ଧାରା ୩୭୦ ଶୁଣାଣି ଟଳିଲା, ତ୍ରୁଟିପୂର୍ଣ୍ଣ ଆବେଦନ ପାଇଁ ଭର୍ତ୍ସନା

ନୂଆଦିଲ୍ଲୀ: ଧାରା ୩୭୦ ହଟାଯିବାକୁ ବିରୋଧ କରି ସୁପ୍ରିମ୍‌ କୋର୍ଟରେ ଅନେକ ଆବେଦନ ହୋଇଥିବା ବେଳେ ଏଗୁଡ଼ିକୁ ତ୍ରୁଟିପୂର୍ଣ୍ଣ ଏବଂ ବିଭ୍ରାନ୍ତି ସୃଷ୍ଟିକାରୀ ବୋଲି ଦର୍ଶାଇ ଆଜି କୋର୍ଟ ଏ ବାବଦ ଶୁଣାଣିକୁ ଟାଳି ଦେଇଛନ୍ତି। ଅନେକ କ୍ଷେତ୍ରରେ ଆବେଦନକାରୀ ନିଜ ଆବେଦନର ଉଦ୍ଦେଶ୍ୟ ମଧ୍ୟ ଜାଣି ପାରିନାହାନ୍ତି ବୋଲି କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗଇ କହିଥିଲେ ଯେ ଆବେଦନଗୁଡ଼ିକୁ ତନ୍ନ ତନ୍ନ କରି ପଢ଼ିବା ପରେ ମଧ୍ୟ କିଛି ବୁଝା ପଡ଼ୁନାହିଁ। ଯଦି ଆବେଦନକାରୀମାନେ ଏ କ୍ଷେତ୍ରରେ ପୁଣି ଆବେଦନ ଦାଖଲ କରିବେ ତା’ହେଲେ ଶୁଣାଣି ଆସନ୍ତା ସପ୍ତାହରେ ହୋଇପାରିବ ବୋଲି ପ୍ରଧାନ ବିଚାରପତିପତି କହିଥିଲେ । ଜଣେ ପ୍ରମୁଖ ଆବେଦନକାରୀ ଏମ୍‌ଏଲ୍ ଶର୍ମାଙ୍କୁ ପ୍ରଧାନ ବିଚାରପତି କହିଥିଲେ ଯେ ଆପଣ କ’ଣ ସାବ୍ୟସ୍ତ କରିବାକୁ ଚାହୁଛନ୍ତି ଏବଂ କେଉଁଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତାହା ପ୍ରଥମେ ଆବେଦନରେ ସ୍ପଷ୍ଟ କରନ୍ତୁ। ଆବେଦନ ନାମରେ ଯାହା ସହୁ କୋର୍ଟରେ ଦାଖଲ କରାଯାଇଛି ତାହା କ’ଣ ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ। ପ୍ରଥମେ ନିଜର ତ୍ରୁଟି ସୁଧାରିବା ଆବଶ୍ୟକ। ଯଦି ପ୍ରଥମ ଆବେଦନ ଖାରଜ ହେବ ତା’ହେଲେ ଦ୍ବିତୀୟ ଆବେଦନରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି ପ୍ରଧାନ ବିଚାରପତି କହିଥିଲେ।

କଶ୍ମୀର ଟାଇମ୍ସ ସଂପାଦକ ଅନୁରାଧା ଭସିନ ଗଣମାଧ୍ୟମ ଉପରେ ଲଗାଯାଇଥିବା କଟକଣା ହଟାଇବାକୁ ଆବେଦନ କରିଥିଲେ। ଏ ସଂକ୍ରାନ୍ତରେ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ କହିଥିଲେ, ଜମ୍ମୁ କଶ୍ମୀରରେ କୌଣସି ଖବରକାଗଜ ପ୍ରକାଶନ ଉପରେ କୌଣସି କଟକଣା ନାହିଁ। ‌ଅନ୍ୟ ଯେଉଁ ସୁରକ୍ଷା ବାବଦ କଟକଣା ଲାଗୁ ହୋଇଛି ତାହା ଧୀରେ ଧୀରେ ହଟାଯାଉଛି । ପ୍ରତିଦିନ ପରିସ୍ଥିତିକୁ ଦେଖି ପଦକ୍ଷେପ ନିଆଯାଉଛି ବୋଲି ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି।

ସମ୍ବନ୍ଧିତ ଖବର