ଟ୍ୟାପ୍‌ ଅଛି ପାଣି ନାହିଁ; ଅଚଳ ନଳକୂପ

ରେଳ ଷ୍ଟେସନ୍‌ରେ ଗ୍ରୀଷ୍ମ ପ୍ରସ୍ତୁତି ଏମିତି...

ଭୁବନେଶ୍ୱର: ଜଳୁଛି ସହର। ୪୦ ଡିଗ୍ରି ତାପମାତ୍ରାରେ ସିଝୁଛନ୍ତି ସହରବାସୀ। ପେଟରେ ଖାଦ୍ୟ ଥାଉକି ନଥାଉ ମଣିଷ ଖୋଜୁଛି ପାଣି। ଟ୍ରେନ୍‌କୁ ଅପେକ୍ଷା କରିଥିବା ଯାତ୍ରୀଟିଏ ପାଇଁ ପାଣି ଯେମିତି ଜୀବନ ହୋଇଛି। ସେଥିପାଇଁ ସମସ୍ତ ଷ୍ଟେସନ୍‌ରେ ରେଳ ବିଭାଗ ଏହି ପାଣି ବ୍ୟବସ୍ଥା କରିଛି। ପ୍ଲାଟଫର୍ମରେ ଅତି କମ୍‌ ଦୂରତାରେ ଟ୍ୟାପ୍‌ ବସାଯାଇ ପାଣିକୁ ସହଜଲବ୍ଧ କରାଯାଇଛି। ବିଭିନ୍ନ ଫୋରମ୍‌ରେ ଯାତ୍ରୀଙ୍କ ସୁବିଧା(ପାସେଞ୍ଜର ଆମେନିଟିଜ୍‌) ଉପଲବ୍ଧତାକୁ ନେଇ ଆଲୋଚନା ବେଳେ ରେଳବିଭାଗ ଏହି ପ୍ରସଙ୍ଗକୁ ପ୍ରାଥମିକତା ଦେଇଛି। ଏହାର ବାସ୍ତବତା ଅନୁଧ୍ୟାନ କରିବା ପାଇଁ ଆମେ ପହଞ୍ଚିଥିଲୁ କେତେକ ରେଳ ଷ୍ଟେସନ୍‌ରେ। ମାଷ୍ଟରକ୍ୟାଣ୍ଟିନ୍‌ରେ ଥିବା ମୁଖ୍ୟ ଷ୍ଟେସନ୍‌କୁ ଯଥାସମ୍ଭବ ବ୍ୟବସ୍ଥିତ କରାଯାଇଥିବା ବେଳେ ଅନ୍ୟ ସମସ୍ତ ଷ୍ଟେସନ୍‌ରେ ରହିଥିଲା ସମସ୍ୟା। କେଉଁଠି ଟ୍ୟାପ୍‌ ନଥିଲା ତ କେଉଁଠି ପାଣି ବାହାରୁ ନଥିଲା। ନଳକୂପ ଥିଲେ ମଧ୍ୟ ସେଥିରୁ ବ୍ୟବହାର ପାଣି ପାନୀୟ ଅନୁପଯୁକ୍ତ ଥିଲା। ଆଉ କେଉଁଠି ଅଚଳ ଟ୍ୟାପ୍‌ଦେଇ ଅକାରଣରେ ପାଣି ବୋହି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା କେଉଁ ଉପାନ୍ତ ଇଲାକାରେ ନୁହେଁ, ବରଂ ରାଜଧାନୀରେ ଥିବା କେତେକ ରେଳଷ୍ଟେସନ୍‌ର ଦୃଶ୍ୟ। ପୋଖରିପୁଟକୁ ଲାଗି ରହିଛି ଲିଙ୍ଗରାଜ ଷ୍ଟେସନ୍‌। ପୁରୀରୁ ଆସିବା ବେଳେ ଏହାକୁ ଭୁବନେଶ୍ୱରର ପ୍ରଥମ ଷ୍ଟେସନ୍‌ କୁହାଯାଇପାରେ। ପ୍ରସିଦ୍ଧ ଶୈବ ପୀଠକୁ ଯିବା ପାଇଁ ଏହି ଷ୍ଟେସନ୍‌ ଗୁରୁତ୍ୱ ରଖେ। ସମସ୍ତ ଲୋକାଲ ଟ୍ରେନ୍‌ ଏଠାରେ ରହିବା ବ୍ୟବସ୍ଥା