‘ସମ୍ବାଦ’ ସମ୍ପାଦକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ମେୟର

ଦୁଆର ମୁହଁରେ ମିଳିବ ସେବା: ସୁଲୋଚନା

ଭୁବନେଶ୍ବର : ବୁଧବାର ଦିନ ଭୁବନେଶ୍ବର ମେୟର ସୁଲୋଚନା ଦାସ ‘ସମ୍ବାଦ’ ଭବନ ପରିଦର୍ଶନ କରିଛନ୍ତି। ସେ ପ୍ରଥମେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ ବିକାଶମୂଳକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ କହିଲେ ଯେ ମୁଁ ପୂର୍ବରୁ ଗଣମାଧ୍ୟରେ ଥିଲି। ଏବେ କିନ୍ତୁ ବାଟ ବଦଳି ଯାଇଛି। ନିର୍ବାଚନ ପରେ ସମୟ ଅଭାବରୁ ସାକ୍ଷାତ କରିବାକୁ ଆସି ପାରୁନଥିଲି। ୟା’ ଭିତରେ ମେୟର୍‌ ଭାବେ ଶପଥ ନେବାକୁ ମାସେ ପୂରିଲାଣି। ଲୋକଙ୍କର ମୋ ଉପରେ ବହୁତ ଭରସା ରହିଛି। ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ସଂକଳ୍ପ ନେଇ କାର୍ଯ୍ୟ କରୁଛି। ସବୁ କର୍ପୋରେଟର ଓ ବିଏମ୍‌ସିର ଅଧିକାରୀ ସମସ୍ତେ ବହୁତ ସହଯୋଗ କରୁଛନ୍ତି। ଏବେ ଦାୟିତ୍ବ ବଢ଼ିଛି, କାର୍ଯ୍ୟ ପରିସର ମଧ୍ୟ ବଢ଼ିଛି। ସମସ୍ତଙ୍କ ସହଯୋଗରେ ଭୁବନେଶ୍ବର ସହରକୁ କିଭଳି ସବୁ ଦିଗରୁ ବିକାଶର ଶିଖରରେ ପହଞ୍ଚାଯାଇ ପାରିବ ସେ ନେଇ ଉଦ୍ୟମ ଜାରି ରହିବ। ସହରରେ ଅନେକ ସମସ୍ୟା ରହିଛି କିନ୍ତୁ ତା’ର ସ୍ଥାୟୀ ସମାଧାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଶ୍ରୀମତୀ ଦାସ କହିଛନ୍ତି, ମୁଖ୍ୟତଃ ଡ୍ରେନ୍‌ ସମସ୍ୟାର ସ୍ଥାୟୀ ସମାଧାନ କରାଯିବାକୁ ଆମେ ଗୁରୁତର ସହ ନେଇଛୁ। ୭୫ଟି ସ୍ଥାନ ଚିହ୍ନଟ କରାଯାଇଛି। ଏବେ ୪୦ଟି ସ୍ଥାନରେ କାମ ଚାଲିଛି। ଡ୍ରେନ୍‌ ପୁନରୁଦ୍ଧାର କରାଯାଉଛି। ଡ୍ରେନ୍‌ର ଦୁଇ କଡରେ କଂକ୍ରିଟ୍‌ ୱାଲ୍‌ କରାଯାଇ ଉପରେ ତାର ଜାଲି ଦିଆଯାଉଛି। ସବୁ ଡ୍ରେନ୍‌କୁ ପର୍ଯ୍ୟାୟକ୍ରମେ ଜବରଦଖଲ ମୁକ୍ତ କରାଯାଉଛି। ଯେଉଁଠି ସରକାରୀ ଜାଗା ନାହିଁ, ସେଠି ଘରୋଇ ଜମି ମାଲିକଙ୍କ ସହ ଆଲୋଚନା କରାଯାଇ କାମକୁ ତ୍ବରାନ୍ବିତ କରାଯିବ। ବର୍ଷା ଆଉ ମାତ୍ର ଦୁଇ, ଅଢ଼େଇ ମାସ ଅଛି। ତେଣୁ ବର୍ଷା ପୂର୍ବରୁ ହୁଏତ ସବୁ କାମ ସରିବ ନାହିଁ। କିନ୍ତୁ ଆସନ୍ତାବର୍ଷକୁ ସବୁ ସମସ୍ୟା ଦୂର ହୋଇଯିବ। ପରିମଳ, ରାସ୍ତା, ସ୍ବେରେଜ୍‌, ଭେଣ୍ଡିଂଜୋନ୍‌ ସବୁ କାମକୁ ଆମେ ଫୋକସ୍‌ରେ ରଖିଛୁ। ୨୦୦୩ ମସିହାରୁ ବିଏମ୍‌ସି ହେଲାଣି। ହେଲେ ୨୦୧୭ ମସିହାରେ ଡ୍ରେନେଜ୍‌ ଡିଭିଜନ୍‌ ବିଏମ୍‌ସି ଅଧୀନକୁ ଆସିଲା। ପ୍ଲାନିଂ ବିଡିଏ ହାତରେ ଥିଲା। ଏବେ ବିଏମ୍‌ସି ହାତକୁ ଆସିଛି। ସେଥିପାଇଁ ସେହି କାର୍ଯ୍ୟସବୁ ସମୟ ଲାଗୁଛି। ଏବେ ୱାର୍ଡ ଅଫିସ୍‌ ଗୁଡ଼ିକୁ ଠିକ୍‌ କରାଯାଉଛି। ୱାର୍ଡ ଅଫିସ୍‌ରେ କର୍ପୋରେଟର୍‌, ୱାର୍ଡ ଅଫିସର, ସାନିଟାରି ଇନ୍‌ସ୍ପେକ୍ଟର(ଏସ୍‌ଆଇ)ଙ୍କ ସମେତ ଅନ୍ୟ ଅଧିକାରୀ ବସିବେ। ସେଠାରେ ଲୋକଙ୍କର ୯୦ ପ୍ରତିଶତ ସମସ୍ୟାର ସମାଧାନ କରାଯିବ। ଦୁଆର ମୁହଁରେ ଲୋକଙ୍କୁ ସେବା ଯୋଗାଇ ଦିଆଯିବ। ୱାର୍ଡ ଅଫିସ୍‌ ହେଲେ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ହେବା ସହ ଟିକସ ଆଦାୟ ହେବ ଓ ରାଜସ୍ବ ବଢ଼ିବ। ଏଥିସହ ତିନିଟି ଜୋନ୍‌ ଅଫିସ୍‌ ଉପରେ କାର୍ଯ୍ୟଭାର କମିଯିବ ବୋଲି ଶ୍ରୀମତୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର