ବାର୍ଦ୍ଧକ୍ୟରେ ଅନିଦ୍ରା: କାରଣ ଓ ପ୍ରତିକାର
ମଧୁମେହ, ଶ୍ୱାସ, ହୃଦରୋଗ, ସ୍ନାୟୁ ରୋଗ, ଅଷ୍ଟିଓଆର୍ଥ୍ରାଇଟିସ, ପାର୍କିନ୍ସନ୍ ଆଦି ବାର୍ଦ୍ଧକ୍ୟଜନିତ ଅନିଦ୍ରାର ମୁଖ୍ୟ କାରଣ। ଏଥିପାଇଁ ରାତିରେ ବାରମ୍ବାର ପରିସ୍ରା ଲାଗେ। ଭଲ ନିଦ ହୁଏ ନାହିଁ। ଋତୁସ୍ରାବ ବନ୍ଦ ପରେ ମହିଳାମାନେ ଅନିଦ୍ରା ସମସ୍ୟାରେ ପଡ଼ନ୍ତି। ଅନିଦ୍ରା କାରଣରୁ ସ୍ମୃତିହୀନତା, ଅବସାଦ, ମାନସିକ ଅସ୍ଥିରତା, ଉଦ୍ବେଗ ବଢ଼େ। ଦିନରେ ନିଦ ଓ ଆଳସ୍ୟ ଲାଗେ। ଶାରୀରିକ ପରିଶ୍ରମର ଅଭାବ, ସାମାଜିକ ସ୍ତରରେ କମ୍ ମିଳାମିଶା ଏହି ସମସ୍ୟାକୁ ବଢ଼ାଇଦିଏ। କୋଳାହଳପୂର୍ଣ୍ଣ ଘରୋଇ ପରିବେଶ, ଅତି ବେଶି ଥଣ୍ଡା କିଂବା ଗରମ, ଅଧିକ ଆଲୋକ, ଟେଲିଭିଜନ୍ର ଅଧିକ ଧ୍ୱନି ଆଦି ଅନିଦ୍ରା କରାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ ଓ ବ୍ୟକ୍ତିଗତ ସାବଧାନତା ଦ୍ୱାରା ଅନିଦ୍ରାରୁ ରକ୍ଷା ମିଳିପାରିବ।
Sambad is now on WhatsApp
Join and get latest news updates delivered to you via WhatsApp
ରାତ୍ରିଭୋଜନ, ଶୋଇବା ଓ ସକାଳେ ଉଠିବାର ଏକ ନିର୍ଦ୍ଦିଷ୍ଟ ସମୟ ରଖନ୍ତୁ। ଖାଇବାର ଦୁଇ ଘଣ୍ଟା ପରେ ବିଛଣାକୁ ଯାଆନ୍ତୁ। ଆଲୋକ ଓ ବାୟୁ ଚଳାଚଳ ଘରେ ଶୁଅନ୍ତୁ। ପରିଷ୍କାର ବିଛଣା ଓ ଶୋଇବା ଘରେ ନିଦ ଭଲ ହୁଏ। ଶୋଇବା ପୂର୍ବରୁ ଆରାମ ଲାଗିବା ଭଳି କିଛି କାମ କରିପାରନ୍ତି; ଯେପରି ଉଷୁମ ପାଣିରେ ଦେହ-ହାତ ପୋଛି ହେବା, ଗୀତ ଶୁଣିବା, ବହି ପଢ଼ିବା ଇତ୍ୟାଦି। ତମାଖୁ, ଭାଙ୍ଗ, ସିଗାରେଟ୍, ମଦ ଆଦି ନିଶା ପାନ କରନ୍ତୁନାହିଁ, ଏହା ଅନିଦ୍ରା କରାଏ। ରାତିରେ ତେଲ-ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁନାହିଁ। ନିଦ ନହେଲେ ବିଛଣାରେ ପଡ଼ି ନ ରହି, ଉଠିଯାଆନ୍ତ, କିଛି କାମ କରନ୍ତୁ। ନିଦ ଲାଗିଲେ ବିଛଣାକୁ ଆସିବେ। ବାରମ୍ବାର ଘଣ୍ଟା ଦେଖନ୍ତୁନାହିଁ। ଏହା ଦ୍ୱାରା ବ୍ୟସ୍ତତା ବଢ଼େ ଓ ନିଦ ଆସିବାରେ ବିଳମ୍ବ ହୁଏ। ଦ୍ୱିପ୍ରହରରେ କିଂବା ସନ୍ଧ୍ୟାରେ ଆଦ ଶୁଅନ୍ତୁନାହିଁ। ଶୋଇବା ପୂର୍ବରୁ ଟେଲିଭିଜନ୍ ଦେଖନ୍ତୁନାହିଁ, ଫୋନ୍ରେ କଥା ହୁଅନ୍ତୁନାହିଁ। ପ୍ରତି ଦିନ କିଛି ସମୟ ସୂର୍ଯ୍ୟଲୋକରେ ବସନ୍ତୁ। ଶାରୀରିକ ପରିଶ୍ରମ କରନ୍ତୁ। ଯୋଗ, ବ୍ୟାୟାମ, ପ୍ରାଣାୟାମ ଅଭ୍ୟାସ ସୁନିଦ୍ରା କରାଏ।