ହୋଇଛି। ଏଠାରେ ପାନୀୟଜଳ ଉପଲବ୍ଧ ଅଛି। ହେଲେ ଟ୍ୟାପ୍‌ ଖରାପ ଯୋଗୁ ପାଣି ଅକାରଣରେ ବୋହି ଯାଉଛି। ଏହା ପରେ ରହିଛି ମୁଖ୍ୟ ଷ୍ଟେସନ୍‌। ଏଥିରେ ପାନୀୟଜଳ ଉପଲବ୍ଧତା ନେଇ ଯଥେଷ୍ଟ ଉଦ୍ୟମ କରାଯାଇଛି। ବାଣୀବିହାର ଷ୍ଟେସନ୍‌ର ଅଧିକାଂଶ ଟ୍ୟାପ୍‌ ଖରାପ୍‌। ପାଣି ଆସୁନାହିଁ। ଗୋଟିଏ ଟ୍ୟୁବ୍‌େଓ୍ଵଲ ମଧ୍ୟ ରହିଛି। ହେଲେ ପାଣି ବାହାରୁନି। ମଞ୍ଚେଶ୍ୱର ଷ୍ଟେସନ୍‌ରେ ପାନୀୟ ଜଳ ଉପଲବ୍ଧ। ଏହା ପରେ ରହିଛି ପଟିଆ ଷ୍ଟେସନ। ପ୍ଲାଟଫର୍ମରେ ମାତ୍ର ଦୁଇଟି ନଳକୂପ ରହିଛି। ଗୋଟିଏରୁ ପାଣି ବାହାରୁ ନଥିବା ବେଳେ ଅନ୍ୟଟିକୁ ୫ ମିନିଟ୍‌ ମାରିବା ପରେ ପାଣି ବାହାରୁଛି। ହେଲେ ତାହା ପେଟ୍ରୋଲ ଭଳି ଦିଶୁଛି। ଫଳରେ ପିଇବା ଉପଯୋଗୀ ହେଉନାହିଁ। ଏହା ପରେ ରହିଛି ଭୁବନେଶ୍ୱର ନିୟୁ ଷ୍ଟେସନ୍‌। ୫ ବର୍ଷ ହେଲା ଏହା ନିର୍ମାଣାଧୀନ ରହିଛି। ସମସ୍ତ ପ୍ରକାରର ଯନ୍ତ୍ରପାତି ରହିଥିବା ବେଳେ ବିଭିନ୍ନ କାମ ପାଇଁ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଛନ୍ତି। ଏଠାରେ ୯ଟି ଧାରଣା ହେବାକୁ ଯାଉଛି। ଆନୁଷ୍ଠାନିକ ଭାବରେ ଏହା ରହଣି ଷ୍ଟେସନ୍‌ ଭାବେରେ ଘୋଷଣା ହୋଇ ନଥିଲେ ମଧ୍ୟ ଅନେକ ସମୟରେ ଏଠାରେ ଟ୍ରେନ୍‌ ରହୁଛି। ମାତ୍ର ଦୁଇଟି ପ୍ଲାଟଫର୍ମରେ ପାଣି ସୁବିଧା ରହିଥିବା ବେଳେ ଅନ୍ୟଗୁଡ଼ିକରେ ଉପଲବ୍ଧ ହେଉନାହିଁ। ତେବେ କାର୍ଯ୍ୟକ୍ଷମ ହେବା ପୂର୍ବରୁ ସମସ୍ତ ପ୍ଲାଟଫର୍ମରେ ପାନୀୟଜଳ ଉପଲବ୍ଧ ହେବ ବୋଲି କର୍ତୃପକ୍ଷ କହିଛନ୍ତି। କିନ୍ତୁ ଅନ୍ୟ ଷ୍ଟେସନ୍‌ଗୁଡ଼ିକରେ ଯାତ୍ରୀମାନେ ପାନୀୟଜଳ ପାଇଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ପରିଲିକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର