କିଶୋର ଭାଇନା ମଟନ୍‌ର ଫୁଡ୍‌ ଲାଇସେନ୍ସ ବାତିଲ

ବ୍ୟବହାର ହେଉଥିଲା ନକଲି ରଙ୍ଗ, ଏକ୍ସପାରି ସସ୍‌

ଭୁବନେଶ୍ବର: ‘ହିଷ୍ଟ୍ରି’ ଚ୍ୟାନେଲ୍‌ରେ ସ୍ଥାନ ପାଇଥିବା ଭୁବନେଶ୍ବରର ଚର୍ଚ୍ଚିତ ଢାବା ‘କିଶୋର ଭାଇନା ମଟନ’ରେ ବ୍ୟବହାର ହେଉଥିଲା ନକଲି ରଙ୍ଗ, ଏକ୍ସପାରି ସସ୍‌। ଆଜି ଖବର ପାଇ ବିଏମ୍‌ସି ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରି ଏଭଳି ସାମଗ୍ରୀ ଜବତ କରିବା ସହ ଏହି ଢାବାର ଫୁଡ୍‌ ଲାଇସେନ୍ସ ବାତିଲ କରିଛି। ହାଣ୍ଡି ହାଣ୍ଡି ତରକାରୀ ନଷ୍ଟ କରିବା ସହ ମୋଟା ଅଙ୍କର ଜରିମାନା କରାଯାଇଛି। ଫୁଡ୍‌ ଲାଇସେନ୍ସ ବାତିଲ ହୋଇଥିବାରୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇନାହିଁ।

ବିନା ଲାଇସେନ୍ସରେ ଢାବା ଖୋଲିଲେ ଆପରାଧିକ ମାମଲା ରୁଜୁ ହେବ ବୋଲି ଜଣାପଡ଼ିଛି। ତେବେ କେବଳ ଏହି ଢାବା ନୁହେଁ, ଭୁବନେଶ୍ବରର ବିଭିନ୍ନ ଫାଷ୍ଟଫୁଡ୍‌ ଷ୍ଟଲ୍‌ରେ ମଧ୍ୟ ଚଢ଼ଉ ହୋଇଛି। କିଶୋର ଭାଇନା ମଟନ୍‌ ଦୋକାନ ବନ୍ଦ ହେବା ପରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। କେବଳ ଭୁବନେଶ୍ବର ନୁହେଁ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗ୍ରାହକମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୁସ୍ବାଦୁ ମଟନ୍‌ ଖାଇବାକୁ ବହୁ ଦୂରରୁ ଆସୁଥିବା ଲୋ‌କେ ଏଭଳି କାରବାରକୁ ନାପସନ୍ଦ କରିଛନ୍ତି। ତେବେ ଶସ୍ତାରେ ମଟନ ଖାଇବାକୁ ‌ନଦେବାରୁ ଜାଣି ଜାଣି ଚଢ଼ଉ କରାଯାଇଥିବା କେତେକ ଟ୍ବିଟରରେ ଲେଖିଛନ୍ତି।

ସମ୍ବନ୍ଧିତ ଖବର