ପେନସନ୍‌ ହାର ୩୦ ପ୍ରତିଶତ ବୃଦ୍ଧି କର

ଏଲ୍‌ଆଇସି ଅବସରପ୍ରାପ୍ତ ପ୍ରଥମ ଶ୍ରେଣୀ ଅଧିକାରୀ ସଂଘର ସ୍ମାରକପତ୍ର

ଭୁବନେଶ୍ବର: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଅବସରପ୍ରାପ୍ତ ପ୍ରଥମ ଶ୍ରେଣୀ ଅଧିକାରୀ ସଂଘ, ଓଡ଼ିଶା ଶାଖା ପକ୍ଷରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ପେନସନ୍‌ ହାର ୩୦ ପ୍ରତିଶତ ବୃଦ୍ଧି ପାଇଁ ଦିଆଯାଇଥିବା ସୁପାରିସ୍‌କୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ମଂଜୁର କରିବା ପାଇଁ ଏଥିରେ ଦାବି କରାଯାଇଛି।

ସଂଘ ପକ୍ଷରୁ କୁହାଯାଇଛି, ଏଲ୍‌ଆଇସିରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ପାଞ୍ଚଥର ବେତନ ସଂଶୋଧନ ହୋଇସାରିଥିଲେ ହେଁ ପେନସନ୍‌‌ଭୋଗୀଙ୍କ ପାଇଁ ୧୯୯୫ ମସିହାରୁ ଲାଗୁ ହୋଇଥିବା ବ୍ୟବସ୍ଥା ବଳବତ୍ତର ରହିଛି। ଫଳରେ ଏବେଏବେ ନୂଆ କରି ଅବସର ନେଉଥିବା କିରାଣୀ ବର୍ଗର କର୍ମଚାରୀଙ୍କଠାରୁ, ବହୁବର୍ଷ ପୂର୍ବରୁ ଅବସର ନେଇଥିବା ଅଧିକାରୀବର୍ଗଙ୍କ ପେନସନ୍‌ ରାଶି ଖୁବ୍‌ କମ୍‌। ତେଣୁ ଏ ଦିଗରେ ବିଚାର କରିବା ପାଇଁ ସଂଘ ମନ୍ତ୍ରୀ ଶ୍ରୀମତୀ ସୀତାରମଣଙ୍କୁ ଅନୁରୋଧ କରିଛି। ସଂଘର ରାଜ୍ୟ ଶାଖା ସଭାପତି ନୃସିଂହ ଚରଣ ଭଟ୍ଟ, ସାଧାରଣ ସଂପାଦକ ଗଜେନ୍ଦ୍ର ନାଥ ପଣ୍ଡା, ବରିଷ୍ଠ କାର୍ଯ୍ୟକାରୀ କମିଟି ସଦସ୍ୟ ଯୁଗଳ କିଶୋର ସାହୁ ଓ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏବଂ ସକ୍ରିୟ ସଭ୍ୟ ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଏହି ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର