ସାନ୍ତା ଉପହାର ଓ ଯିଶୁଙ୍କ ଧରାବତରଣକୁ ଅପେକ୍ଷା: ଅବତରିବେ ଯିଶୁଖ୍ରୀଷ୍ଟ

ଭୁବନେଶ୍ବର: ଆଲୋକମାଳାରେ ଝଲସିଲାଣି ଚର୍ଚ୍ଚ। ସହରର ଗଳିକନ୍ଦିରେ ଖୋଲିଲାଣି ଖ୍ରୀଷ୍ଟମାସ୍‌ ସାମଗ୍ରୀର ସମ୍ଭାର। ରଙ୍ଗବେରଙ୍ଗ ଫୁଲରେ ନିଜ ଦୋକାନ ଭର୍ତ୍ତି କଲେଣି ଫୁଲ ବେପାରୀ। ଚାରିଆଡେ଼ ଖେଳି ଯାଇଛି ଖୁସିର ବାତାବରଣ। ଏସବୁ ସୂଚାଇ ଦେଉଛି ଯେ, ଭଗବାନ ଧରାବତରଣ କରୁଛନ୍ତି। ଡିସେମ୍ବର ୨୫ ବଡ଼ଦିନ ପର୍ବ ଥିବା ବେଳେ ଖ୍ରୀଷ୍ଟିଆନ୍‌ ଭାଇଭଉଣୀଙ୍କ ସମେତ ସବୁ ବର୍ଗର ଲୋକ ଯିଶୁଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏ ନେଇ ଖାଲି ଚର୍ଚ୍ଚ ନୁହେଁ ରାଜଧାନୀର ପ୍ରମୁଖ ସପି˚ ମଲ୍‌ଗୁଡ଼ିକ ମଧ୍ୟ ଆଲୋକମାଳାରେ ସଜେଇ ହେଲାଣି। ପିଲାମାନେ ଚାହିଁ ରହିଛନ୍ତି ସାନ୍ତାକ୍ଲଜ୍‌ର ଆଗମନ ଓ ଉପହାର ପାଇଁ। ରାଜଧାନୀର ପ୍ରମୁଖ ଚର୍ଚ୍ଚରେ ଖ୍ରୀଷ୍ଟମାସ ପାଳନ ତଥା ପ୍ରଭୁ ଯିଶୁଙ୍କ ଧରାବତରଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଚର୍ଚ୍ଚରେ ଶୋଭାବର୍ଦ୍ଧନ କରିବ ଖ୍ରୀଷ୍ଟମାସ ଟ୍ରି ପାର୍କ, ଗୁହାଳ ଘର
ସତ୍ୟନଗରସ୍ଥିତ ‘ଭିନ୍‌ସେଣ୍ଟ କ୍ୟାଥଲିକ୍‌ ଚର୍ଚ୍ଚ’ରେ ପ୍ରସ୍ତୁତି ଶେଷ ହୋଇଛି। କଟକ-ଭୁବନେଶ୍ବର ଆର୍ଚ ବିଷପ୍‌ ଜନ୍‌ ବର‌୍‌ଵା କୁହନ୍ତି, ଡିସେମ୍ବର ପ୍ରଥମ ରବିବାରରୁ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସମୟକୁ ଯିଶୁଙ୍କ ଆଗମନ କାଳ ବୋଲି ବିଶ୍ବାସ କରାଯାଏ। ଏହି ସମୟରେ ଯିଶୁଙ୍କ ଧରାବତରଣକୁ ଉତ୍ସାହର ସହ ଅପେକ୍ଷା କରାଯାଏ। କ୍ୟାଥ୍‌ଲିକ୍‌ ମଣ୍ତଳୀର ଯୁବପିଢ଼ି ଏହି ଅବସରରେ ଘର ଘର ବୁଲି କାରୋଲ୍‌ ଗାଇ ଯିଶୁ ଧରାବତରଣ କରୁଛନ୍ତି ବୋଲି ବାର୍ତ୍ତା ଦେଇଥା’ନ୍ତି। ଏହି ସମୟରେ ନିଜ ଦୋଷ ସ୍ବୀକାର କରିବା ସହ ବିଗିଡ଼ି ଯାଇଥିବା ସମ୍ପର୍କକୁ ସୁଧାରିବାକୁ ଚେଷ୍ଟା କରାଯାଇଥାଏ। ସମସ୍ତଙ୍କୁ ଖୁସିର ବାର୍ତ୍ତା ଦିଆଯାଏ। ଚର୍ଚ୍ଚରେ ପ୍ରାର୍ଥନା, ଉପବାସ, ଧ୍ୟାନ ଓ ଦିବ୍ୟଯଜ୍ଞ କରାଯାଇଥାଏ। ଯୀଶୁଙ୍କ ଜନ୍ମୋତ୍ସବ ପାଳନ ପୂର୍ବରୁ କ୍ୟାଥଲିକ୍‌ ମଣ୍ଡଳୀ ୨୪ ତାରିଖ ରାତିରୁ ଦିବ୍ୟଯଜ୍ଞର ଆୟୋଜନ କରିବ। ଏହି ଆଧ୍ୟାତ୍ମିକ ସମାବେଶରେ ସମସ୍ତ ସମ୍ପ୍ରଦାୟର ଲୋକେ ଏକତ୍ର ହେବେ। ଚଳିତ ବର୍ଷ ଚର୍ଚ୍ଚ ପରିସରରେ ସ୍ବତନ୍ତ୍ର ୨୫ ଫୁଟର ଖ୍ରୀଷ୍ଟମାସ ଟ୍ରି ପ୍ରସ୍ତୁତ କରାଯାଇଛି। ଫାଦର କୁହନ୍ତି, ଯିଶୁ ଯେତେବେଳେ ଜନ୍ମଗ୍ରହଣ କରିଥିଲେ, ସେହି ସମୟରେ ଗଛ ପତ୍ରଛଡ଼ା ଦେଇ ଥୁଣ୍ଟା ପ୍ରାୟ ଥିଲା। କିନ୍ତୁ ପାଇନ୍‌ ଜାତୀୟ ବୃକ୍ଷ ସବୁବେଳେ ସବୁଜ। ସବୁଜ ରଙ୍ଗ ଜୀବନର ପ୍ରତୀକ ହୋଇଥିବାରୁ ଖ୍ରୀଷ୍ଟମାସ୍‌ ଟ୍ରିର ଏହି ପବିତ୍ର ଦିନରେ ଗୁରୁତ୍ବ ଅଧିକ। ଯିଶୁ ମଦର ମେରୀଙ୍କ ଗର୍ଭରୁ ଏକ ଗୁହାଳ ଘରେ ଜନ୍ମଗ୍ରହଣ କରିଥିଲେ। ଏହାର ପ୍ରତୀକ ସ୍ବରୂପ ଚର୍ଚ୍ଚ ସମ୍ମୁଖରେ ଗୁହାଳ ଘର ପ୍ରସ୍ତୁତ କରାଯାଇଛି। ଏହାକୁ ଆକର୍ଷଣୀୟ ଢଙ୍ଗରେ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ଏହି ସମୟ ମଧ୍ୟରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ସାନ୍ତାକ୍ଲଜ୍‌ ଦ୍ବାରା ଉପହାର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଯିଶୁ ହେଉଛନ୍ତି ମାନବ ସମାଜ ପାଇଁ ପ୍ରେମ, ଶାନ୍ତି, ଦୟା, କ୍ଷମା ଓ ନ୍ୟାୟର ପ୍ରତୀକ ବୋଲି ସେ କହିଛନ୍ତି। ସେହିପରି ଖ୍ରୀଷ୍ଟମାସ ପାଳନ ପାଇଁ ୟୁନିଟ୍‌-୪ ସ୍ଥିତ ୟୁନିୟନ୍‌ ଚର୍ଚ୍ଚରେ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମ୍ପୂର୍ଣ୍ଣ ଚର୍ଚ୍ଚକୁ ଆଲୋକମାଳାରେ ସଜାଇବା ସହ ଚର୍ଚ୍ଚ ସମ୍ମୁଖରେ ଖ୍ରୀଷ୍ଟମାସ୍‌ ଟ୍ରି ଓ ଷ୍ଟାର‌୍‌ ଶୋଭା ପାଉଛନ୍ତି। ଏହି ଅବସରରେ ଚର୍ଚ୍ଚରେ କାରୋଲ ଗାନ କରାଯିବା ସହ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା, ବାଇବେଲ୍‌ ମେମୋରିଭର୍ସ ପ୍ରତିଯୋଗିତା, ଭକ୍ତି ସଙ୍ଗୀତ ଓ ବାଇବେଲ କୁଇଜ୍‌ ପ୍ରତିଯୋଗିତାର ଆୟୋଜନ କରାଯିବ। ଆସନ୍ତା ୨୫ ତାରିଖ ଦିନ ସକାଳ ୧୦ଟାରେ ଇ˚ରାଜୀରେ ଓ ଅପରାହ୍ନ ସାଢେ଼ ୩ଟାରେ ଓଡ଼ିଆରେ ପ୍ରାର୍ଥନା ହେବ।

ସମ୍ବନ୍ଧିତ ଖବର