ଭୁବନେଶ୍ବରରେ ଯୁକ୍ତ୨ ପରୀକ୍ଷା ଫଳ: ବିଜେବି, ବେସିକ୍‌ ସାଇନ୍ସ ଆଗରେ

୯୦% ରଖିପାରିଲେନି ରମାଦେବୀ, ରାଜଧାନୀ, ମହର୍ଷି ବିଦ୍ୟାର୍ଥୀ

ଭୁବନେଶ୍ବର: ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା‌ରେ ରାଜଧାନୀର ନାମକରା ଶିକ୍ଷାନୁଷ୍ଠାନଗୁଡ଼ିକ ପୁଣିଥରେ ଦବଦବା ଜାହିର କରିଛନ୍ତି। ରାଜ୍ୟର ପ୍ରଥମ ୧୦ଟି ସ୍ଥାନରେ ଅଧିକାଂଶ ଛାତ୍ରଛାତ୍ରୀ ରହିଛନ୍ତି। ସେଲ୍ଫ ଫାଇନାନ୍ସିଂ କ‌ଲେଜର ଏକାଧିକ ଛାତ୍ରଛାତ୍ରୀ ୫୫୦ରୁ ଅଧିକ ନମ୍ବର ରଖି ନିଜର ପରିଆରା ପ୍ରଦର୍ଶନ ଜାରି ରଖିଛନ୍ତି। ବିଜ୍ଞାନ ବିଭାଗରେ ରାଜ୍ୟର ୩୫୮ଜଣ ଛାତ୍ରଛାତ୍ରୀ ୫୪୦ରୁ ଅଧିକ ନମ୍ବର ରଖିଥିବା ବେଳେ ସେଥିରୁ ଶତାଧିକ କେବଳ ଭୁବନେଶ୍ବରର ବୋଲି ଜଣାପଡ଼ିଛି।

ବିଜେବି କଲେଜ ଛାତ୍ରୀ ବର୍ଷାରାଣୀ ସ୍ବାଇଁ ୫୬୪ ନମ୍ବର ରଖି କଲେଜ ଟପ୍‌ର ହେବା ସହ ରାଜ୍ୟର ଶ୍ରେଷ୍ଠ ୧୦ ମେଧାବୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ବିଦ୍ୟାଳୟର ଆଉ ତିନିଜଣ ବିଜ୍ଞାନ ପରୀକ୍ଷାର୍ଥୀ ୫୪୦ ନମ୍ବର ରଖି ବିଜେବିର ଗୌରବ ବଜାୟ ରଖିଛନ୍ତି। ବାଣିଜ୍ୟରେ ବି ୫୪୦ରୁ ୫୪୭ ନମ୍ବର ମଧ୍ୟରେ ୫ଜଣ ଛାତ୍ରଛାତ୍ରୀ ରହିବା ଚର୍ଚ୍ଚାର ବିଷୟ ପାଲଟିଛି। ବେସିକ୍‌ ସାଇନ୍ସ କଲେଜ ଛାତ୍ର ସ୍ବୟଂ ଶୁଭମ୍ ପତି ୫୬୦ ନମ୍ବର ରଖି ମେଧାବୀ ତାଲିକାରେ ସ୍ଥାନ ପାଇଛନ୍ତି। ଯୁକ୍ତ୨ ବିଜ୍ଞାନ ନାମଲେଖା ସମୟରେ କଟ୍‌ ଅଫ୍‌ ମାର୍କରେ ସବୁଠାରୁ ଆଗରେ ରହୁଥିବା ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହର୍ଷି କଲେଜ ଅଫ୍‌ ନାଚ୍ୟୁରାଲ ଲ’, ରାଜଧାନୀ କଲେଜର କୌଣସି ବି ଛାତ୍ରଛାତ୍ରୀ ୯୦% ରଖିବାରେ ସଫଳ ହୋଇନାହାନ୍ତି। ଏପରିକି ‌ଶ୍ରେଷ୍ଠ ଶହେରେ ଉକ୍ତ ତିନୋଟି କଲେଜରେ ଜଣେ କି ଦୁଇ ଜଣ ରହିଥିବା ଜଣାପଡ଼ିଛି। କେତେକ ସେଲ୍ଫ ଫାଇନାନ୍ସିଂ କ‌ଲେଜ ପୂର୍ବ ସଫଳତା ଦୋହରାଇବା ସହ ପୁଣିଥରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ବର ଓ ଏହାର ଉପକଣ୍ଠରେ ଥିବା ୫ଟି କଲେଜର ପାସ୍‌ହାର ଶତ ପ୍ରତିଶତ ହୋଇଛି। ତେବେ ଏଥର ଦୁଇଟି ସେଲ୍ଫ ଫାଇନାନ୍ସିଂ କଲେଜର ଜଣେ ବି ହେଲେ ଛାତ୍ରଛାତ୍ରୀ ପାସ୍‌ ନ କରିବା ଚିନ୍ତା ବଢ଼ାଇଛି। ଏଥର ସହରର ସେଲ୍ଫ ଫାଇନା‌ନ୍ସିଂ କଲେଜର ଛାତ୍ରଛାତ୍ରୀ ପୂର୍ବଭଳି ୯୦%ରୁ ଅଧିକ ମାର୍କ ରଖିପାରି ନ ଥିବା ଜଣାପଡ଼ିଛି।

ଶିକ୍ଷାବିତ୍‌ଙ୍କ ମତରେ କେବଳ ବିଜେବି କିମ୍ବା ବେସିକ୍‌ ସାଇନ୍ସ କଲେଜ ଭଲ ପ୍ରଦର୍ଶନ କଲେ ଯେ ସରକାରୀ ଶିକ୍ଷାନୁଷ୍ଠାନ ଭଲ ପ୍ରଦର୍ଶନ କରୁଛନ୍ତି କହିବା ଠିକ୍‌ ହେବନି। ରାଜଧାନୀରେ ଥିବା ଆହୁରି ୧୨ କଲେଜର ରେଜଲ୍ଟ ଆଶାନୁରୂପ ହୋଇନାହିଁ। ସରକାରୀ କଲେଜଗୁଡ଼ିକର ଭିତ୍ତିଭୂମି ଏବେ ବି ଦୁର୍ବଳ ରହିଛି। ଆଗଭଳି ଆଉ ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରୁନାହାନ୍ତି। ଛାତ୍ରୀଙ୍କ ଶିକ୍ଷାର ପ୍ରାଣକେନ୍ଦ୍ର ରମାଦେବୀ ମହିଳା କଲେଜର ଛାତ୍ରୀ ୯୦%ରୁ ଅଧିକ ନମ୍ବର ନ ରଖିବା ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ପଦାରେ ପକାଉଛି। ମାଟ୍ରିକ୍‌ରେ ‘ଏ୧’ ଗ୍ରେଡ୍‌ ହାସଲ କରୁଥିବା ଛାତ୍ରଛାତ୍ରୀ ସରକାରୀ କଲେଜରେ ପଢ଼ୁଥିବା ବେଳେ ପରବର୍ତୀ ସମୟରେ କାହିଁକି ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି ତାହା ଉପରେ ଚିନ୍ତା କରିବାର ସମୟ ଆସିଛି।

ରୟାଲ୍‌ କଲେଜ ଅଫ୍‌ ସାଇନ୍ସ୍‌ ଆଣ୍ଡ୍‌ ଟେକ୍ନୋଲୋଜି

ଭୁବନେଶ୍ବରସ୍ଥିତ ରୟାଲ୍‌ ହାୟର୍‌ ସେକେଣ୍ଡାରି ସ୍କୁଲ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ବିଜ୍ଞାନ ବିଭାଗରେ ଶତ ପ୍ରତିଶତ ସଫଳତା ହାସଲ କରିଛି। ପରୀକ୍ଷା ଦେଇଥିବା ୧୮୭ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୫ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୧ଜଣ ଦ୍ବିତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ର ମୋହନଜିତ୍‌ ଶତପଥୀ ସର୍ବାଧିକ ୫୬୩ ନମ୍ବର ରଖି କଲେଜ ଟପର୍‌ ହୋଇଛନ୍ତି। ୫ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଥିବାବେଳେ ୩୮ଜଣ ଛାତ୍ରଛାତ୍ରୀ ୫୦୦ରୁ ଅଧିକ ନମ୍ବର ରଖିଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ନେଇ ଅଧ୍ୟକ୍ଷ ବିଷ୍ଣୁମୋହନ ମହାନ୍ତି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଆଦ୍ୟାନ୍ତ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ଯୁକ୍ତ୨ ବିଜ୍ଞାନ ବିଭାଗ ପରୀକ୍ଷାରେ ଆଦ୍ୟାନ୍ତ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମୀନାକ୍ଷୀ ସାହୁ ୯୨.୮୩% ନମ୍ବର ରଖି ଶିକ୍ଷାନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି। ଏହାବ୍ୟତୀତ ସାଇ ଶାନ୍ତନୁ ଦାସ ୯୨.୩୩ %, ସାହିଲ ସତ୍ୟପ୍ରକାଶ ସାମଲ ୯୨.୧୬%, ଆୟୁଷ୍ମାନ ଦତ୍ତ ୯୧.୬୬% ନମ୍ବର ରଖିଛନ୍ତି। ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ୧୩ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି ଆଦ୍ୟାନ୍ତ ଶିକ୍ଷାନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି। ଆଦ୍ୟାନ୍ତ ଅଧ୍ୟକ୍ଷ ଅଜୟ ବାହାଦୂର ସିଂ ଏହି ସଫଳତାର ଶ୍ରେୟ ସମସ୍ତ ଅଭିଭାବକ, ଛାତ୍ରଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକାଙ୍କୁ ଦେଇଛନ୍ତି। ଏଥିସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

ବିଜେବି: ବାଣିଜ୍ୟରେ ୮୮%, ବିଜ୍ଞାନରେ ୮୫% ପାସ୍‌

Sambad English

ରାଜ୍ୟର ଅଗ୍ରଣୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ପରିଗଣିତ ହେଉଥିବା ବିଜେବିର ବାଣିଜ୍ୟରେ ୮୮% ଏବଂ ବିଜ୍ଞାନରେ ୮୫% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ବାଣିଜ୍ୟରେ ୩୬୯ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ୩୨୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ୨୪୯ଜଣ ପ୍ରଥମ, ୪୪ଜଣ ଦ୍ବିତୀୟ ଓ ୩୩ଜଣ ତୃତୀୟ ସ୍ଥାନରେ ରହିଛନ୍ତି। ସୋନାଲୀ ପ୍ରିୟଦର୍ଶିନୀ ବେହେରା ୫୪୭ ନମ୍ବର ରଖି ବାଣିଜ୍ୟ ବିଭାଗ ଟପ୍‌ର ହୋଇଥିବା ବେଳେ ଦେବାଶିଷ ସାହୁ ୫୪୩, ରଶ୍ମିତା ପାଲ୍‌ ୫୪୧, ଇଷା ଇପ୍‌ସିତା ସାହୁ ଓ ସ୍ନେହାଶିଷ କସ୍ତା ୫୪୦ ନମ୍ବର ରଖିଛନ୍ତି। ସେହିପରି ବଜ୍ଞାନରେ ୫୩୨ଜଣ ପଞ୍ଜୀକରଣ କରିଥିବା ବେଳେ ୪୫୪ଜଣ ପାସ୍‌ କରିଛନ୍ତି। ୩୫୯ଜଣ ପ୍ରଥମ, ୮୮ଜଣ ଦ୍ବିତୀୟ ଓ ୭ଜଣ ତୃତୀୟ ସ୍ଥାନ ପାଇଛନ୍ତି। ବର୍ଷାରାଣୀ ସ୍ବାଇଁ ୫୬୪ ନମ୍ବର ରଖି ବିଜ୍ଞାନ ବିଭାଗରେ ଟପର୍‌ ହୋଇଛନ୍ତି। ବିମଳ ରାଉତ ୫୫୬, ଶୁଭାସୀଂ ମିଶ୍ର ୫୪୬ ଓ ଗୋପାଳ ଦାଶ ୫୪୪ ନମ୍ବର ରଖିଛନ୍ତି।

ରମାଦେବୀରେ ସତ୍ୟଶ୍ରୀ ଓ ଲକ୍ଷ୍ମୀପ୍ରିୟା ଆଗରେ

ବିଜ୍ଞାନ ବିଭାଗର ପ୍ରଥମ ଶ୍ରେଣୀରେ ୧୮୫ ଜଣ ପାସ୍‌ କରିଥିବା ବେଳେ ଦ୍ୱିତୀୟରେ ୧୧୪ ଓ ତୃତୀୟ ଶ୍ରେଣୀରେ ୪୦ ଜଣ ପାସ୍‌ କରିଛନ୍ତି। ସତ୍ୟଶ୍ରୀ କରଣ ୫୦୭ ନମ୍ୱର ରଖି ବିଭାଗ ଟପର୍‌ ହୋଇଛନ୍ତି। ସେହିପରି ବାଣିଜ୍ୟର ପ୍ରଥମ ଶ୍ରେଣୀରେ ୧୧୩, ଦ୍ୱିତୀୟରେ ୪୫ ଓ ତୃତୀୟରେ ୪୫ ଜଣ ପାସ୍‌ କରିଛନ୍ତି। ଲକ୍ଷ୍ମୀପ୍ରିୟା ଦାସ ୫୩୮ ନମ୍ୱର ରଖି ବିଭାଗ ଟପ୍‌ର ହୋଇଛନ୍ତି।

ରାଜଧାନୀରେ ଆରିୟନ୍‌ ରଖିଲେ ୫୩୫

ଚଳିତବର୍ଷ ବିଜ୍ଞାନରେ ୩୮୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୭୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। କଲେଜର ଆର୍‌ୟନ୍‌ ପଟ୍ଟନାୟକ ୫୩୫ ନମ୍ବର ରଖି କଲେଜରେ ପ୍ରଥମ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୧୦୨ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ୪୮ଜଣ ଦ୍ବିତୀୟ ଓ ୪୮ଜଣ ତୃତୀୟରେ ରହିଛନ୍ତି। ବାଣିଜ୍ୟରେ ୧୨୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯୯ ଜଣ ପାସ୍‌ କରିଛନ୍ତି। ୫୧୬ ନମ୍ବର ରଖି ସାଇ ଦତ୍ତମ୍‌ ପଣ୍ତା ପ୍ରଥମ ହୋଇଛନ୍ତି। ୫୨ଜଣ ଛାତ୍ରଛାତ୍ରୀ ପ୍ରଥମ, ୨୭ଜଣ ଦ୍ବିତୀୟ ଓ ୨୦ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଅରୁଣ କୁମାର ସାମଲ ଶୁଭେଚ୍ଛା ଜଣାଇଛନ୍ତି।

ସ୍ବୟଂ ଶୁଭମ୍ ବେସିକ୍ ସାଇନ୍ସ ଟପ୍‌ର

ବେସିକ୍‌ ସାଇନ୍ସ କଲେଜ ଏଥର ମଧ୍ୟ ପୂର୍ବ ସଫଳତା ଦୋହରାଇଛି। ଚଳିତବର୍ଷ ଏଠାରେ ୩୭୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୩୯ ଜଣ ପ୍ରଥମ, ୭୭ଜଣ ଦ୍ବିତୀୟ, ୧୩ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ଛାତ୍ର ସ୍ବୟଂ ଶୁଭମ୍ ପତି ୫୬୦ ନମ୍ବର ରଖି କଲେଜ୍‌ ଟପର୍‌ ହୋଇଛନ୍ତି।

ମହର୍ଷି କଲେଜ ଅଫ୍‌ ନାଚୁରାଲ ଲ’

ବିଜ୍ଞାନ ବିଭାଗରେ ପ୍ରଥମ ଶ୍ରେଣୀରେ ୧୨୧, ଦ୍ୱିତୀୟରେ ୧୫୦, ତୃତୀୟ ଶ୍ରେଣୀରେ ୪୭ ଜଣ ପାସ୍‌ କରିଛନ୍ତି। ସ୍ମୃତି ରଞ୍ଜନ ସାହୁ ୫୧୯ ନମ୍ୱର ରଖି କଲେଜ ଟପର୍‌ ହୋଇଛନ୍ତି। ବାଣିଜ୍ୟ ବିଭାଗର ପ୍ରଥମ ଶ୍ରେଣୀରେ ୪୭, ଦ୍ୱିତୀୟ ଶ୍ରେଣୀରେ ୨୮ଜଣ, ତୃତୀୟ ଶ୍ରେଣୀରେ ୨୪ ଜଣ ପାସ୍‌ କରିଛନ୍ତି। ପ୍ରାର୍ଥନା ଶୁଭଦର୍ଶିନୀ ୫୨୯ ନମ୍ୱର ରଖି ଟପର୍‌ ହୋଇଛନ୍ତି।

କମଳା ନେହରୁ ମହିଳା ମହାବିଦ୍ୟାଳୟ

99Entranceexam

କମଳା ନେହରୁ ମହିଳା ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ପ୍ରଥମ ଶ୍ରେଣୀରେ ୩୬ ଜଣ, ଦ୍ୱିତୀୟ ଶ୍ରେଣୀରେ ୩୩ ଜଣ, ତୃତୀୟ ଶ୍ରେଣୀରେ ୧୭ ଜଣ ପାସ୍‌ କରିଛନ୍ତି। ସେହିପରି ବାଣିଜ୍ୟ ବିଭାଗରେ ପ୍ରଥମ ଶ୍ରେଣୀରେ ୧୩ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୩ ଜଣ, ତୃତୀୟ ଶ୍ରେଣୀରେ ୯ ଜଣ ପାସ୍‌ କରିଛନ୍ତି।

ବିଜୁ ପଟ୍ଟନାୟକ କଲେଜ ଅଫ୍‌ ସାଇନ୍ସ ଆଣ୍ଡ ଏଜୁକେସନ

କଲେଜର ବାଣିଜ୍ୟ ବିଭାଗରେ ପ୍ରଥମ ଶ୍ରେଣୀରେ ୨୨ଜଣ, ଦ୍ୱିତୀୟ ଶ୍ରେଣୀରେ ୧୭ ଜଣ, ତୃତୀୟ ଶ୍ରେଣୀରେ ୨୩ ଜଣ ପାସ୍‌ କରିଛନ୍ତି। ଲକି କୋଠାରୀ ୫୦୧ ନମ୍ୱର ରଖି ବିଭାଗରେ ପ୍ରଥମ ସ୍ଥାନରେ ରହିଛନ୍ତି। ସେହିପରି ବିଜ୍ଞାନ ବିଭାଗରେ ପ୍ରଥମ ଶ୍ରେଣୀରେ ୨୮ ଜଣ, ଦ୍ୱିତୀୟ ଶ୍ରେଣୀରେ ୫୬ ଜଣ, ତୃତୀୟ ଶ୍ରେଣୀରେ ୨୪ ଜଣ ପାସ୍‌ କରିଛନ୍ତି। ପ୍ରୀତି ପ୍ରଜ୍ଞା ପଣ୍ଡା ୪୮୨ ନମ୍ୱର ରଖି ବିଭାଗ ଟପର୍‌ ହୋଇଛନ୍ତି।

ଏକାମ୍ରରେ ନିରୋଜ ବରାଳ ବାଣିଜ୍ୟ ଟପର୍‌

ଏଠାରେ ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ୭୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୩ଜଣ କୃତକାର୍ଯ୍ୟ ହୋଇଛନ୍ତି। ୧୯ଜଣ ପ୍ରଥମ, ୧୫ଜଣ ଦ୍ବିତୀୟ ଓ ୨୯ଜଣ ତୃତୀୟ ସ୍ଥାନରେ ରହିଛନ୍ତି। ନିରୋଜ ବରାଳ ୫୧୬ ନମ୍ବର ରଖି ବିଦ୍ୟାଳୟ ଟପର୍‌ ହୋଇଛନ୍ତି। ବିଜ୍ଞାନ ବିଭାଗରେ ୬୮ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୯ ଜଣ ପ୍ରଥମ, ୧୭ ଜଣ ଦ୍ବିତୀୟ ଓ ୧୭ଜଣ ତୃତୀୟ ସ୍ଥାନରେ ରହିଛନ୍ତି। ୪୭୮ ନମ୍ବର ରଖି ସ୍ବାଗତ ବିଦିକା କଲେଜ ଟପର୍‌ ହୋଇଛନ୍ତି। ବିଦ୍ୟାଳୟ ଅଧ୍ୟକ୍ଷା କ୍ରିଷ୍ଣା ମହାନ୍ତି, ଅଧ୍ୟାପିକା ପୁଷ୍ପପ୍ରଭା ଦାଶ, ଅଧ୍ୟାପକ ସଂଜୀବ ମହାନ୍ତି ଓ ତାପସ ସାହୁ ଛାତ୍ରଛାତ୍ରୀଙ୍କୁ ବଧେଇ ଜଣାଇଛନ୍ତି।

ସମ୍ବନ୍ଧିତ ଖବର