ଲକ୍ଷ୍ମୀ-ନୃସିଂହଙ୍କର ଚାରିପୁତ୍ର ସତ୍ୟ, ଧର୍ମ, ଦୟା ଓ ଜ୍ଞାନ

ପୀତାମ୍ବର ଦାଶ ବିରଚିତ ‘ନୃସିଂହ ପୁରାଣ’ ଅନୁସାରେ, ଲକ୍ଷ୍ମୀ-ନୃସିଂହଙ୍କର ଚାରିପୁତ୍ର ହେଉଛନ୍ତି- ସତ୍ୟ, ଧର୍ମ, ଦୟା ଓ ଜ୍ଞାନ। ଈଶ୍ୱରଙ୍କ ଅଂଶରୁ ସତ୍ୟ, ବିଷ୍ଣୁଙ୍କର ଅଂଶରୁ ଧର୍ମ, ବିଧାତାଙ୍କ ଅଂଶରୁ ଦୟା ଏବଂ ନିରଞ୍ଜନଙ୍କ ଅଂଶରୁ ଜ୍ଞାନ ଜାତ ହୋଇଥିଲେ। ଏହି ଚାରିପୁତ୍ରଙ୍କ ସଂପର୍କରେ ଶ୍ରୀନୃସିଂହ ଲକ୍ଷ୍ମୀଙ୍କୁ କହିଛନ୍ତି- ଯେ ପର୍ଯ୍ୟନ୍ତ ଚନ୍ଦ୍ରସୂର୍ଯ୍ୟ ଥିବେ, ସେ ପର୍ଯ୍ୟନ୍ତ ଏହି ଚାରିପୁତ୍ର ପୃଥିବୀରେ ରହିଥିବେ। ଲକ୍ଷ୍ମୀଙ୍କ ମୁଖପଦ୍ମରୁ ଜାତ ଏ ଚାରିପୁତ୍ର ଏ ସଂସାରର ହିତପାଇଁ ଅବତାର ଗ୍ରହଣ କରିଛନ୍ତି ଏବଂ ଏହାଙ୍କୁ ଆଶ୍ରା କଲେ ଲୋକେ ସଂସାରରୁ ତରିଯିବେ। ଏହି ପ୍ରସଙ୍ଗରେ ଏହି ଚାରିପୁତ୍ର, ଅର୍ଥାତ୍‌- ସତ୍ୟ, ଧର୍ମ, ଦୟା ଓ ଜ୍ଞାନ କେଉଁଠି ରହନ୍ତି, ତାହା ଶ୍ରୀନୃସିଂହ ଲକ୍ଷ୍ମୀଙ୍କୁ କହିଛନ୍ତି। ତାହା ହେଉଛି- ଯେଉଁ ପୁତ୍ରର ନାମ ସତ୍ୟ, ସେ ସର୍ବଦା ସତ୍ୟ କହିବ ଓ ସତ୍ୟରେ ରହିବ। ସମସ୍ତଙ୍କର ଜିହ୍ୱାରେ ବସି ସେ ବାକ୍ୟ ପ୍ରକାଶ କରିବ। ଯେଉଁ ବ୍ୟକ୍ତି ସତ୍ୟ ବଚନ ପାଳିବେ, ଲକ୍ଷ୍ମୀ କେବେ ତାହାଙ୍କର କାନ୍ଧ ଛାଡ଼ି ଚାଲିଯିବେ ନାହିଁ। ତାଙ୍କୁ ଶ୍ରୀନୃସିଂହ ନିଜେ ଜଗି ରହିବେ ଏବଂ ତାଙ୍କୁ ଘୋର କ୍ଳେଶ ପଡ଼ିଲେ ମଧ୍ୟ ତାହା ଅଳ୍ପକେ ତୁଟିଯିବ।

ସେହିପରି ଧର୍ମ। ଏ ପୁତ୍ର ଲକ୍ଷ୍ମୀଙ୍କର କର୍ଣ୍ଣରୁ ଜାତ। ତେଣୁ ଲୋକେ କାନରେ ଶୁଣି, ଧର୍ମ କରିବେ। ଧର୍ମ ସବୁ ଲୋକଙ୍କ ହାତରେ ରହିବ ଏବଂ ଯେଉଁ ହାତ ଧର୍ମ କରିବ ନାହିଁ ସେ ହାତ କ୍ଷାର ଭୂମି ପରି ହୋଇଯିବ। ସେଥିରେ ପତ୍ରଟିଏ ବି କଅଁଳିବ ନାହିଁ। ଧର୍ମ କଲା ଲୋକ ଯଶ ଓ କୀର୍ତ୍ତି ଲାଭ କରି ଚିର ଅମର ରହିବ।

ଦୟା ନାମକ ପୁତ୍ରର ବାସସ୍ଥାନ ହେଉଛି ହୃଦୟ। ଯେ ଦୟାବନ୍ତ ସେ ଚିରସୁଖୀ ହେବ। ଦୟାବନ୍ତ ଲୋକଙ୍କ ଯୋଗୁଁ ଏ ପୃଥିବୀ ଚାଲିବ। ଦୟାବନ୍ତ ଲୋକେ ବିଷ୍ଣୁଙ୍କୁ ପାଇବେ ଏବଂ ନିର୍ଦ୍ଦୟ ଲୋକେ ନର୍କଭୋଗ କରିବେ।

ସେହିପରି, ଜ୍ଞାନ ନାମକ ପୁତ୍ର କଥା ମଧ୍ୟ ଶ୍ରୀନୃସିଂହ ଲକ୍ଷ୍ମୀଙ୍କୁ କହିଛନ୍ତି। ତାଙ୍କ ଅନୁସାରେ- ଜ୍ଞାନ ଏ ସଂସାରରେ ଶ୍ରେଷ୍ଠ। ଯେ ଅଜ୍ଞାନ ସେ କେବଳ ମୂର୍ଖ ନୁହେଁ, ସେ ଶବ ତୁଲ୍ୟ । ଯେ ଜ୍ଞାନୀ ସେ ସାକ୍ଷାତ୍ ବିଷ୍ଣୁଦେହୀ।

ଶ୍ରୀନୃସିଂହଙ୍କଠାରୁ ଏହା ଶୁଣି, ଦେବୀ ଲକ୍ଷ୍ମୀ ଚାରିପୁତ୍ରଙ୍କୁ କୋଳରେ ଧରି ସେମାନଙ୍କର ମୁଖ ଚୁମ୍ବନ କଲେ ଏବଂ କହିଲେ- “ହେ ମୋର ପୁତ୍ରମାନେ, ତୁମେ ଯେଉଁଠି ରହିବ ମୁଁ ମଧ୍ୟ ସେଠି ରହିବି। ଯାହାଙ୍କଠାରେ ତୁମେ ଥିବ ସେ କେବେବି ହତଶ୍ରୀ ହେବ ନାହିଁ।

ସମ୍ବନ୍ଧିତ ଖବର