ଏବେଠୁ ସବୁଆଡ଼େ ଢୋ ଢା…

ଲକ୍ଷାଧିକ ଟଙ୍କାର ବାଣ ଜବତ, ୧ ଗିରଫ

ଭୁବନେଶ୍ବର: ଉଚ୍ଚ ଶବ୍ଦର ବାଣ ଫୁଟିବନି। ଅତ୍ୟଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ଫୁଟା ଯିବ ନାହିଁ। ଦୀପାବଳି ଦିନ ସନ୍ଧ୍ୟା ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟିବ। ସୁପ୍ରିମକୋର୍ଟ ବାଣଫୁଟାକୁ ନେଇ ଏଭଳି ନିର୍ଦେଶନାମା ଜାରି କରିବା ପରେ କମିସନରେଟ୍‌ ପୁଲିସ ଓ ପରିବେଶ ବିଭାଗ ଏନେଇ ସତର୍କ ସୂଚନା ଜାରି କରିଛି। ମାତ୍ର ନିର୍ଦେଶ କାଟୁ କରିନାହିଁ। ଦିନ ହେଉ କି ରାତି ଏବେଠୁ ‌ଢୋ ଢା ଶୁଭିଲାଣି। ଅବଶ୍ୟ ପୂର୍ବବର୍ଷ ତୁଳନାରେ ଏବର୍ଷ ସେପରି ବ୍ୟାପକତା ଦେଖିବାକୁ ମିଳିନାହିଁ। ମାତ୍ର ନିର୍ଦେଶ ମୁତାବକ ସମ୍ପୂର୍ଣ୍ଣ ବନ୍ଦ ମଧ୍ୟ ହୋଇନାହିଁ। କିଛି କିଛି ସ୍ଥାନରେ ବାଣର ବିକ୍ରିବଟା ମଧ୍ୟ ଆରମ୍ଭ ହୋଇଯାଇଛି। ତେଣୁ ବାଣ ଫୁଟିବ ନା ନାହିଁ ପରୀକ୍ଷା କରିବାକୁ ହେଉ ଅବା ସଚେତନତା ସୃଷ୍ଟି ହୋଇନଥିବାରୁ ବାଣ ଫୁଟା ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ହଠାତ୍ ଏହି ନିର୍ଦ୍ଦେଶ ଜାରି ହେବା ପରେ ଏହାକୁ ଗ୍ରହଣ କରିପାରିନାହାନ୍ତି ଅନେକ। ବାସ୍ତବରେ ଏନେଇ ସେପରି କୌଣସି ବିଧିବଦ୍ଧ ସୂଚନା ଓ ସଚେତନତା ସୃଷ୍ଟି କରାଯାଇନାହିଁ। ତେଣୁ ସକାଳେ, ଦ୍ବିପ୍ରହରେ, ସନ୍ଧ୍ୟାରେ, ବିଳମ୍ବିତ ରାତିରେ ଯିଏ ଯେତେବେଳେ ପାରୁଛି, ସୁଯୋଗ ଉଣ୍ଡି ବାଣ ଫୁଟାଉଛି। ପୁଲିସ୍‌କୁ ଯଦିଓ ଏହା ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ କୁହାଯାଇଛି, ମାତ୍ର କାଁଭାଁ କେଉଁଠି ବାଣ ଫୁଟୁଥିବାରୁ ଏହାକୁ ଖୋଜି ବାହାର କରିବା ଦିଗରେ ପ୍ରଶାସନ ଓ ପୁଲିସ୍‌ ପକ୍ଷରୁ ଗୁରୁତ୍ବ ଦିଆଯାଉନାହିଁ। ଏ କ୍ଷେତ୍ରରେ ଏତେ କଡ଼ା ଆଭିମୁଖ୍ୟ ମଧ୍ୟ ଗ୍ରହଣ କରିବା ସପକ୍ଷରେ ପ୍ରଶାସନ ଥିବା ଭଳି ହୃଦବୋଧ ହେଉନାହିଁ। ଆଇନ୍‌ ମୁତାବକ ଦୀପାବଳିର ୨ ଦିନ ପୂର୍ବରୁ ବାଣ ବିକ୍ରି ପାଇଁ ନିର୍ଦେଶ ଦିଆଯାଇଛି। ବେଆଇନ୍‌ ବାଣ ବିକ୍ରି ଏବଂ ବାଣ ଫୁଟା ଉପରେ ନଜର ରଖିବା ପାଇଁ କମିସନରେଟ୍‌ ପୁଲିସ୍‌ ୨ଟି ଟିମ୍‌ ଗଠନ କରିଛି। ଗୋଟିଏ ଟିମ୍‌ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହ ବୁଲିବାକୁ ଥିବା ବେଳେ ଆଉ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଛି। ତଥାପି ଅନେକ ସ୍ଥାନରେ ବାଣ ବିକ୍ରିବଟା ଆରମ୍ଭ ହୋଇଯାଇଥିଲେ ବି ପୁଲିସ୍‌ ଏହାର ଟେର୍‌ ପାଇ ପାରୁନାହିଁ। ଜଟଣୀ, ବନମାଳିପୁର, ୧ନମ୍ବର ହାଟ ସମେତ କଟକ ଓ ପିପିଲିର ଏକ ଗାଁରୁ ବାଣ ସିଜ୍‌ ହୋଇସାରିଛି। ମାତ୍ର ଏବେ ବି ଅନେକ ସ୍ଥାନରେ ବାଣ ବିକ୍ରି ହେଉଛି। ଜଟଣୀ ଓ କଟକ ପଦ୍ମପୁରରେ ଲୁଚାଛପାରେ ବାଣ ବିକ୍ରି ଆରମ୍ଭ ହୋଇଛି। ସହର ମଧ୍ୟରେ କିଛି ସ୍ଥାନରେ ବାଣ ବିକ୍ରି ପାଇଁ ସଜା ଚାଲିଥିବା ସମୟରେ ମଧ୍ୟ ବିକ୍ରିବଟା ହୋଇଥିବା ସୂଚନା ମିଳିଛି।

୨୫ ପ୍ଲାଟୁନ୍‌ ଫୋର୍ସ ଓ ୨ଶହ ଅଫିସର ହେବେ ନିୟୋଜିତ
ଦୀପାବଳିରେ କମିସନରେଟ ପୁଲିସର କଡ଼ା ସୁରକ୍ଷା

ଭୁବନେଶ୍ବର: ଦୀପାବଳିରେ ବାଣଫୁଟାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ କଟକଣା ଲାଗୁ ପରେ କମିସନରେଟ୍‌ ପୁଲିସ ଅଧିକ ସଜାଗ ହୋଇ ଉଠିଛି। ସୁରକ୍ଷା ଓ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦୀପାବଳିକୁ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବାକୁ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ବିଶେଷକରି ପରିବେଶ ପ୍ରଦୂଷଣ ରୋକିବା ପାଇଁ ଗୁରୁତ୍ବ ଦିଆଯାଇଛି। ଦୀପାବଳି ସମୟରେ ‌କେଉଁ ବାଣ ବ୍ୟବାହର କରିବେ, କେତେ ଡେସିବେଲ୍‌ ଶବ୍ଦର ବାଣ ଫୁଟାଇବେ, କେଉଁ ସ୍ଥାନରେ ବାଣ ଫୁଟାଇ‌‌ବେ, ସେଥିପାଇଁ ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇଛି। ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶକୁ କଡ଼ାକଡ଼ି ଭାବେ ‌ଲାଗୁ କରିବା ପାଇଁ ପୁଲିସ ଯୋଜନା କରିଛି। ସାରା ସହରରେ ୨୫ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ ହେବେ। ଭୁବନେଶ୍ବରକୁ ୨୦ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ପ୍ରତି ଜୋନ୍‌ରେ ଜଣେ ଏସିପି ଦାୟିତ୍ବରେ ରହିବେ। ସହରର ପ୍ରତି ସମ୍ବେଦନଶୀଳ ଛକରେ ପୁଲିସ ବ୍ଲକି˚ ହେବ। ୨୦୦ ଅଫିସର ଓ ୫ଶହରୁ ଅଧିକ କର୍ମଚାରୀ ସୁରକ୍ଷା ଦାୟିତ୍ବରେ ରହିବେ। ବିଶେଷକରି ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବା ପାଇଁ ଅନୁମତି ଦିଆଯାଇଛି। ୧୦ଟା ପରେ କିମ୍ବା ୮ଟା ପୂର୍ବରୁ ଯେମିତି କୌଣସି ସ୍ଥାନରେ ବାଣ ନଫୁଟେ, ସେଥିପାଇଁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପିସିଆର୍‌ଗୁଡ଼ିକ ସବୁ ଅଞ୍ଚଳ ବୁଲି ଏହା ଉପରେ ତୀକ୍ଷ୍ଣ ନଜର ରଖିବେ। ଏହା ଛଡ଼ା ବେଆଇନ ବାଣ ବିକ୍ରି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିସନର ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ ବିଭିନ୍ନ ଅଞ୍ଚଳରେ ବାଣ ବିକ୍ରି ପାଇଁ ନିର୍ଦିଷ୍ଟ ସ୍ଥାନ ନିର୍ଧାରଣ କରାଯିବ। କୌଣସି ଜନଗହଳିପୂର୍ଣ୍ଣ ସ୍ଥାନରେ ବାଣ ବିକ୍ରି ପାଇଁ ଅନୁମତି ମିଳିବ ନାହିଁ। ବ୍ୟବସାୟୀମାନେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସବୁଜ ଓ ରାସାୟନିକ ପଦାର୍ଥମୁକ୍ତ ବାଣ ବିକ୍ରି କରିବେ। ୧୨୫ ଡେସିବିଲରୁ ଅଧିକ ଶବ୍ଦର ବାଣ କେହି ଫୁଟାଇ ପାରିବେ ନାହିଁ। ଏହାର ବିକ୍ରି ଉପରେ ମଧୢ କଟକଣା ଜାରି ହୋଇଛି। ଏଥିପାଇଁ ଅଗ୍ନିଶମ ବିଭାଗରୁ ଏନ୍‌ଓସି ପାଇଥିବା ବ୍ୟବସାୟୀଙ୍କୁ ବାଣ ବିକ୍ରି ପାଇଁ ଅନୁମତି ଦିଆଯିବ। ଯେଉଁମାନେ ବିନା ଅନୁମତିରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବାଣ ବିକ୍ରି କରୁଥିବେ, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଦୀପାବଳି ଦିନ କମିସନରେଟ୍‌ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରାଯିବ। ରାଜଧାନୀର ମୁଖ୍ୟ ରାସ୍ତାରେ କେହି ବାଣ ଫୁଟାଇପାରିବେ ନାହିଁ। ରାତି ୧୦ଟା ପରେ ରାଜଧାନୀର କୌଣସି ସ୍ଥାନରେ ବାଣ ଫୁଟି ପାରିବ ନାହିଁ। ଯଦି କୌଣସି ଅଞ୍ଚଳରେ ବାଣ ଫୁଟୁଥାଏ, ତେବେ ସ୍ଥାନୀୟ ଲୋକ ଚାହିଲେ ପୁଲିସ କଣ୍ଟ୍ରୋଲରୁମ୍‌କୁ ଖବର ଦେବେ। ଏହାଛଡ଼ା ଯଦି ବେଆଇନ ବାଣ ବିକ୍ରି କିମ୍ବା ବାଣଫୁଟା ପୁଲିସ ନଜରକୁ ଆସେ ପୁଲିସ ନିଜଆଡ଼ୁ ମାମଲା ରୁଜୁ କରି ଗିରଫ କରିବା ସହ ଜରିମାନା ଆଦାୟ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି
ଦୀପାବଳି ପାଇଁ ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ରହିଛି। ଏଥିପାଇଁ ଏକ ଚେକିଂ ସ୍କ୍ବାଡ୍‌ ଗଠନ କରାଯାଇଛି। ତେବେ ଦୀପାବଳି ପୂର୍ବରୁ ଅର୍ଥାତ ୫ ଓ ୬ ତାରିଖରେ ସ୍କ୍ବାଡ୍‌ର ଦାୟିତ୍ବରେ ଥିବା ଅଗ୍ନିଶମ ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଥିବା ବାଣଦୋକାନଗୁଡ଼ିକ ବୁଲି ଯାଞ୍ଚ କରି‌ବେ। ଯଦି କୌଣସି ଦୋକାନୀ ବେଆଇନ ବାଣ ଦୋକାନ କରିଥାଏ କିମ୍ବା ଗାଇଡ୍‌ ଲାଇନ୍‌କୁ ଉଲ୍ଲଂଘନ କରିଥାଏ, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି କୌଣସି ସ୍ଥାନରେ ଅଘଟଣ ନ ଘଟିବା ପାଇଁ ଅଗ୍ନିଶମ ବିଭାଗ ସତର୍କ ରହିବ। ଅଗ୍ନିଶମ କେନ୍ଦ୍ର ବ୍ୟତୀତ ଦମକଳ ଗାଡ଼ି ମାଷ୍ଟରକ୍ୟାଣ୍ଟିନ୍‌, ଜୟଦେବ ବିହାର, ବରମୁଣ୍ତା ଆଦି ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ମୁତୟନ ହେବ। ଅଗ୍ନିକାଣ୍ତ ଖବର ପାଇବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବେ।

ସମ୍ବନ୍ଧିତ ଖବର