ଲାଗି ହେବ ବରା, କାକରା ଓ ଦହିପଖାଳ, ଝଲସିବ ଲାଇଟ୍‌ ତୋରଣ

ବଡ଼ଗଡ଼ ନେତାଜୀ ଯୁବକ ସଂଘ

ଭୁବନେଶ୍ବର: ୪୬ ବର୍ଷରେ ପହଞ୍ଚିଛି ବଡ଼ଗଡ଼ ନେତାଜୀ ଯୁବକ ସଂଘର ହରପାର୍ବତୀ ପୂଜା। ପବିତ୍ର ଦଶହରା ଅବସର‌ରେ ଏଠାରେ ହରପାର୍ବତୀଙ୍କ ସହ କାର୍ତ୍ତିକ ଓ ଗଣେଶ ପୂଜା ପାଇ ଆସୁଛନ୍ତି। ଚଳିତ ବର୍ଷ ମା’ ପାର୍ବତୀ, କାର୍ତ୍ତିକ ଓ ଗଣେଶଙ୍କୁ ସୁନା ଓ ଚାନ୍ଦିର ଅଳଙ୍କାରରେ ଭୂଷିତ କରାଯିବ। ଏଥର ମା’ ପାର୍ବତୀ ସୁନା ମୁକୁଟ ପିନ୍ଧି ଦର୍ଶନ ଦେବେ। ଏଥିସହ ଏଥର ୬୦ଫୁଟ୍‌ ଉଚ୍ଚର ଆକର୍ଷଣୀୟ ଲାଇଟ୍‌ ତୋରଣ ଦର୍ଶକମାନଙ୍କ ଆଖି ଝଲସାଇବ। ତା’ ସହ ଆହୁରି ୬ଟି ଲାଇଟ୍‌ ତୋରଣ ମଧ୍ୟ ପୂଜାମଣ୍ଡପକୁ ଆଲୋକିତ କରିବ।

ଦୁଇ ବର୍ଷ ପରେ ସାଧାରଣ ଭକ୍ତ ଠାକୁରଙ୍କ ଦର୍ଶନ କରିବାକୁ ଥିବାରୁ ଏଥର ମହାଡ଼ମ୍ବରରେ ଏବଂ ବିଧି ଅନୁସାରେ ପୂଜା କରାଯିବ। ଶୃଙ୍ଖଳିତ ଦର୍ଶନକୁ ସଂଘ ତରଫରୁ ପ୍ରାଧାନ୍ୟ ଦିଆଯାଇଛି। ଅଷ୍ଟମୀ ଦିନ ୨୦୦୦ ଲୋକଙ୍କ ପାଇଁ ଦହି ପଖାଳ ବନ୍ଦୋବସ୍ତ କରାଯାଇଛି। ଠାକୁରଙ୍କୁ ଭୋଗ ଲାଗି ହେବା ପରେ ଭକ୍ତ ତଥା ଶ୍ରଦ୍ଧାଳୁଙ୍କୁ ଦହିପଖାଳ ପ୍ରସାଦ ବଣ୍ଟନ କରାଯିବ। ସେହିଭଳି ନବମୀ ଦିନ ବରା କାକରା ଓ ଦଶମୀ ଦିନ ଖିରି ବଣ୍ଟନ କରାଯିବ। ୫ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ପପୁ ପମପମ, ଅସୀମା ପଣ୍ଡା, ହ୍ୟୁମାନ ସାଗର, ଅମର ସାହୁ, କୁମାର ବାପିଙ୍କ ଭଳି ବିଶିଷ୍ଟ କଳା‌କା‌ରମାନେ ଯୋଗଦେବେ। ଭସାଣ ଉତ୍ସବରେ ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର, ‌କୋରାପୁଟ, କଳାହାଣ୍ଡି, ତାଳଚେର, ବ୍ରହ୍ମପୁରର ନୃତ୍ୟ ଓ ବାଦ୍ୟଯନ୍ତ୍ର ଦଳର ପ୍ରାୟ ୬୦୦ କଳାକାର ସାମିଲ୍‌ ହେବେ। ବୌଦ୍ଧ ଜିଲ୍ଲାର ମୟୂର ନାଚ, ଶ୍ରୀକାକୁଲମ ବ୍ୟାଣ୍ଡ ପାର୍ଟି ଭସାଣ ଉତ୍ସବକୁ ଦୁଲୁକାଇବ।

ପ୍ଲାଷ୍ଟିକ୍‌ମୁକ୍ତ ମଣ୍ଡପ

ଏଥର ପୂଜା ମଣ୍ଡପକୁ ପ୍ଲାଷ୍ଟିକ ମୁକ୍ତ କରାଯିବ। ମଣ୍ଡପରେ ଭକ୍ତମାନଙ୍କୁ ଭୋଗ ବାଣ୍ଟିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଦହିପଖାଳ ଓ ବରା କାକରା ଭୋଗ ପାଇବା ପାଇଁ ବହୁ ଶ୍ରଦ୍ଧାଳୁ ମନ କରୁଥିବାରୁ କାହାକୁ ବି ବଞ୍ଚିତ ହେବାକୁ ଦିଆଯିବ ନାହିଁ।
ସନ୍ତୋଷ ସିଂହ, ସଭାପତି

ଦାଣ୍ଡ ଦୁଲୁକାଇବ ଭସାଣ

ଏଥର ଆମ ପୂଜାର ଭସାଣ ସ୍ବତନ୍ତ୍ର ଓ ଆକର୍ଷଣୀୟ ହେବ। ରାଜ୍ୟର ବିଭିନ୍ନ ସ୍ଥାନରୁ ପାରମ୍ପରିକ ୬୦୦ କଳାକାର ଏହି ଉତ୍ସବରେ ଯୋଗ‌ ଦେବେ। ସମ୍ବଲପୁରୀ ବାଜା, ପଞ୍ଜାବୀ ଓ ସିଂହ ବାଜା, ପାଇକ ଆଖଡ଼ା, ଘଣ୍ଟ, ଶଙ୍ଖ, ଢ଼ୋଲ ବାଜା, ‌ଘୋଡ଼ା, ଷଣ୍ଢ, ସଖୀ, ଦଶାବତାର, ନବଦୁର୍ଗା, ସପ୍ତଫେଣୀ, ପୁଟଳି ବାଜା, ସାନ୍ତାଳ ବାଜା, ନାଗ ବାଜାରେ ଆମେ ଦାଣ୍ଡ ଦୁଲୁକାଇବୁ।
ବୃନ୍ଦାବନ ଦାଶ, ସା‌ଧାରଣ ସମ୍ପାଦକ

ସମ୍ବନ୍ଧିତ ଖବର