‘ବାଘ ବଜାରୀ’ର ପୋଷ୍ଟର୍‌, ଟ୍ରେଲର୍‌ ରିଲିଜ୍‌

ଭୁବନେଶ୍ବର: ମଣିଷର ହିଂସ୍ର ଆଚରଣ ଓ ଓଡ଼ିଶାରେ ଚାଲିଥିବା ବନ୍ୟଜନ୍ତୁ ଚାଲାଣକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର ‘ବାଘ ବଜାରୀ (ଡ୍ୟାନ୍ସ ଅଫ୍‌ ଟାଇଗର୍ସ)’ର ପୋଷ୍ଟର୍‌ ଓ ଟ୍ରେଲର୍‌ ମୁକ୍ତିଲାଭ କରିଛି। ଏନେଇ ଗୀତଗୋବିନ୍ଦ ସଦନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରମେୟର ସଂପାଦକ ଗୋପାଳକୃଷ୍ଣ ମହାପାତ୍ର ମୁଖ୍ୟ ଅତିଥି, ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ପ୍ରଣବ ଦାସ, ନାଟ୍ୟକାର ବିଜୟ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚଳଚ୍ଚିତ୍ରର ପୋଷ୍ଟର ଓ ଟ୍ରେଲର୍‌ ରିଲିଜ୍‌ କରିଥିଲେ। ଏଥିସହ ଅତିଥି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଏହାର ପ୍ରଥମ ସ୍କ୍ରିନିଂ କରାଯାଇଥିଲା।

ଚଳଚ୍ଚିତ୍ରର ବିଷୟ ଏହିପରି; ୪ଜଣ ବନ୍ଧୁ ସେମାନଙ୍କ ବାଲ୍ୟକାଳର ଶିକ୍ଷକଙ୍କୁ ଦେଖା କରିବା ପାଇଁ ବାହାରିଛନ୍ତି। ହେଲେ ଘଟଣାଚକ୍ରରେ ସେମାନେ ବାଘବଜାରୀ ଖେଳର ଛକାପଞ୍ଝା ମଧ୍ୟରେ ଫସି ଯାଇଛନ୍ତି। ଓଡ଼ିଶାର ଜଙ୍ଗଲରୁ ଗୋଟିଏ ପରେ ଗୋଟିଏ ବନ୍ୟଜନ୍ତୁଙ୍କୁ ହତ୍ୟା କରାଯାଉଛି। ବିଭିନ୍ନ ସମୟରେ ବାଘ ଛାଲ ଜବତ ହେଉଛି। ୱାଇଲଡ୍‌ ଲାଇଫ୍‌ ଟ୍ରାଫିକିଂ ଓଡ଼ିଶା ପାଇଁ କିଭଳି ଏକ ବଡ଼ ସମସ୍ୟା ହୋଇ ଉଭା ହେଲାଣି, ସେସବୁ କଥା ଫିଲ୍ମଟିର କାହାଣୀରେ ଦେଖିବାକୁ ମିଳିଛି।

ଚଳଚ୍ଚିତ୍ରରେ ଲୋକପ୍ରିୟ ଅଭିନେତା ହର ରଥ, ପ୍ରୀତିରାଜ ଶତପଥୀ, ଚିତ୍ତରଞ୍ଜନ ବିଶ୍ବାଳ, ତିଳୋତ୍ତମା ସାହୁ, ବୁଲୁ ପଣ୍ଡା, ଜୟନ୍ତ ସାନ୍ତରା, ଶିବାନୀ ଖରା, ଦୁର୍ଯ୍ୟୋଧନ, ଦେବଦତ୍ତ ପ୍ରଧାନ ପ୍ରମୁଖ ଅଭିନୟ କରିଛନ୍ତି। ଭଞ୍ଜନଗରର ପ୍ରସିଦ୍ଧ ମହେନ୍ଦ୍ର ପାତ୍ରଙ୍କ ବାଘ ନାଚ ଗ୍ରୁପ୍‌କୁ ଏଥିରେ ସାମିଲ କରାଯାଇଛି। ଶ୍ରୁତିରେଖା ମିଶ୍ରଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର କାହାଣୀ ଓ ଚିତ୍ରନାଟ୍ୟ ମିହିର ରଞ୍ଜନ ଆଚାର୍ଯ୍ୟ ଲେଖିଛନ୍ତି। ଦେବଦତ୍ତ ପ୍ରଧାନ ଓ ମିହିର ରଞ୍ଜନ ଆଚାର୍ଯ୍ୟ ମିଳିତ ଭାବେ ନିର୍ଦ୍ଦେଶନା ଦେଇଛନ୍ତି। ବିଭୁପ୍ରସାଦ ମିଶ୍ର ଚିତ୍ର ଉତ୍ତୋଳନ କରିଛନ୍ତି। ଚଳଚ୍ଚିତ୍ରରେ ଥିବା ୨ଟି ଗୀତ ରଚନା ଓ ସଙ୍ଗୀତ ନାଟ୍ୟକାର ବିଜୟ ଦାସ ଦେଇଛନ୍ତି। ଘଣ୍ଟାଏ ୧୯ ମିନିଟ୍‌ ଅବଧିର ଏହି ଚଳଚ୍ଚିତ୍ରର ଅଧିକାଂଶ ଭାଗ ବଡ଼ମ୍ବା, ଖୋର୍ଦ୍ଧା ଓ ଭୁବନେଶ୍ବର ଉପକଣ୍ଠରେ ସୁଟିଂ କରାଯାଇଛି।

ସମ୍ବନ୍ଧିତ ଖବର