ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ବିରୋଧ ପରେ ତେଜିଲା ରାଜନୀତି

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ପ୍ରତିବାଦ କରିଛି କେନ୍ଦ୍ର। ଅଧ୍ୟାଦେଶ ବିଧାନସଭା ପରିସରଭୁକ୍ତ ନୁହେଁ, ଏହା ଆମ୍‌ସାର ଆଇନର ବିରୁଦ୍ଧାଚରଣ କରୁଛି। ଏ ନେଇ ରାଜଭବନକୁ ସରକାର ‌ଚିଠି ଲେଖିବା ପରେ ଆରମ୍ଭ ହୋଇଛି ରାଜନୀତି। କେନ୍ଦ୍ରର ଏଭଳି ପଦକ୍ଷେପ ଉପରେ ମନ୍ତ୍ରୀ ଅଶୋକ ପଣ୍ଡା ପ୍ରଶ୍ନ ଉଠାଇଛନ୍ତି। କାଶୀ ବିଶ୍ୱନାଥ, ସୋମନାଥ ଓ କେଦାରନାଥରେ ଯଦି ଆମ୍‌ସାର ଆକ୍ଟ ପାଳନ ହୋଇ ଉନ୍ନତିମୂଳକ କାମ ହୋଇ ପାରୁଛି ତେବେ ଏଠାରେ କାହିଁକି ନୁହେଁ? ଏଠାରେ ଆଉ ଗୋଟିଏ ମାପକାଠି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଲିଙ୍ଗରାଜ ଅଧ୍ୟାଦେଶ ନେଇ ଦୁଇ ଥର ଭିଡିଓ କନ୍ଫରେନ୍ସିଂ ଜରିଆରେ ସ୍ପଷ୍ଟୀକରଣ ଦିଆଯାଇଛି। ସରକାର ଚାହିଥିଲେ ଆଉଥରେ ଦିଆଯାଇଥାନ୍ତା। କିନ୍ତୁ ତାହା ନ କରି ଅଧ୍ୟାଦେଶ ଉପରେ ରୋକ ଲଗାଇବା ଦୁର୍ଭାଗ୍ୟଜନକ। ଦେଶର ଆଇନ ସମସ୍ତଙ୍କ ପାଇଁ ସମାନ। ଠାକୁରଙ୍କ କ୍ଷେତ୍ରରେ ଏଭଳି ଭେଦଭାବ କରନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି।

ଅନ୍ୟପଟେ ବିଜେପି ସଭାପତି ସମୀର ମହାନ୍ତି ମଧ୍ୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଦେଶରେ କିଛି ଆଇନ କାନୁନ୍‌ ରହିଛି। ଏହା କିଭଳି କାର୍ଯ୍ୟକାରୀ ହେବ ତାହାର ଯେଉଁମାନେ ଦାୟିତ୍ବ ନେଇଛନ୍ତି ତାହା ସେମାନେ ସଠିକ୍‌ ନିର୍ବାହ କରନ୍ତୁ। ସେହିଭଳି କଂଗ୍ରେସ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ କହିଛନ୍ତି, ଲିଙ୍ଗରାଜଙ୍କର ସ୍ବତନ୍ତ୍ର ଆଇନ ହେଇ ଆସୁ। ଶ୍ରୀଲିଙ୍ଗରାଜ ମନ୍ଦିରର ଉନ୍ନୟନ କାମ ହେଉ। ଏଥିପାଇଁ ରାଜ୍ୟ ସରକାରଙ୍କର ଯାହା ଦାୟିତ୍ବ ସେ ନିର୍ବାହ କରନ୍ତୁ, କେନ୍ଦ୍ର ସରକାରଙ୍କର ଯାହା ଦାୟିତ୍ବ ରହିଛି ତାହା ମଧ୍ୟ କରନ୍ତୁ। କେହି କାହା ଉପରକୁ ଦୋଷ ଠେଲି ବସି ଯାଆନ୍ତୁ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଲିଙ୍ଗରାଜ ମନ୍ଦିର ସମେତ ଆଖପାଖରେ ଥିବା ଆଉ ୮ଟି ମନ୍ଦିରକୁ ଗୋଟିଏ ସ୍ୱତନ୍ତ୍ର ଆଇନ ପରିସରକୁ ଆଣିବା ପାଇଁ ରାଜ୍ୟ ସରକାର ବିଧାନସଭାରେ ଏକ ଅଧ୍ୟାଦେଶ ପାରିତ କରାଇଥିଲେ। ଏହାଦ୍ୱାରା ପୁରୀ ଜଗନ୍ନାଥ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ଓ ଆଖପାଖ ମନ୍ଦିରକୁ ଲିଙ୍ଗରାଜ ମନ୍ଦିର ପରିଚାଳନା ସମିତି ଅଧୀନକୁ ଆଣିଥାନ୍ତେ। ବିଧାନସଭାରେ ପାରିତ ହେବା ପରେ କେନ୍ଦ୍ର ସରକାରଙ୍କୁ ଅନୁମୋଦନ ନିମନ୍ତେ ଅଧ୍ୟାଦେଶ ପଠାଯାଇଥିଲା। କିନ୍ତୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଅଧ୍ୟାଦେଶର କେତେକ ଅନୁଚ୍ଛେଦ ଉପରେ ଆପତ୍ତି ଉଠାଇ ଏହା ଉପରେ ରୋକ ଲଗାଇବା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଥିଲା। ରାଜ୍ୟପାଳ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଦର୍ଶାଇଛନ୍ତି କି କେନ୍ଦ୍ର ସରକାରଙ୍କର ଏଭଳି ପ୍ରତିବାଦରେ କ’ଣ ସ୍ପଷ୍ଟୀକରଣ ରହିଛି ତାହା କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟକୁ ସିଧାସଳଖ ଜଣାନ୍ତୁ।

ସମ୍ବନ୍ଧିତ ଖବର