫ଟି କାମ: 

• ଦୈନିକ ନିଜ ରୁଚିର ବିଷୟ ନେଇ ୧ ଘଣ୍ଟା ଅନଲାଇନ୍ କ୍ଲାସ କରିପାରିବେ ।  ବ୍ୟାୟାମ, ପ୍ରାଣାୟାମ ତଥା ବିଭିନ୍ନ ପ୍ରକାରର ୱାର୍କଆଉଟ୍ ଦେଖି ଏହାକୁ ଅଭ୍ୟାସ କରି ନିଜକୁ ଫିଟ୍ ରଖିପାରିବେ ।

• ସେହପରି ଉଭୟ ଶାରୀରିକ ଏବଂ ମାନସିକ ରୋଗରୁ ଦୂରେଇ ରହିବା ପାଇଁ ଆପଣ ପ୍ରତିଦିନ ଘରେ ରହି ନାଚଗୀତ ଭଳି ମନୋରଞ୍ଜନାତ୍ମକ    କାମ କରିପାରିବେ । ପାଖାପାଖି ୩୦ ମିନିଟ୍ ନାଚ କରିବା ଦ୍ୱାରା ଆପଣ ବହୁ ମାତ୍ରାରେ କ୍ୟାଲୋରୀ ମଧ୍ୟ ହ୍ରାସ କରିପାରିବେ ।

• ସ୍ମାର୍ଟଫୋନରେ ଭିଡିଓ ଗେମ୍ .ଖେଳିବା  ବ୍ୟତୀତ ଫିଜିକାଲି ଫିଟ୍ ରହିବା ପାଇଁ ଅନେକ ଛୋଟ ବଡ ଖେଳ ଘରେ ରହି ହିଁ ଖେଳି ପାରିବେ । ଚେସ୍, ଲୁଡୋ ଏବଂ କ୍ୟାରମ୍ ଛଡା ଆପଣ ପିଲାମାନଙ୍କ ସହ ଫୁଟବଲ କିମ୍ବା ବ୍ୟାଡମିଣ୍ଟନ୍ ମଧ୍ୟ ଖେଳିପାରିବେ ।

• ଏହି ସମୟରେ ସ୍କିପିଂ ବି ଶରୀର ପାଇଁ ବେଶ୍ ଲାଭଦାୟକ ପ୍ରମାଣିତ ହୋଇପାରେ । ଏହାଦ୍ୱାରା ଆପଣ ଫିଜିକାଲି ମଧ୍ୟ ଆକ୍ଟିଭ ରହିବେ ଏବଂ ଝାଳ ବାହାରିବା ଦ୍ୱାରା ଆପଣଙ୍କୁ ଅବସାଦ ମୁକ୍ତ ହୋଇପାରିବେ ।

• ମସଲ ଷ୍ଟ୍ରେଚିଂ ଏବଂ ବାଲାନ୍ସ ଟ୍ରେନିଂ ଭଳି ଏକ୍ସରସାଇଜ ଆପଣ ଘରେ ବସି କରିପାରିବେ । ଏଥିପାଇଁ ଆପଣଙ୍କୁ ଜିମ କିମ୍ବା ଫିଟନେସ ସେଂଟରର ଉପକରଣର ମଧ୍ୟ ଆବଶ୍ୟକତା ପଡିବ ନାହିଁ ।

ସମ୍ବନ୍ଧିତ ଖବର