ରାଷ୍ଟ୍ରମୁଖ୍ୟ ଦ୍ରୌପଦୀ ଆମର ଗର୍ବ: ଅତନୁ

‘ପ୍ରଗତିବାଦୀ’ରେ ଆଜାଦି କା ଅମୃତ ମହୋତ୍ସବ

ଭୁବନେଶ୍ବର: ଆଜାଦି କା ଅମୃତ ମହୋତ୍ସବ ଓ ପ୍ରଗତିବାଦୀର ୫୦ତମ ଜୟନ୍ତୀ ଅବସରରେ ଆଜି ପ୍ରଗତିବାଦୀ କାର୍ଯ୍ୟାଳୟ‌ରେ ଏକ ସ୍ବତନ୍ତ୍ର ଉତ୍ସବ ଆୟୋଜିତ ହୋଇଯାଇଛି। ଏଥିରେ ‘ସ୍ବାଧୀନତାରେ ମହିଳାଙ୍କ ଭୂମିକା’ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଲେ, ଓଡ଼ିଆ ମହିଳା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରମୁଖ୍ୟ ପଦରେ ଅଧିଷ୍ଠିତ ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ।

ମୁଖ୍ୟବକ୍ତା ସ୍ବାଧୀନତା ସଂଗ୍ରାମୀ କୃଷ୍ଣା ମହାନ୍ତି କହିଲେ, ପ୍ରଗତିବାଦୀ ଜରିଆରେ ରାଷ୍ଟ୍ରପତିଙ୍କୁ ମୋର ଅନୁରୋଧ ଯେ ସେ ଦେଶକୁ ନିଶାମୁକ୍ତ କରି ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ। କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ ଜଷ୍ଟିସ୍‌ ମନୋରଞ୍ଜନ ମହାନ୍ତି କହିଲେ, ଦେଶ ସ୍ବାଧୀନ ହେବା ପରେ ଅନେକ ଆଶା ଆଶାରେ ରହି ଯାଇଥିଲା। ତତ୍କାଳୀନ ବିହାର-ଓଡ଼ିଶା ପ୍ରଦେଶର ଚମ୍ପାରଣ ଜିଲ୍ଲାରେ ମହିଳାମାନଙ୍କ ଏକ ସମସ୍ୟା ରମାଦେବୀଙ୍କ ଦୃଷ୍ଟିଗୋଚର ହୋଇଥିଲା। ତାହା ସେତେବେଳେ ଗାନ୍ଧୀଜୀଙ୍କୁ ବ୍ୟଥିତ କରିଥିଲା। ପରେ ଗାନ୍ଧୀଜୀ ବିଦେଶ ଲୋକମାନଙ୍କୁ ଆମ ଦେଶର ବସ୍ତ୍ର କିଣିବା ପାଇଁ କହିଥିଲେ ଓ ବସ୍ତ୍ର ବିକ୍ରି ହେବାରୁ ସେହି ମହିଳାମାନଙ୍କ ସମସ୍ୟା ଦୂର ହୋଇପାରିଥିଲା।

ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଅଧ୍ୟକ୍ଷା ଶାଶ୍ବତୀ ବଳ, ସ୍ବଚ୍ଛତା କାର୍ଯ୍ୟକ୍ରମରେ ନିୟୋଜିତ କର୍ମଚାରୀ ରାହାସ ନାୟକ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ବାଧୀନତା ସଂଗ୍ରାମୀ ଓ ଦାୟାଦମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଶ୍ରୀ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର