ସମସ୍ୟା ଘେରରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, କର୍ମଚାରୀ ମରୁଡ଼ି

କ୍ୟାବିନ୍ ସଂଖ୍ୟା ବଢ଼ାଇବାକୁ ପ୍ରସ୍ତାବ

ଭୁବନେଶ୍ବର: ରାଜଧାନୀର ପ୍ରମୁଖ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ଏବେ ନାନା ସମସ୍ୟା ଦେଇ ଗତି କରୁଛି। ‌‌ସେଥିମଧ୍ୟରୁ କର୍ମଚାରୀ ମରୁଡ଼ି ଉତ୍କଟ ହୋଇଛି। ଗୋଟିଏ ପଟେ ପଦବି ପୂରଣ ହେଉ ନ ଥିବା ବେଳେ ଅନ୍ୟପଟେ ଜଣକ ପରେ ଜଣେ ଅବସର ଗ୍ରହଣ କରୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଚିକିତ୍ସାଳୟକୁ ଚଳାଇବା କର୍ତୃପକ୍ଷଙ୍କ ପାଇଁ ସମସ୍ୟା ସୃଷ୍ଟି ହେଲାଣି। ତେବେ ଆୟୁଷ ନିର୍ଦେଶାଳୟ ପକ୍ଷରୁ ଚିକିତ୍ସାଳୟ ପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାର ଆୟୁଷକୁ ଯଥେଷ୍ଟ ଗୁରୁତ୍ବ ଦେଉଥିବା ବେଳେ ରାଜ୍ୟରେ ଯେ ଆୟୁଷ ଅବହେଳିତ, ତାହା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି।

୧୯୭୦ମସିହାରେ ରାଜଧାନୀରେ ପ୍ରତିଷ୍ଠା ହୋଇଥିଲା ୪୩ ଶଯ୍ୟା ବିଶିଷ୍ଟ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ଚିକିତ୍ସାଳୟରେ ପଞ୍ଚକର୍ମ ସମେତ ଅନ୍ୟାନ୍ୟ ଚିକିତ୍ସା ସୁବିଧା ରହିଛି। ମାତ୍ର କିଛି ବର୍ଷ ଧରି ଚିକିତ୍ସାଳୟରେ କର୍ମଚାରୀ ଅଭାବ ଲାଗି ରହିଥିବାରୁ ସମସ୍ୟା ଗୁରୁତର ହୋଇପଡ଼ିଛି। ଡାକ୍ତରଙ୍କଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ପର୍ଯ୍ୟନ୍ତ ଅନେକ ପଦବି ଖାଲି ପଡ଼ିଛି। ଚିକିତ୍ସାଳୟ ପାଇଁ ସମୁଦାୟ ୫୬ପଦ ରହିଥିବା ବେଳେ ତହିଁରୁ ୨୫ଟି ପଦ ଖାଲି ପଡ଼ିଛି। ବର୍ଷକୁ ବର୍ଷ କର୍ମଚାରୀଙ୍କ ସଂଖ୍ୟା କମିବାରେ ଲାଗିଛି। ଏବେ ବି ଚିକିତ୍ସାଳୟରେ ୨ ଡାକ୍ତର ପଦ ଖାଲି ରହିଛି। ଚିକିତ୍ସାଳୟ ପରିସରରେ ଏକ ଔଷଧୀୟ ବଗିଚା ରହିଥିବା ବେଳେ ଏହାର ରକ୍ଷଣାବେକ୍ଷଣ ପାଇଁ ମାଳି ନାହାନ୍ତି। କିଛି ବର୍ଷ ପୂର୍ବରୁ ମାଳି ଅବସର ନେଇଥିବା ବେଳେ ତାଙ୍କ ବଦଳରେ ଅନ୍ୟ କାହାରିକୁ ନିଯୁକ୍ତି ଦିଆଯାଇନାହିଁ। ଫଳରେ ଔଷଧୀୟ ବଗିଚା ଉଜୁଡ଼ିବାରେ ଲାଗିଛି। ଚିକିତ୍ସାଳୟରେ ଜଣେ ହେଲେ କମ୍ପାଉଣ୍ଡର ମଧ୍ୟ ନାହାନ୍ତି। ଚିକିତ୍ସାଳୟରେ ଆଡମିଟ୍‌ ହେଉଥିବା ରୋଗୀଙ୍କ ରୋଷେଇ କରିବା ପାଇଁ ମଧ୍ୟ କୁକ୍ ବା ରୋଷେୟା ନାହାନ୍ତି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ହସ୍ପିଟାଲରେ ଯେଉଁ ରୋଗୀ ଆଡମିଟ୍ ହେଉଛନ୍ତି, ସେମାନଙ୍କ ଦେଖାରଖା ପାଇଁ ୱାର୍ଡ ଆଟେଣ୍ଡାଣ୍ଟଙ୍କ ଯଥେଷ୍ଟ ଅଭାବ ରହିଛି। ଚିକିତ୍ସାଳୟରେ ୧୦ଟି ୱାର୍ଡ ଆଟେଣ୍ଡାଣ୍ଟ ପଦ ରହିଥିଲେ ମଧ୍ୟ ଏବେ ୬ଟି ପଦ ଖାଲି ପଡ଼ିଛି। ଚଳିତ ମାସରେ ଜଣେ ଆଟେଣ୍ଡାଣ୍ଟ ଅବସର ଗ୍ରହଣ କରିବେ। ଫଳରେ ଏହି ସଂଖ୍ୟା ୩କୁ ହ୍ରାସ ପାଇବ। ଏଭଳି ପରିସ୍ଥିତିରେ ଯଦି ଜଣେ ୱାର୍ଡ ଆଟେଣ୍ଡାଣ୍ଟ କୌଣସି କାରଣ ପାଇଁ ଛୁଟିରେ ରହିଲେ, ୩ଟି ସିଫ୍‌ଟରେ ଚାଲୁଥିବା ଡାକ୍ତରଖାନାର ରୋଗୀଙ୍କ କଥା ବୁଝିବାକୁ କେହି ନ ଥି‌ବେ। ସେହିପରି ହସ୍ପିଟାଲକୁ ଜଗିବା ପାଇଁ ୱାଚ୍‌ମ୍ୟାନ୍‌ ମଧ୍ୟ ନାହାନ୍ତି। ଚିକିତ୍ସାଳୟରେ ଅନେକ ମହିଳା ରୋଗୀ ରହୁଥିବା ବେଳେ ୱାଚ୍‌ମ୍ୟାନ୍‌ ନିଯୁକ୍ତ କରା ନ ଯିବା ରୋଗୀଙ୍କ ସୁରକ୍ଷା ପ୍ରତି ବିପଦ ଡାକି ଆଣୁଛି। ଚିକିତ୍ସାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଖାଲି ପଡ଼ିଥିବା ପଦବି ପୂରଣ କରିବା ପାଇଁ ଆୟୁଷ ନିର୍ଦେଶାଳୟକୁ ବାରମ୍ବାର ଚିଠି ଦିଆଯାଇ ଥିଲେ ହେଁ ଏହା ଉପ‌ରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ‘ଫନି’ କ୍ଷତିଗ୍ରସ୍ତ ଚିକିତ୍ସାଳୟର ମରାମତି ପାଇଁ ଆବଶ୍ୟକ ଅର୍ଥ ଯୋଗାଇଦେବାକୁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ ଅର୍ଥ ମଞ୍ଜୁର କରାଯାଇ ନାହିଁ।

କ୍ୟାବିନ୍ ସଂଖ୍ୟା ବଢ଼ାଇବାକୁ ପ୍ରସ୍ତାବ
ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟରେ ଏବେ ୪ଟି କ୍ୟାବିନ୍ ରହିଛି। ତହିଁରୁ ଗୋଟିଏ ଏସି ହୋଇଥିବା ବେଳେ ଅନ୍ୟ ୩ଟି ନନ୍‌-ଏସି କ୍ୟାବିନ୍ ରହିଛି। ମାତ୍ର କ୍ୟାବିନ୍‌ ସଂଖ୍ୟା ଯଥେଷ୍ଟ କମ୍ ହୋଇଥିବାରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ଆଡମିସନ୍‌ ସମୟରେ ସମସ୍ୟା ଉପୁଜୁଛି। ଆଡମିଟ୍‌ ହେଉଥିବା ରୋଗୀଙ୍କ ନିକଟରେ ଜଣେ ଆଟେଣ୍ଡାଣ୍ଟ ସହ ଅନ୍ୟାନ୍ୟ ସୁବିଧାର ଆବ୍ୟଶକତା ଥିବାରୁ କ୍ୟାବିନ୍ ଅଭାବରୁ ଅନେକ ରୋଗୀ ଫେରି ଯାଉଛନ୍ତି। ତେଣୁ କ୍ୟାବିନ୍‌ ସଂଖ୍ୟା ଅତି କମ୍‌ରେ ୩ ଗୁଣ ଅଧିକ କରିବା ପାଇଁ ଆୟୁଷ ନିର୍ଦେଶାଳୟକୁ ଚିକିତ୍ସାଳୟ କର୍ତୃପକ୍ଷ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।

ଠିଆ ହେବ ନୂତନ ପଞ୍ଚକର୍ମ କୋଠା
ଆୟୁର୍ବେଦ‌ରେ ପଞ୍ଚକର୍ମ ଏକ ଗୁରୁତ୍ବପୂର୍ଣ୍ଣ ଆୟୁର୍ବେଦ‌ରେ ପଞ୍ଚକର୍ମ ଏକ ଗୁରୁତ୍ବପୂର୍ଣ୍ଣ ଚିକିତ୍ସା। ତେଣୁ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟରେ ଏକ ନୂତନ ପଞ୍ଚକର୍ମ ବିଲ୍ଡିଂ ନିର୍ମାଣ କରିବା ପାଇଁ ଯୋଜନା ହୋଇଛି। ୩ ମହଲା ବିଶିଷ୍ଟ ଏହି ବିଲ୍ଡିଂରେ ପଞ୍ଚକର୍ମର ସମସ୍ତ ଚିକିତ୍ସା ଉପଲବ୍ଧ ହେବ। ଏବେ ଚିକିତ୍ସାଳୟରେ ପଞ୍ଚକର୍ମ ଚିକିତ୍ସା ଚାଲୁଥିଲେ ହେଁ ଆବଶ୍ୟକ ସ୍ଥାନ ଅଭାବରୁ ତାହା ଯଥେଷ୍ଟ ହେଉନାହିଁ। ମାତ୍ର ନୂତନ ବିଲ୍ଡିଂରେ ପଞ୍ଚକର୍ମର ସମସ୍ତ ସୁବିଧା ମିଳିପାରିବ। ଏଥିପାଇଁ ଚିକିତ୍ସାଳୟ ପରିସରରେ ଜାଗା ଚିହ୍ନଟ କାର୍ଯ୍ୟ ଶେଷ ହୋଇଛି। ଖୁବଶୀଘ୍ର ଏହାର ଡିଜାଇନ୍ ଶେ‌ଷ ହେବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ନୂତନ ବିଲ୍ଡିଂରେ ଆବଶ୍ୟକ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ଫଳରେ ‌ରାଜ୍ୟବାସୀ ପଞ୍ଚକର୍ମର ଉନ୍ନତମାନର ଚିକିତ୍ସା ସହଜରେ ପାଇପାରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର