କୁକୁରଙ୍କ ଉପରେ ଲାଗିବ କଟକଣା, ବିଏମ୍‌ସି ଆଣିବ ସ୍ବତନ୍ତ୍ର ଆଇନ

ଭୁବନେଶ୍ବର: ରାଜଧାନୀର ପୋଷା କୁକୁରଙ୍କ ପାଇଁ ଲାଗୁ ହେବ ସ୍ବତନ୍ତ୍ର ଆଇନ। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଆଇନ-୨୦୦୩ର ଧାରା ୪୦୯(ଖ) ଓ ୫୪୩(ଖ) ଅନୁଯାୟୀ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇପାରିବ। ଉକ୍ତ ଆଇନ ଆଧାରରେ ବିଏମ୍‌ସି ଏବେ କୁକୁରଙ୍କ ଉପରେ କଟକଣା ଲଗାଇବାକୁ ଅଣ୍ଟା ଭିଡ଼ିଛି। ପୋଷା ତଥା ଗୃହପାଳିତ କୁକୁରଙ୍କ ପଞ୍ଜୀକରଣ, ନିର୍ଦ୍ଧାରିତ ସମୟ ବ୍ୟବଧାନରେ ନବୀକରଣ, ସେମାନଙ୍କ ଟିକାକରଣ ସହିତ ପରିବେଶ ଓ ପରିମଳ ଉପରେ ଗୁରୁତ୍ବ ଦିଆଯାଇ ସ୍ବତନ୍ତ୍ର ଆଇନ ଅଣାଯିବ। ଏନେଇ ଚିଠାପ୍ରସ୍ତାବ ପ୍ରସ୍ତୁତ ସରିଥିବା ବେଳେ ଏବେ ପଶୁପ୍ରେମୀଙ୍କଠାରୁ ମତାମତ ଲୋଡ଼ାଯାଇଛି। ସେପଟେ ବୁଲା କୁକୁରଙ୍କ ବନ୍ଧ୍ୟାକରଣକୁ ମଧ୍ୟ ପ୍ରାଥମିକତା ଦେଇଛି ବିଏମ୍‌ସି। ପ୍ରତି ମାସରେ କିଭଳି ସହରରେ ଅଧିକରୁ ଅଧିକ ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରାଯିବ ସେନେଇ ଟେଣ୍ଡର ମଧ୍ୟମରେ ବିଭିନ୍ନ ସଂସ୍ଥାଙ୍କଠାରୁ ଟେଣ୍ଡର ଆହ୍ବାନ କରାଯାଇଥିବା ଜଣାପଡ଼ିଛି।

ପୋଷା କୁକୁରଙ୍କ ପାଇଁ ଆସିବ ସ୍ବତନ୍ତ୍ର ଆଇନ
ଚିଠା ପ୍ରସ୍ତାବ ଉପରେ ଆଲୋଚନା କଲା ବିଏମ୍‌ସି
୧୦ ଦିନ ମଧ୍ୟରେ ପ୍ରସ୍ତାବ ଦେଇପାରିବେ ପଶୁପ୍ରେମୀ
ବୁଲା କୁକୁରଙ୍କ ବନ୍ଧ୍ୟାକରଣ ସଂଖ୍ୟା ବଢ଼ିବ

ପୋଷା କୁକୁର କାମୁଡ଼ାକୁ ନେଇ ଗତ କିଛି ଦିନ ହେବ ଭୁବନେଶ୍ବର ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ଇନ୍‌ଫୋସିଟି ଥାନା ଅଧୀନ ତପସ୍ବିନୀ କଲୋନିରେ ଜଣେ ୮ବର୍ଷ ପିଲାଙ୍କୁ ଅନ୍ୟ ଜଣଙ୍କର ପୋଷା କୁକୁର କାମୁଡ଼ି ଦେଇଥିଲା। ଯେଉଁଥିରେ ପିଲାଟି ଗୁରୁତର ହେବା ସହ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। କଥା ଏମିତି ବଢ଼ିଯାଇଥିଲା ଯେ ଥାନାରେ ମାମଲା ସାଙ୍ଗକୁ ନ୍ୟାୟ ପାଇଁ ମାନବାଧିକାର କିମସନ, କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପିଲାର ପରିବାର। ଶେଷରେ କୁକୁରକୁ କଲୋନିରୁ ବିଦା ହେବାକୁ ପଡ଼ିଥିଲା। ଏହି ଘଟଣା ପରେ ବିଏମ୍‌ସି ପକ୍ଷରୁ କଠୋର ନିୟମ ଆଣିବାକୁ ରୂପରେଖ ପ୍ରସ୍ତୁତ କରାଯାଇଛି। ତେବେ ନିୟମ ଲାଗୁ ପୂର୍ବରୁ ଜନମତ ସଂଗ୍ରହ କରାଯିବ। ଏନେଇ ବିଏମ୍‌ସି ମେୟର ସୁଲୋଚନା ଦାସ, କମିସନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ ଆଜି ପଶୁପ୍ରେମୀ, ପଶୁ ମାଲିକ, ପୋଷା ପଶୁପକ୍ଷୀ ବ୍ୟବସାୟୀ, ପ୍ରାଣୀ ଚିକିତ୍ସକଙ୍କ ସହ ଆଲୋଚନା କରିଛନ୍ତି। ବିଏମ୍‌ସି ପକ୍ଷରୁ ଆସିବାକୁ ଥିବା ଚିଠା ପ୍ରସ୍ତାବକୁ ଡେପୁଟି କମିସନର ରମେଶ ଚନ୍ଦ୍ର ଜେନା ଉପସ୍ଥାପିତ କରିବା ପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ତେବେ ବିଏମ୍‌ସି ପକ୍ଷରୁ ଅଧିକ ଲୋକଙ୍କଠାରୁ ମତାମତ ଲୋଡ଼ାଯାଇଛି। ଆସନ୍ତା ୧୦ଦିନ ମଧ୍ୟରେ ଚିଠା ପ୍ରସ୍ତାବରେ ପରିବର୍ତ୍ତନ ଲାଗି ଲୋକେ ସୁଚିନ୍ତିତ ମତାମତ ଦେଇପାରିବେ। ଏହାପରେ ସଂଶୋଧିତ ଚିଠା ପ୍ରସ୍ତାବକୁ ବିଏମସି ବୈଠକରେ ଆଲୋଚନା କରି ଆଇନରେ ପରିଣତ କରାଯିବ।

ମେୟର ଶ୍ରୀମତୀ ଦାସ କହିଛନ୍ତି ଯେ ଭୁବନେଶ୍ବରରେ କୁକୁର ପ୍ରେମୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି। କୁକୁର କାମୁଡ଼ା ଘଟଣା ମଧ୍ୟ ବିଭିନ୍ନ ସମୟରେ ସାମ୍ନାକୁ ଆସୁଛି। ତାହା ଉପ‌ରେ ନଜର ରଖିବାକୁ ମହାନଗର ନିଗମ ଆଇନ‌‌ରେ ଥିବା ନିୟମ ଆଧାରରେ ଆମେ ବାଇ-ଲ’ ଆଣିବାକୁ ଯାଉଛୁ। ବାଇ ଲ’ ଏବେ ଚିଠାପ୍ରସ୍ତାବ ସ୍ତରରେ ରହିଛି। ଯେଉଁମାନେ କୁକୁର ପ୍ରେମୀ ରହିଛନ୍ତି ସେମାନଙ୍କ ସହ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଲୋଚନା କରିଛୁ। ଚିଠାପ୍ରସ୍ତାବ ଉପରେ ୧୦ ଦିନ ମଧ୍ୟରେ ମତାମତ ଆସିଲେ ତାହାକୁ ପରିବର୍ତନ କରାଯିବ। ବାଇ ଲ’ ଆସିବା ପରେ କୁକୁର ପ୍ରେମୀମାନେ ଉପକୃତ ହୋଇପାରିବେ।

ଗତ କିଛି ବର୍ଷ ହେଲା ରାଜଧାନୀରେ ଲୋକଙ୍କୁ କୁକୁର କାମୁଡ଼ା ମାମଲା ବଢ଼ିଚାଲିଛି। ବାହାରେ ବୁଲା କୁକୁର ଯେତିକି ଲୋକଙ୍କୁ କାମୁଡ଼ୁଛନ୍ତି, ଘରେ ପୋଷାକୁକୁର ବି ସମାନ ପରିମାଣରେ କାମୁଡ଼ି ଆହତ କରୁଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଦୈନିକ ଶତାଧିକ ଲୋକ କୁକୁର କାମୁଡ଼ା ଇଞ୍ଜେକ୍‌ସନ ନେଉଛନ୍ତି। ପ୍ରଜନନ ସମୟରେ ସାଧାରଣତଃ ରାତି ସମୟରେ ବୁଲା କୁକୁରମାନେ ଅଧିକ ହିଂସ୍ର ହୋଇଥାଆନ୍ତି। ତେଣୁ ରାଜଧାନୀର କର୍ମଜୀବୀମାନେ ବିଳମ୍ବିତ ରାତିରେ ଘରକୁ ଫେରିବା ବେଳେ ସମସ୍ୟାରେ ପଡ଼ନ୍ତି। ସେହିପରି ବହୁ ଲୋକ ସଉକରେ ଘରେ ପୋଷା କୁକୁର ରଖୁଛନ୍ତି, କିନ୍ତୁ ସେମାନଙ୍କ ସହ କିଭଳି ଚଳିବାକୁ ହେବ ସେନେଇ ସତର୍କ ହେଉନାହାନ୍ତି। ବହୁ ଲୋକ ସେମାନଙ୍କ ପୋଷା କୁକୁରଙ୍କୁ ଆବଶ୍ୟକ ଟିକାକରଣ କରାଉନାହାନ୍ତି। ତେଣୁ ସେଭଳି କ୍ଷେତ୍ରରେ ପୋଷା କୁକୁର ଖେଳୁଖେଳୁ ନଖ ବାଜିଯାଉଛି କିମ୍ବା ଦାନ୍ତ ବାଜିଯାଉଛି। ଫଳରେ କୁକୁର କାମୁଡ଼ା ଇଞ୍ଜେକ୍‌ସନ ନେବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର