ପିଲାବେଳେ ସାଙ୍ଗମାନେ ଛିଗୁଲେଇ କହୁଥିଲେ, ହେଇରେ ମାଇଚିଆ ଆସୁଛି…। ବୟସ ବଢ଼ିବା ପରେ ପରିବାର ଲୋକ କହିଲେ ତୋ’ ଯୋଗୁଁ ଆମେ ଲାଜରେ ବାଟ ଚାଲିପାରୁନୁ…। ଆଉ ଯେବେ କିନ୍ନର ଗୋଷ୍ଠୀରେ ସାମିଲ୍ ହେଲେ, ସଭ୍ୟ ସମାଜ ଟାହି ଟାପରାର ଟେକା ଫିଙ୍ଗିଲା। ୨୦୧୪ରେ ସୁପ୍ରିମ୍କୋର୍ଟ କିନ୍ନରଙ୍କୁ ତୃତୀୟ ଲିଙ୍ଗୀର ମାନ୍ୟତା ଦେଲା। ଅଥଚ ଆଜି ବି ଲିଙ୍ଗଭେଦର ଶିକାର ଏଇ କିନ୍ନରମାନେ ଜୀଇଁବାର ସାହାରା ଖୋଜି ବୁଲୁଛନ୍ତି। କିଛି କିନ୍ନର ଭିକ୍ଷା ଓ ଦେହ ବେପାରକୁ ଜୀବିକା କରିଥିବାରୁ ସଭ୍ୟ ସମାଜ ତାଙ୍କ ଉପରକୁ ଆଙ୍ଗୁଠି ଉଠାଇଛି। ମାତ୍ର ସମ୍ମାନର ସହ ବି ଜୀବନ ଜୀଇଁ ହୁଏ… ଏଭଳି ଉଦାହରଣ ସୃଷ୍ଟି କରିଛନ୍ତି ଭିଡ଼ ଭିତରୁ ଅଲଗା ଐଶ୍ୱର୍ଯ୍ୟା, ସାଧନା ଓ ମେଘନାଙ୍କ ଭଳି କେତେକ ଅନନ୍ୟ କିନ୍ନର…।
ରିପୋର୍ଟ:ସତ୍ୟନାରାୟଣ ରାଉତରାୟ
ଫଟୋ: ବିଭୂତି
Sambad is now on WhatsApp
Join and get latest news updates delivered to you via WhatsApp
ଓଏଏସ୍ ଐଶ୍ୱର୍ଯ୍ୟା
ଯେବେ ସେ ସପ୍ତମରେ ପଢ଼ୁଥିଲେ ହାବଭାବରେ ପରିବର୍ତନ ଅନୁଭବ କଲେ। ପିଲାବେଳେ ସ୍କୁଲ୍ରେ ଏବଂ ଫୁଲବାଣୀର କଳିଙ୍ଗ ମହାବିଦ୍ୟାଳୟରେ ସ୍ନାତକ ପଢ଼ିବା ବେଳେ ସାଙ୍ଗମାନେ ଚିଡ଼ଉଥିଲେ। କିନ୍ତୁ ବାପା ଧୀରେଧୀରେ ତାଙ୍କର ହାବଭାବ ନେଇ ଅସନ୍ତୋଷ ପ୍ରକାଶ କଲେ। ଲଜ୍ଜା ବୋଧ କଲେ। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଐଶ୍ୱର୍ଯ୍ୟା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି କଲେ। ୟୁନିଟ୍ ୬ରେ ନିଜ ପିଉସୀ ପୁଅ ଭାଇଙ୍କ ନିକଟରେ ରହି ପରୀକ୍ଷା ଦେଲେ। ଏ ଭିତରେ ସେ କିନ୍ନର ମୀରା ପରିଡ଼ା ଏବଂ ସାଧନା ମିଶ୍ରଙ୍କ ସଂସ୍ପର୍ଶରେ ଆସିଲେ। ସବୁ ଟାହି ଟାପରାକୁ ସହିଯିବା ପରେ ୨୦୧୦ରେ ତାଙ୍କ ଭାଗ୍ୟ ଉଦୟ ହେଲା। ନିଷ୍ଠା ଓ ସଂଘର୍ଷ ଯୋଗୁଁ ସେ ଓଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ। କିନ୍ତୁ ୨୦୧୪ରେ ସୁପ୍ରିମ୍ କୋର୍ଟର ଘୋଷଣା ପରେ ହିଁ ସେ ନିଜକୁ ତୃତୀୟ ଲିଙ୍ଗୀର ପରିଚୟ ଦେଲେ। ସଂପ୍ରତି ସେ ପାରାଦୀପର ଜଗତସିଂପୁର ମଣ୍ଡଳର କମର୍ସିଆଲ୍ ଟାକ୍ସ ଅଫିସର ଭାବେ କାର୍ଯ୍ୟରତ। ଏବେ ପରିବାର ତାଙ୍କ ସହ ନାହିଁ କିନ୍ତୁ ଏକ ବୃହତ କିନ୍ନର ସମାଜ ପାଇଁ ସେ ସାଜିଛନ୍ତି ପ୍ରେରଣାର ଉତ୍ସ। ଜୀବନସାଥୀ କରିବା ପାଇଁ ଜଣେ ଭଲ ପୁଅ ସନ୍ଧାନରେ ଅଛନ୍ତି ଐଶ୍ୱର୍ଯ୍ୟା। ସେ କୁହନ୍ତି, ସମସ୍ତଙ୍କ ଭିତରେ ଅନ୍ତର୍ନିହିତ ପ୍ରତିଭା ଅଛି। କେବଳ ତାକୁ ଚିହ୍ନିପାରିଲେ ଜଣେ ଉଚ୍ଚ ସୋପାନକୁ ପହଞ୍ଚିପାରିବ।
ସଫଳତାର ନାଁ ସାଧନା
ମୁଁ କିନ୍ନର, କିନ୍ତୁ ତା’ ଅର୍ଥ ନୁହେଁ ଯେ ମୁଁ ଉତ୍ତେଜିତ କରିବା ଭଳି ପୋଷାକ ପିନ୍ଧିବି କି ଜୋର୍ରେ ତାଳି ମାରି ନିଜକୁ ପ୍ରମାଣିତ କରିବି। ବରଂ ମୁଁ ସମ୍ମାନର ସହ ବଞ୍ଚିବି। ଏଇଭଳି ଏକ ଝୁଙ୍କ୍ କେନ୍ଦୁଝରର ସତ୍ୟସୁନ୍ଦରଙ୍କୁ ସଫଳ କିନ୍ନର ସାଧନା ମିଶ୍ର ନାମରେ ପରିଚୟ ଦେଲା। ଝିଅଙ୍କ ସ୍ୱଭାବ ଯୋଗୁଁ ନିଜ ଭାଇ, ସାଙ୍ଗ ଓ ଶିକ୍ଷକଙ୍କଠାରୁ ସାଧନାଙ୍କୁ ବହୁ ହିନିମାନ ହେବାକୁ ପଡ଼ିଥିଲା। ପଢ଼ିବା ସମୟରେ ନିଜର କିନ୍ନର ପରିଚୟକୁ ଲୁଚାଇ ରଖିଥିଲେ। କିନ୍ତୁ ବିଶ୍ୱର ଗେ ପ୍ରିନ୍ସ ଭାବେ ପରିଚିତ ମାନବେନ୍ଦ୍ର ସିଂହ ଏବଂ ଗୁରୁ ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କ ସଂସ୍ପର୍ଶରେ ଆସିବା ପରେ କିନ୍ନରଙ୍କ ଅଧିକାର ପାଇଁ କାମ କରିବା ଆରମ୍ଭ କଲେ। ପ୍ରଥମ କିନ୍ନର ଭାବେ ସେ ପାସ୍ପୋର୍ଟ ପ୍ରସ୍ତୁତ କରିଥିଲେ। ସୋସିଆଲ୍ ଓ୍ଵାର୍କ ଆଣ୍ଡ୍ ବିଜ୍ନେସ୍ ଆଡ୍ମିନଷ୍ଟ୍ରେସନ୍ରେ ଏମ୍ଏ ପରେ ସେ ଏବେ କିସ୍ରେ ସାମାଜିକ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରତ। କିସ୍ରେ ହଜାର ହଜାର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ‘ମା’ ଡାକ ଏବେ ତାଙ୍କ ପାଇଁ ସବୁଠୁ ବଡ଼ ସନ୍ତୋଷ।
‘କ୍ୟାବ୍’ ଓ ମେଘନା
ପୁଅଙ୍କ ଡ୍ରେସ୍ ପିନ୍ଧୁଥିଲେ। କିନ୍ତୁ ଝିଅଙ୍କ ମେଳରେ ରହିବାକୁ ଭଲ ପାଉଥିଲେ। ସେଇଥିପାଇଁ କିଛି ଗାଁ ଲୋକ ତାଙ୍କୁ ଛକା ବୋଲି କହୁଥିଲେ। ୨୦୦୩ରେ +୩ ପ୍ରଥମ ବର୍ଷରେ ବିଜୁ ପଟ୍ଟନାୟକ କଲେଜରେ ପଢ଼ିବା ବେଳେ କିଛି ସାଙ୍ଗଙ୍କ ସହ ଆଇଜି ପାର୍କ ଯାଇଥିଲେ। ଯୋଗକୁ ସେଦିନ ସେଇ ପାର୍କରେ କିଛି କିନ୍ନର ବସିଥିଲେ। ପାର୍କରେ ବୁଲୁବୁଲୁ ତାଙ୍କ ସାଙ୍ଗମାନେ କିନ୍ନରମାନଙ୍କୁ ଦେଖେଇ କହିଲେ, ଏଇ ଦେଖ୍ ତୋ ଗୋଷ୍ଠୀ ବସିଛନ୍ତି। ସେଇଠୁ ମେଘନା ମୁହଁ ଛିଞ୍ଚାଡ଼ି ଚାଲି ଆସିଲେ। କିନ୍ତୁ ସେ କିନ୍ନର ଗୋଷ୍ଠୀ ସହ କଥା ହେବା ପରେ ନିଜେ କିନ୍ନର ବୋଲି ଉପଲବ୍ଧି କଲେ। ସେଇଠୁ ୨୦୦୬ରେ ଏମ୍ବିଏ ସାରି ଡ.ଲାଲ୍ସ ପାଥ୍ ଲ୍ୟାବ୍ରେ ମାର୍କେଟିଂ ବିଭାଗରେ ଚାକିରି କଲେ। କିନ୍ତୁ ଚୁଟି ବଢ଼ାଇବାରୁ ତାଙ୍କୁ ବିଦା କରି ଦିଆଗଲା। ପରେ କିଛି ଦିନ ଯାଇ ଦିଲ୍ଲୀରେ ଯାଇ ନବଜାତ ଶିଶୁଙ୍କୁ ଆଶୀର୍ବାଦ ଦେବା କାମ କଲେ। ଏବେ ସେ ଓଲା କ୍ୟାବ୍ ଚଲେଇବା ସହ ଓଡ଼ିଶାର ପ୍ରଥମ ତୃତୀୟ ଲିଙ୍ଗୀ ସାମ୍ବାଦିକ ଭାବେ ପେସାଗତ ଜୀବନ ଜୀଉଁଛନ୍ତି। ମାସକୁ ୩୦ ହଜାର ଟଙ୍କା ଆୟ କରୁଛନ୍ତି। ପୁଣି ଅନ୍ୟ ତୃତୀୟ ଲିଙ୍ଗୀଙ୍କୁ ଏହି କ୍ୟାବ୍ କ୍ଷେତ୍ରରେ ପ୍ରବେଶ କରାଇବା ପାଇଁ ମାଗଣା ଡ୍ରାଇଭିଂ ତାଲିମ୍ ସହ କ୍ୟାବ୍ ଚଳାଇବା କ୍ଷେତ୍ରରେ ସହଯୋଗ କରୁଛନ୍ତି।