ଶ୍ରୀଅରବିନ୍ଦଙ୍କ ଜୀବନ-ସଂଗୀତ

ଶ୍ରୀଅରବିନ୍ଦ ଆମ ଦେଶର ବିଖ୍ୟାତ ରାଜନୈତିକ ବିପ୍ଳବୀ ଓ ଅଧ୍ୟାତ୍ମବାଦୀ ସାଧକ। ଗୋଟିଏ ଦିବ୍ୟ ସଂଯୋଗ ହେଉଛି- ଯେଉଁ ଦେଶକୁ ବିଦେଶୀ ଶାସନରୁ ମୁକ୍ତ କରିବାପାଇଁ ସେ ବିପ୍ଳବୀର ଭୂମିକା ନେଇଥିଲେ, ଆମର ଦେଶ, ସେହି ଭାରତବର୍ଷ, ତାଙ୍କରି ଜନ୍ମଦିନ ୧୫ ଅଗଷ୍ଟରେ ହିଁ ସ୍ୱାଧୀନ ହୋଇଥିଲା।

୧୫ ଅଗଷ୍ଟ ୧୮୭୨ରେ ଶ୍ରୀଅରବିନ୍ଦଙ୍କର ଜନ୍ମ। ବିଦେଶ (ଲଣ୍ଡନ)ରେ ଉଚ୍ଚଶିକ୍ଷା ଲାଭ କରି, ‘ଆଇ.ସି.ଏସ୍‌’ ପରି ଉଚ୍ଚ ସରକାରୀ ଚାକିରି ପାଇଥିଲେ ମଧ୍ୟ, ସେ ‘ବନ୍ଦେ ମାତରଂ’ ନାମକ ଏକ ପତ୍ରିକାର ସଂପାଦକ ହୋଇଥିଲେ। ଦେଶର ଇଂରେଜ ସରକାର ୧୯୦୮ରେ ତାଙ୍କୁ ରାଜଦ୍ରୋହୀ ଓ ଷଡ଼ଯନ୍ତ୍ରକାରୀ ଭାବରେ ଅଭିଯୁକ୍ତ କରି କାରାଦଣ୍ଡ ଦେଇଥିଲେ। କିନ୍ତୁ ପରେ ସେ ନିରପରାଧ ସାବ୍ୟସ୍ତ ହୋଇଥିଲେ।

ସେହି ଜେଲରେ ଥିବାବେଳେ ହିଁ ତାଙ୍କ ଭିତରେ ଆଧ୍ୟାତ୍ମିକ ଅନୁସନ୍ଧିତ୍ସା ଜାଗ୍ରତ ହୋଇଥିଲା ଏବଂ ସେହି ଦିଗରେ ହିଁ ସେ ନିଜର ଅବଶିଷ୍ଟ ଜୀବନକୁ ପରିଚାଳିତ କରିଥିଲେ। ପଣ୍ଡିଚେରୀଠାରେ ଆଶ୍ରମ ପ୍ରତିଷ୍ଠା କରି ସେ ଯୋଗସାଧନା କରିବା ସହିତ, ଉଚ୍ଚ ଦାର୍ଶନିକ ତତ୍ତ୍ୱ ସମ୍ବଳିତ ଅନେକ ଉଚ୍ଚକୋଟୀର ଲେଖା ଲେଖିଥିଲେ। ସେସବୁ ମଧ୍ୟରେ ‘ଗୀତା’ ବିଷୟକ ପ୍ରବନ୍ଧାବଳୀ ଏବଂ ‘ଦିବ୍ୟଜୀବନ’ ଓ ‘ସାବିତ୍ରୀ’ ପରି ଗ୍ରନ୍ଥ ସୁପ୍ରସିଦ୍ଧ।

ଆମ ଜୀବନକୁ ତଥା ଏ ପୃଥିବୀର ସମସ୍ତ ମନୁଷ୍ୟଙ୍କୁ ଉଚ୍ଚତର ଓ ମହତ୍ତର କରିବାପାଇଁ, ତାଙ୍କର ରଚନା ଓ ବାଣୀରେ ରହିଛି ଅନେକ ଅମୂଲ୍ୟ ମାର୍ଗନିର୍ଦ୍ଦେଶ। ଏପରି ଗୋଟିଏ ବାଣୀରେ ସେ ଜୀବନକୁ ସଂଗୀତ ସହ ତୁଳନା କରିଛନ୍ତି। ସେ କହିଛନ୍ତି- ପ୍ରେମ ବା ଭଲ ପାଇବା ହେଉଛି ସେହି ସଂଗୀତର ସ୍ୱରଲିପି। ଆନନ୍ଦ ହେଉଛି ସେହି ସଂଗୀତ। ଦିବ୍ୟଜ୍ଞାନ ହେଉଛି ତାର ଗାୟକ ଏବଂ ଅସୀମ ଓ ଅନନ୍ତ ପରମାତ୍ମା ହେଉଛନ୍ତି ସେହି ସଂଗୀତର ସୁରକାର ଏବଂ ଶ୍ରୋତା।

ଶ୍ରୀ ଅରବିନ୍ଦଙ୍କର ଏହି ବାଣୀର ସାରମର୍ମ ହେଉଛି- ଭଗବାନ ଆମକୁ ଏ ପୃଥିବୀକୁ ପଠାଇଛନ୍ତି ପ୍ରେମ ବା ସଂପ୍ରୀତିର ସଂଗୀତ ଗାଇବାପାଇଁ। ଦିବ୍ୟଜ୍ଞାନର ପ୍ରେରଣାରେ ସେହି ସଂଗୀତ ଗାଇଲେ ହିଁ ତାହାର ସୁରକାର ପରମେଶ୍ୱର ପରମାତ୍ମାଙ୍କୁ ଆମେ ପ୍ରୀତ କରିପାରିବା। ସେ ହିଁ ଆମର ଏହି ସଂଗୀତର ଶ୍ରୋତା।

ସମ୍ବନ୍ଧିତ ଖବର