ଖୋଲୁଛି ନକଲି ଡାକ୍ତରଙ୍କ ପ୍ରେମ ଫରୁଆ: ହ୍ବାଟ୍‌ସଆପ୍‌ରେ ପୁଳାପୁଳା ଭିଡିଓ କଲିଂ, ଚାଟିଂ ତଥ୍ୟ

୩ ମହିଳାଙ୍କୁ ବିବାହ ପାଇଁ ୨ ବର୍ଷ ଧରି ସମ୍ପର୍କରେ ଥିଲେ, ଆଜି ରିମାଣ୍ଡ ଆବେଦନ କରିବ ପୁଲିସ

ଭୁବନେଶ୍ବର : ୧୪ ପତ୍ନୀଙ୍କୁ ବିବାହ କରିଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁର ପ୍ରେମ ପେଡ଼ି ଧୀରେ ଧୀରେ ଖୋଲିବାରେ ଲାଗିଛି। ୧୪ ପତ୍ନୀ ବାଦ୍ ଆହୁରି ୨୦ରୁ ଅଧିକ ମହିଳାଙ୍କ ସହ ସମ୍ପର୍କରେ ଥିଲା ରମେଶ। ସେହି ସମାନ ତରିକାରେ ନିଜ ଜାଲରେ ଫସାଉଥିଲା। ବର୍ଷ ବର୍ଷ ଧରି ସମ୍ପର୍କ ରଖୁଥିଲା। ବିବାହ ପାଇଁ ଯୋଜନା ଚଳାଇଥିଲା। ରମେଶର ଜବତ ମୋବାଇଲ ଫୋନର ହ୍ବାଟ୍‌ସଆପ୍ ଚାଟିଂ, କଲ୍ ଡିଟେଲ୍ସ ରେକର୍ଡ ଯାଞ୍ଚ ପରେ ପୁଲିସ ହାତରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଲାଗିଛି। ପ୍ରାଥମିକ ଯାଞ୍ଚ ପରେ ସେ ତିନିଜଣ ମହିଳାଙ୍କୁ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇ ସେମାନଙ୍କ ସହ ସମ୍ପର୍କରେ ଥିଲା। ଜଣେ ଢେଙ୍କାନାଳର, ଅନ୍ୟ ଜଣେ କୋଲକାତାର ଓ ତୃତୀୟ ଜଣଙ୍କ ଦିଲ୍ଲୀର ବୋଲି ଜଣାପଡ଼ିଛି। ଏହି ତିନି ଜଣଙ୍କ ସହ ପୁଲିସ ଆଜି ଯୋଗାଯୋଗ କରିଛି। ଥାନାରେ ଅଭିଯୋଗ କରିବା ପାଇଁ ତଦନ୍ତକାରୀ ପୁଲିସ ସେମାନଙ୍କୁ ପରାମର୍ଶ ଦେଇଛି। ଅଧିକ ପଚରାଉଚରା ପାଇଁ ପୁଲିସ ରମେଶକୁ ରିମାଣ୍ଡରେ ଆଣିବା ପାଇଁ ଆଜି ଆବେଦନ କରିବ ବୋଲି ଜଣାପଡ଼ିଛି।

ରାଜା ଜୀବନ ବିତାଉଥିଲା, ଯୁଆଡ଼େ ଯାଉଥିଲା ପତ୍ନୀଙ୍କ ସହ ସମୟ କାଟୁଥିଲା
ପୂରା ରାଜକୀୟ ଜୀବନ ବିତାଉଥିଲା ରମେଶ। ପାଖରେ ସେମିତି କିଛି ଡିଗ୍ରି ନ ଥିଲେ ମଧ୍ୟ ନିଜକୁ ଡାକ୍ତର, ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉପ ମହାନିର୍ଦ୍ଦେଶକ ପରିଚୟ ଦେଇ ନାଲିବତି ଗାଡ଼ିରେ ବୁଲୁଥିଲା। ଯୁଆଡ଼େ ଯାଉଥିଲା ସେଠାରେ ଥିବା ପତ୍ନୀଙ୍କ ପାଖରେ ସମୟ ବିତାଉଥିଲା। ବିଶେଷ କରି ଆସାମ ଗୌହାଟୀରେ ରହୁଥିବା ପତ୍ନୀଙ୍କ ପାଖରେ ଅଧିକ ସମୟ କାଟୁଥିଲା। ଯେଉଁଠି ଅପରାଧ ଘଟାଉଥିଲା ତା’ ପରେ ସେଠାରୁ ପଳାଉଥିଲା। ସେହିପରି ଆହ୍ଲାବାଦ, ଝାଡ଼ଖଣ୍ଡ, ଦିଲ୍ଲୀରେ ମଧ୍ୟ ପତ୍ନୀଙ୍କ ପାଖରେ ରହୁଥିବା ଜଣାପଡ଼ିଛି।

ଭୁବନେଶ୍ବର ଆସିଛନ୍ତି ସବୁ ପତ୍ନୀ, ପ୍ରେମିକା
ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରେ ଦୁଇଟି ଆପାର୍ଟମେଣ୍ଟରେ ଘର ଭଡ଼ା ନେଇଥିଲା ରମେଶ। ସେହିପରି ବହୁ ଦିନ ପୂର୍ବରୁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଆଉ ଏକ ଘର ଭଡ଼ାରେ ନେଇଥିଲା। ବିବାହ କରିଥିବା ପ୍ରଥମ ପତ୍ନୀ ସମେତ ୧୪ ଜଣ ଏବଂ ବିବାହ ପ୍ରତିଶ୍ରୁତି ଦେଇ ପ୍ରେମ ସମ୍ପର୍କ ରଖିଥିବା ପ୍ରେମିକ ସମସ୍ତେ ଭୁବନେଶ୍ବର ଆସିଛନ୍ତି। ବର୍ଷ ତମାମ୍ ଅଲଗା ଅଲଗା ସମୟରେ ସେ ସମସ୍ତଙ୍କୁ ଭୁବନେଶ୍ବର ଡାକେ। ଘରେ ରଖିବା ସହ ରାଜଧାନୀର ବିଭିନ୍ନ ପର୍ଯ୍ୟଟନୀସ୍ଥଳ, ମଲ୍ ବୁଲାଇ ଥାଏ। ସମସ୍ତେ ଯେହେତୁ ସମ୍ଭ୍ରାନ୍ତ ଶ୍ରେଣୀର ଓ ଚାକିରି କରୁଥିଲେ ସେଥିପାଇଁ ସେମାନେ ବେଶୀ ଦିନ ରହିପାରନ୍ତି ନାହିଁ। ତାହାର ଫାଇଦା ଉଠାଏ ରମେଶ।

ପଞ୍ଜାବୀ ମହିଳାଙ୍କ ପ୍ରେମରେ ୨ ବର୍ଷ
ମାଟ୍ରିମୋନି ଜରିଆରେ ଢେଙ୍କାନାଳରେ ରହୁଥିବା ଅଧ୍ୟାପିକା ପଞ୍ଜାବୀ ଝିଅଙ୍କ ସହ ଯୋଗାଯୋଗ କରିଥିଲା ରମେଶ। ନିଜକୁ ୫୦ ବର୍ଷୀୟ ଅବିବାହିତ ଦର୍ଶାଇ ସମ୍ପର୍କ ଯୋଡ଼ିଥିଲା। ସେହିପରି ଅଧ୍ୟାପିକାଜଣଙ୍କ ମଧ୍ୟ ଅବିବାହିତା ଥିଲେ। ପ୍ରେମ ସମ୍ପର୍କ ନିବିଡ଼ ହେବା ପରେ ପରସ୍ପର ଭେଟୁଥିଲେ, ସମୟ ବିତାଉଥିଲେ। ଭାଲେଣ୍ଟାଇନ୍ ଡେ’ରେ ଭୁବନେଶ୍ବରର ଏକ ରେଷ୍ଟୁରାଣ୍ଟରେ ଦେଖାସାକ୍ଷାତ ହେବ ବୋଲି ଉଭୟଙ୍କ ଭିତରେ କଥାବାର୍ତ୍ତା ହୋଇଥିଲା। କିନ୍ତୁ ତା ପୂର୍ବରୁ ପୁଲିସ ଜାଲରେ ପଡ଼ିଥିଲା ରମେଶ।

ମହିଳା ବି ପାଗଳ ଥିଲେ ତା’ପ୍ରେମରେ
ରମେଶ ନିଜକୁ ୪୫ରୁ ୫୦ ବର୍ଷୀୟ ବୋଲି କହି ବିଧବା, ଅବିବାହିତା, ଛାଡ଼ପତ୍ର ପାଇଥିବା ମଧ୍ୟବୟସ୍କା ମହିଳାଙ୍କ ସହ ସମ୍ପର୍କ ଯୋଡ଼ୁଥିଲା। ମିଠା ମିଠା କଥାରେ ମହିଳା ବି ପାଗଳ ହୋଇ ଯାଉଥିଲେ ରମେଶ ପ୍ରେମରେ। ଅଭିଯୋଗକାରୀ ଦିଲ୍ଲୀର ମହିଳା କହିଛନ୍ତି, ରମେଶ ସହ ମାଟ୍ରିମୋନି ସାଇଟରେ ସମ୍ପର୍କ ହେବା ପରେ ଫୋନରେ ବହୁ ଦିନ ଧରି କଥା ହୋଇଥିଲେ। ତେବେ ସେ ଓଡ଼ିଆ ହୋଇଥିବା ବେଳେ ତାଙ୍କର କଥାବାର୍ତ୍ତା ଭାରି ଅମାୟିକ ଥିଲା। ବାପାଙ୍କର ବହୁ ପୂର୍ବରୁ ଦେହାନ୍ତ ହୋଇଥିବା ବେଳେ ସେ ଏକୁଟିଆ ହୋଇ ଯାଇଥିଲେ। ତେଣୁ ରମେଶକୁ ଭଲ ପାଇ ବସିଥିଲେ। ସେହିପରି ଏକାଧିକ ମହିଳା ମଧ୍ୟ ସମାନ ତରିକାରେ ଫସିଛନ୍ତି।

କୋଟିଏରୁ ଅଧିକ ଲୁଟିଛି, ସୁନା ଗହଣା ବି ନେଇଛି
ରମେଶ ବିବାହ କରିବାର ଏକମାତ୍ର କାରଣ ଥିଲା ଟଙ୍କା। ପତ୍ନୀଙ୍କ ଠାରୁ ଟଙ୍କା ଲୁଟି ଅୟସ ଆରାମ କରୁଥିଲା, ଘର ଚଳାଉଥିଲା। ବିବାହ କରୁଥିବା ପତ୍ନୀଙ୍କ ପାଖରୁ କେବଳ ଟଙ୍କା ନୁହେଁ ସୁନା ଗହଣା ମଧ୍ୟ ଲୁଟିଥିବା ଅଭିଯୋଗ ହୋଇଛି। ପ୍ରଥମ ପତ୍ନୀଙ୍କୁ ଛାଡ଼ି ଦେଲେ ଅନ୍ୟମାନଙ୍କ ଠାରୁ ୧୦ରୁ ୧୭ ଲକ୍ଷ ପର୍ଯ୍ୟନ୍ତ ଟଙ୍କା, ସୁନା ଗହଣା ନେଇଥିବା ପୁଲିସ ଜାଣିବାକୁ ପାଇଛି।

୧୨ ବ୍ୟାଙ୍କ୍‌ ପାସ୍‌ବୁକ୍‌ରେ ବିପୁଳ ଟଙ୍କା!
ରମେଶ ଠାରୁ ପୁଲିସ ୧୨ଟି ବ୍ୟାଙ୍କ ପାସବୁକ୍ ଜବତ କରିଛି। ସେଥିରେ କେତେ ଟଙ୍କା ଅଛି ଜାଣିବା ପାଇଁ ବ୍ୟାଙ୍କରୁ ଷ୍ଟେଟମେଣ୍ଟ ମଗାଇଛି। ସେହି ଆକାଉଣ୍ଟ ଗୁଡ଼ିକ ତୁରନ୍ତ ଅଚଳ ପାଇଁ ଚିଠି ଲେଖାଯିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ସେଥିରେ ବିପୁଳ ଟଙ୍କା ଥିବା ଅନୁମାନ କରାଯାଉଛି।

୨୦୦୬ରେ ଭୁବନେଶ୍ବରରେ ଗିରଫ ହୋଇଥିଲା
ରମେଶ ପୂର୍ବରୁ ୨୦୦୬ରେ ଭୁବନେଶ୍ବରରୁ ଗିରଫ ହୋଇଥିଲା। ଏକ ବ୍ୟାଙ୍କ ଋଣ ଠକେଇ ମାମଲାରେ ଗିରଫ ହୋଇଥିବା ପୁଲିସ ଜାଣିବାକୁ ପାଇଛି। କିନ୍ତୁ କେଉଁ ଥାନାର ଏହି ମାମଲା? କେତେ ଟଙ୍କା ଠକେଇ ହୋଇଥିଲା? ରମେଶର ସମ୍ପୃକ୍ତି କ’ଣ ଥିଲା? ସେ ନେଇ ପୁଲିସ ଛାନଭିନ୍ କରିବ ବୋଲି ଜଣାପଡ଼ିଛି।

ସାଜିଥିଲା ମେଡିସିନ୍ ସ୍ପେସାଲିଷ୍ଟ, ଖୋଲିଥିଲା ଡାଇଗ୍ନୋଷ୍ଟିକ୍ ସେଣ୍ଟର
ନକଲି ମେଡିସିନ୍ ସ୍ପେସାଲିଷ୍ଟ ସାଜିଥିଲା ରମେଶ। କୋଲକାତାରୁ ହାତେଇଥିଲା ନକଲି ଡାକ୍ତର ସାର୍ଟିଫିକେଟ୍। ରାଜ୍ୟରେ ଏକାଧିକ କ୍ଲିନିକ୍ ଖୋଲିଥିଲା। ଭୁବନେଶ୍ବର ଜୟଦେବ ବିହାର, କଟକ ବଜ୍ରକବାଟୀ ରୋଡ, ଢେଙ୍କାନାଳ କାମାକ୍ଷାନଗରରେ କ୍ଲିନିକ ଖୋଲି ରୋଗୀ ଦେଖୁଥିଲା, ମେଡିସିନ୍ ଲେଖୁଥିଲା। ଏପରିକି କଟକ ବଜ୍ରକବାଟୀ ରୋଡରେ କ୍ଲିନିକ୍ ସହ ଡାଇଗ୍ନୋଷ୍ଟିକ୍ ସେଣ୍ଟର ଖୋଲିଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ଏ ସବୁ କ୍ଲିନିକ୍ ଖୋଲିଥିଲା। କିନ୍ତୁ ତା’ ପାଖରେ କୌଣସି ଡାକ୍ତରୀ ଡିଗ୍ରି ନ ଥିବା ପୁଲିସ କହିଛି। ଏ ସମ୍ପର୍କରେ ମଧ୍ୟ ଯାଞ୍ଚ ଚାଲିଥିବା ଜଣେ ଅଧିକାରୀ କହିଛନ୍ତି।

ଦ୍ବିତୀୟ ପତ୍ନୀଙ୍କ ଠାରୁ ଶିଖିଥିଲା ବିବାହ କଳା କୌଶଳ
୧୯୮୨ରେ ପ୍ରଥମ ବିବାହ କରିଥିବା ରମେଶ ୨୦୦୨ରେ ଦ୍ବିତୀୟ ବିବାହ କରିଥିଲା। ସମ୍ପୃକ୍ତ ମହିଳାଙ୍କ ଘର ଝାଡ଼ଖଣ୍ଡରେ। ପାରାଦୀପର ଏକ କାରଖାନାର ମେଡିକାଲରେ ଡାକ୍ତର ଭାବେ କାର୍ଯ୍ୟରତ ଥିଲେ। ସେହି ସମୟରେ କୌଶଳକ୍ରମେ ରମେଶ ସହ ସମ୍ପର୍କ ଯୋଡ଼ି ହୋଇ ଯାଇଥିଲା। ରମେଶ ଡାକ୍ତରାଣୀଙ୍କୁ ବିବାହ କରିଥିଲା। ଏହା ପରେ ତାଙ୍କର ଆହ୍ଲାବାଦ ବଦଳି ହୋଇ ଯାଇଥିଲା। ସେଠାରେ ମଧ୍ୟ ରମେଶ ପହଞ୍ଚି ତାଙ୍କ ଠାରୁ ଟଙ୍କା, ସୁନା ଗହଣା ନେଉଥିଲା। ନିଜର ରୋଜଗାର ନ ଥିବାରୁ ତାଙ୍କ ଟଙ୍କାରେ ପରିବାର ଚଳାଉଥିଲା। ପ୍ରଥମ ପତ୍ନୀଙ୍କ ତିନି ପିଲା ଡାକ୍ତର ହୋଇ ଆମେରିକାରେ ରହୁଥିବାରୁ ପରିବାର ବୋଝ ରମେଶ ଉପରେ ପଡ଼ୁଥିଲା। ରମେଶ ଏହି କୌଶଳ ଶିଖି ପରେ ଅନ୍ୟ ମହିଳାଙ୍କୁ ଜାଲରେ ଫସାଇ ଲୁଟୁଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ସେହିପରି ଦ୍ବିତୀୟ ପତ୍ନୀ ତା’ର ଅପରାଧ ସମ୍ପର୍କରେ ଅବଗତ ଥିଲେ। କାରଣ ସେ ଏବେ ବି ତାଙ୍କ ପାଖକୁ ଯାଉଥିଲା ଓ ଟଙ୍କା ଆଣୁଥିଲା। ଜଣେ ଡାକ୍ତର ହୋଇ ମଧ୍ୟ କାହିଁକି ସ୍ବାମୀର ଠକାମିକୁ ଲୁଚାଉଥିଲେ ସେଥିପାଇଁ ତଦନ୍ତକାରୀ ପୁଲିସ ତାଙ୍କୁ ଜେରା କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର