ଭାଷାକୁ ସମ୍ମାନ ଦେଲେ ସଂସ୍କୃତି ବଞ୍ଚିପାରିବ

କୋଠଘର ଆମ ସାହିତ୍ୟ ପରିବାରର ୨ୟ ବାର୍ଷିକ ଉତ୍ସବ

ଭୁବନେଶ୍ବର: ନିଜ ଭାଷାକୁ ସମ୍ମାନ ଦେଲେ ଆମ ସଂସ୍କୃତି ବଞ୍ଚିପାରିବ। ସଂସ୍କୃତି ବଞ୍ଚିଲେ ଆମ ରାଜ୍ୟ ଓ ଦେଶର ସମ୍ମାନ ବଢ଼ିବ। ଅନେକ ସମୟରେ ଆମେ ନିଜର ମାତୃଭାଷାକୁ ଭୁଲି ଅନ୍ୟ ଭାଷାକୁ ଅଧିକ ପ୍ରାଧାନ୍ୟ ଦେଉଛେ, ଯାହା ଆମ ପାଇଁ ଶୁଭଙ୍କର ଲକ୍ଷଣ ନୁହେଁ। କୋଠଘର ଆମ ସାହିତ୍ୟ ପରିବାର ପକ୍ଷରୁ ଗୀତଗୋବିନ୍ଦ ସଦନ ଠାରେ ଆୟୋଜିତ ୨ୟ ବାର୍ଷିକ ଉତ୍ସବରେ ମୁଖ୍ୟବକ୍ତା ଭାବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇ ଏହା କହିଛନ୍ତି।

ଦେବାଶିଷ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଯୋଗ ଦେଇ କହିଥିଲେ, କରୋନା କାଳରେ ଏକ ସାରସ୍ବତ ଅନୁଷ୍ଠାନ ଭାବେ ଗଠିତ ହୋଇଥିବା ‘କୋଠଘର ଆମ ସାହିତ୍ୟ ପରିବାର’ କବି ଏବଂ ଲେଖକଙ୍କୁ ଏକାଠି କରିବା ସହ ନୂଆ କବି ସୃଷ୍ଟି କରିବାରେ ସକ୍ଷମ ହୋଇଛି। ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ କବି ହୁସେନ୍‌ ରବି ଗାନ୍ଧୀ କହିଲେ, କବି ମାନେ ପୁରସ୍କାର ପାଇଁ କବିତା ଲେଖିବା ଅପେକ୍ଷା ନିଜର ସର୍ଜନା ପ୍ରତି ଧ୍ୟାନ ଦେବା ଉଚିତ୍‌। ସମ୍ମାନିତ ଅତିଥି ଭାବେ ଅନୁବାଦିକା ଶକୁନ୍ତଳା ବଳିୟାରସିଂହ, ଜ୍ଞାନଚାନ୍ଦ ଶତପଥୀ, ସାହିତ୍ୟିକ ପ୍ରଶାନ୍ତ କୁମାର ବର୍ମା ଯୋଗ ଦେଇଥିଲେ। ଏହି ଅବସରରେ ‘କୋଠଘର’ ବାର୍ଷିକ ପତ୍ରିକା ଓ ଲଳିତ ମୋହନ ମିଶ୍ରଙ୍କ ‘ଜୀବନ ଜ୍ୟାମିତି’ ପୁସ୍ତକ ଲୋକାର୍ପିତ ହୋଇଥିଲା।

ପୂର୍ଣ୍ଣାନନ୍ଦ ମହାନ୍ତି, ସଂଯୁକ୍ତା ପରିଡ଼ା ଓ ପୁଷ୍ପଲତା ନନ୍ଦଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। କବିତା ଆସରକୁ ସାହିତ୍ୟିକ ଦେବୀପ୍ରସନ୍ନ ପଟ୍ଟନାୟତ ଉଦ୍‌ଘାଟନ କରିଥିଲେ। ଅଞ୍ଜଳି ତ୍ରିପାଠୀ, ଭାବଗ୍ରାହୀ ବଳ, ମମତା ବାରିକ, ବାଉରୀବନ୍ଧୁ ଲେଙ୍କା, ଗୋଲକ ବିହାରୀ ନାୟକ ଓ ଅକ୍ଷୟ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନ ସଂପାଦିକା ଅମ୍ବିକା ସ୍ବାଇଁ ସଂପାଦକୀୟ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ରକ୍ଷକ ନାୟକ, ସୁଚେତା ରାଉତ, ନୀଳମଣି ଚାନ୍ଦ, କାନନବାଳା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶିବାନନ୍ଦ ବାରିକ ସ୍ବାଗତ ଭାଷଣ ଓ ଆଶୁତୋଷ ମେହେର ଧନ୍ୟବାଦ ଦେଇଥିଲେ। ମିତା ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର