ଓସା ମହୋତ୍ସବ : ପାଠାଗାର ଆନ୍ଦୋଳନ ଲୋଡ଼ା

ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ବର୍ଷରେ ରାଜ୍ୟର ସମସ୍ତ ବ୍ଲକରେ ପାଠାଗାର ପ୍ରତିଷ୍ଠା କରିବାକୁ ସରକାର ଘୋଷଣା କରିଥିଲେ। ଇତି ମଧ୍ୟରେ ୨୫ ବର୍ଷ ବିତିଯାଇଛି। ଗାନ୍ଧୀଜୀଙ୍କର ୧୫୦ତମ ଜନ୍ମ ବାର୍ଷିକକୁ ରାଜ୍ୟ ସରକାର ଧୁମ୍‌ଧାମରେ ପାଳନ କରୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ପାଠଗାର ପ୍ରତିଷ୍ଠା ହୋଇପାରିନି। ୧୩ଟି ଜିଲ୍ଲାରେ ଜିଲ୍ଲା ପାଠାଗାର ନାହିଁ। ଯେଉଁ ୧୭ଟି ଜିଲ୍ଲାରେ ପାଠାଗାର ରହିଛି, ସେଠାରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ୨୫ବର୍ଷର ନିଷ୍ପତ୍ତି କେବଳ କାଗଜକଲମରେ ରହିଛି। ପାଠାଗାର ନିର୍ଦେଶାଳୟ ପ୍ରତିଷ୍ଠା କରାଯିବା ସହ ନିର୍ଦେଶକ ନିଯୁକ୍ତି ଲାଗି ନିଷ୍ପତ୍ତି ହୋଇଥିଲେ ମଧ୍ୟ ତାହା ଆଗକୁ ବଢ଼ି ପାରିନି। ରାଜ୍ୟ ସରକାର ଏ ଦିଗରେ ଉଦ୍ୟମ କରିବା ସହ ସିଭିଲ୍‌ ସୋସାଇଟିମାନଙ୍କୁ ସାମିଲ କରିବା ଦରକାର। ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ସର୍ବସାଧାରଣ ପାଠାଗାର ଆନ୍ଦୋଳନ ଆରମ୍ଭ କରିବାକୁ ଓସା(ଦି ଓଡ଼ିଶା ସୋସାଇଟି ଅଫ୍‌ ଦି ଆମେରିକାସ୍‌) ମହୋତ୍ସବରେ ମତପ୍ରକାଶ ପାଇଛି।

ଓସା ଓ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟନ କରି କହିଲେ, ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଭାଗବତ ଟୁଙ୍ଗୀଗୁଡ଼ିକର ପୁନରୁଦ୍ଧାର ଦିଗରେ ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଥିବା ପାଠାଗାରଗୁଡ଼ିକ ଅନ୍ୟ ବିଭାଗ ଅଧୀନରେ ଆସୁଥିବାରୁ ସେଗୁଡ଼ିକର ବିକାଶ କରାଯାଇପାରୁନି। ଖୁବ୍‌ଶୀଘ୍ର ପାଠାଗାରଗୁଡ଼ିକର ବିକାଶ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ପୁରାତନ ଛାତ୍ରଛାତ୍ରୀଙ୍କୁ କଲେଜ ଓ ବିଶ୍ବବିଦ୍ୟାଳୟ ସହ ‌ଯୋଡ଼ିବା ପାଇଁ ମୋ’ କଲେଜ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପରିଚାଳନା ବୋର୍ଡ ଗଠନ ସହ ପଞ୍ଜୀକରଣ ସରିଛି। ଅନୁମୋଦନ ହେବା ପରେ କାର୍ଯ୍ୟକ୍ରମ ଆରମ୍ଭ ହେବ। ଓଡ଼ିଶା ହାଉସିଂବୋର୍ଡର ଚେୟାରମ୍ୟାନ୍‌ ପ୍ରିୟଦର୍ଶୀ ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଓସାର ସଭାପତି କୁକୁ ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ଅନିଲ୍‌ ପଟ୍ଟନାୟକ, କୋଷାଧ୍ୟକ୍ଷ ଉତ୍କଳ ନାୟକ ଉପସ୍ଥିତ ଥିଲେ।

‘ପବ୍ଲିକ ଲାଇବ୍ରେରି ଓପନ ଫୋରମ୍‌’ ଶୀର୍ଷକ ପ୍ରଥମ ଅଧିବେଶନରେ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ସାହିତ୍ୟିକ ଅସିତ୍‌ ମହାନ୍ତି, ନିଶିକାନ୍ତ ସାହୁ, ଏନ୍‌ଆଇସିର ରାଜ୍ୟ ସୂଚନା ଅଧିକାରୀ ପ୍ରତିଭା ସିଂ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଏଚ୍‌ଆର୍‌ ଗ୍ରୁପ୍ ସଭାପତି ବିଜୟ ସାହୁ, ଅଜୟ ମହାନ୍ତି, ଦିନେଶ ତ୍ୟାଗୀ ପ୍ରମୁଖ ଭାଗ ନେଇଥିଲେ। ‘ସୋସିଆଲ ଏଣ୍ଟରପ୍ରିନରସିପ୍‌’ ଶୀର୍ଷକ ଦ୍ବିତୀୟ ଅଧିବେଶନରେ ଆଇଆଇଇସିର ଶିଶିର ଦାସ ଓ ଶର୍ମିଲା ପଟ୍ଟନାୟକ, ସିୱାଇଏସ୍‌ଡିର ପ୍ରତିଷ୍ଠାତା ଜଗଦାନନ୍ଦ, ମୋ’ ସ୍କୁଲର ସିଓଓ ଅମରଜିତ୍‌ ଜେନା, ଉନ୍ନୟନ ଓଡ଼ିଶାର ରଶ୍ମି ମହାପାତ୍ର ପ୍ରମୁଖ। ଯୋଗ ଦେଇଥିଲେ। ଅପରାହ୍‌ଣରେ ଅନୁଷ୍ଠିତ ‘ଆମରି ଭାଷା: ଆମ ସଂସ୍କୃତି ଓ ଜୀବନଧାରାର ମୂଳଭିତ୍ତି’ ଶୀର୍ଷକ ତୃତୀୟ ଅଧିବେଶନରେ ବିଶିଷ୍ଟ କଥାକାର ଗୌରହରି ଦାସ, ସ୍ତମ୍ଭକାର ଭଗବାନ ପ୍ରକାଶ, ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ‌ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର