ଯୌନ କ୍ଷମତା ବଢାଇବାକୁ ଭାଏଗ୍ରା ଖାଉଛନ୍ତି କି? ଆସିପାରେ ହାର୍ଟଆଟାକ

ପରାମର୍ଶ ଦେଇଛନ୍ତି ୟୁରୋଲୋଜିଷ୍ଟ ଡ଼.ପବିତ୍ର କୁମାର ମିଶ୍ର

ଭୁବନେଶ୍ୱର: ଯୌନ ଶକ୍ତି ବୃଦ୍ଧି ପାଇଁ ଭାଏଗ୍ରା ଏକ ଔଷଧ ଭାବରେ ବେଶ ଜଣାଶୁଣା | ଲୋକମାନଙ୍କ ମଧ୍ୟରେ ଏହି ଔଷଧଟି ବେଶ୍ ଲୋକପ୍ରିୟ ହୋଇଥିବାବେଳେ ଡାକ୍ତରଙ୍କ ପରାମର୍ଶ ବିନା ଏହି ଔଷଧ ବ୍ୟବହାର କରିବା ଦ୍ୱାରା ହୃଦଘାତ ଭଳି ସମସ୍ୟା ଉପୁଜିପାରେ | ନିକଟରେ ଭାରତରେ ଭାଏଗ୍ରା ସମ୍ବନ୍ଧୀୟ ଦୁଇଟି ଏମିତି ଖବର ସାମ୍ନାକୁ ଆସିଛି ଯାହାକି ଆପଣଙ୍କୁ ଏହି ମେଡିସିନର ଅପକାରିତା ବାବଦରେ ଭାବିବାକୁ ବାଧ୍ୟ କରିବ। ଜୁନ୍ ୪ରେ, ଉତ୍ତରପ୍ରଦେଶ ପ୍ରୟାଗରାଜର ଜଣେ ୨୮ ବର୍ଷୀୟ ଯୁବକଙ୍କୁ ଦୁଇଥର ଗୁପ୍ତାଙ୍ଗ ଅସ୍ତ୍ରୋପଚାର କରିବାକୁ ପଡିଥିଲା | କୁହାଯାଉଛି ଯେ ସେ ଭାଏଗ୍ରାର ଓଭରଡୋଜ ନେଇଥିଲେ। ଏଥି ସହିତ, ଜୁଲାଇ ୩ ରେ ନାଗପୁରର ଏକ ହୋଟେଲରେ ହୃଦଘାତରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଏହି ଯୁବକ ଜଣକ ହୋଟେଲରେ ତାଙ୍କ ପ୍ରେମିକାଙ୍କ ସମ୍ପର୍କ ରଖୁଥିବାବେଳେ ତଳେ ପଡ଼ିଯାଇଥିଲେ। ସେହି ଯୁବକଙ୍କ ପକେଟରୁ ଭାଏଗ୍ରା ଔଷଧ ମିଳିଥିଲା | ଆଉ ବିଶେଷଜ୍ଞ କହିଥିଲେ ଯେ ଭାଏଗ୍ରାର ଓଭରଡୋଜ ଯୋଗୁଁ ତାଙ୍କୁ ହୃଦଘାତ ଆସିଥିଲା ଓ ତାଙ୍କ ଜୀବନ ଚାଲିଯାଇଥିଲା | ତେବେ ଭାଏଗ୍ରା ଖାଇବା ଆପଣଙ୍କ ପାଇଁ କେତେ ବିପଜ୍ଜନକ ହୋଇପାରେ ପରାମର୍ଶ ଦେଇଛନ୍ତି ୟୁରୋଲୋଜିଷ୍ଟ ଡ଼.ପବିତ୍ର କୁମାର ମିଶ୍ରଙ୍କଠାରୁ ଜାଣନ୍ତୁ |

ଭାଏଗ୍ରା କ’ଣ?
ଭାଏଗ୍ରା ଔଷଧକୁ ଇରେକ୍ଟାଇଲ୍ ଡିସଫଙ୍କସନର ଚିକିତ୍ସା ପାଇଁ ଲୋକମାନେ ବ୍ୟବହାର କରନ୍ତି | କେବଳ ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ ଲୋକ ଏହି ଔଷଧ କିଣି ପାରିବେ | ସରଳ ଭାଷାରେ, କହିବାକୁ ଗଲେ ଏହାକୁ ଖାଇବା ଦ୍ୱାରା ଗୁପ୍ତାଙ୍ଗକୁ ରକ୍ତ ସଂଚାଳନ ବଢ଼ିଯାଇଥାଏ | ତଥାପି, ବିଶେଷଜ୍ଞଙ୍କ ପରାମର୍ଶ ବିନା ଏହି ଔଷଧ ଖାଇବା ଅତ୍ୟନ୍ତ କ୍ଷତିକାରକ | ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ ଭାଏଗ୍ରା ମୁଖ୍ୟତଃ ରକ୍ତ ପ୍ରବାହକୁ ବଢ଼ାଇଥାଏ | ଚିକିତ୍ସା ସମୟରେ ଏହା ୩୦ ରୁ ୧୦୦ ମି.ଗ୍ରା ଦିଆଯାଏ | ଯେତେବେଳେ ଏହି ଔଷଧକୁ ଅଧିକ ମାତ୍ରାରେ କେହି ଖାଇଥାନ୍ତି, ସେତେବେଳେ ରକ୍ତଚାପ କମିଯାଏ |

ରକ୍ତଚାପ ଏତେ କମ୍ ହୋଇଯାଏ ଯେ ହୃଦୟ ଏବଂ ମସ୍ତିଷ୍କକୁ ରକ୍ତ ଯୋଗାଣ ବନ୍ଦ ହୋଇଯାଏ | ଯେଉଁମାନଙ୍କର ହୃତପିଣ୍ଡ ସହ ଜଡିତ ସମସ୍ୟା ରହିଛି ସେମାନଙ୍କୁ ବହୁତ କମ ପରିମାଣର ଭାଏଗ୍ରା ଦିଆଯାଇଥାଏ | ଭାଏଗ୍ରା ନେବା ପୂର୍ବରୁ, ଆପଣଙ୍କର ବୟସ, ଆପଣ ପୂର୍ବରୁ ଖାଉଥିବା ଔଷଧ ଏବଂ ଯଦି ଆପଣଙ୍କର କୌଣସି ରୋଗ ଅଛି ତେବେ ବିଶେଷଜ୍ଞଙ୍କୁ କୁହନ୍ତୁ | ବିନା ଡାକ୍ତରଙ୍କ ପରାମର୍ଶରେ ମନଇଚ୍ଛା ଏହି ଔଷଧ ଖାଇବା ଦ୍ୱାରା ଅନେକ ପାର୍ଶ୍ୱ ପ୍ରତିକ୍ରିୟା(ଆଲର୍ଜି, ଦୃଷ୍ଟିଶକ୍ତି କମିଯିବା, ନିମ୍ନ ରକ୍ତଚାପ, ହୃଦଘାତ) ଦେଖାଯାଇଥାଏ |

ସମ୍ବନ୍ଧିତ ଖବର