ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ୍‌: ୪ ଗିରଫ, ମାରଣାସ୍ତ୍ର ଜବତ

ଧଉଳି: କୌଶଲ୍ୟାଗଙ୍ଗ ଫାଣ୍ଡି ପୁଲିସ ଗତ ରାତିରେ ଏକ ଡକାୟତ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍‌ କରିଛି। ଅଭିଯୁକ୍ତମାନେ ଏକ ପରିତ୍ୟକ୍ତ ଘରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଚଢ଼ଉ କରି ୪ ଜଣଙ୍କୁ ଗିରଫ କରିଛି। ତେବେ ଅନ୍ୟ ଜଣେ ଫେରାର୍‌ ହୋଇଯାଇଥିବା ଜଣାଯାଇଛି। ଧରାପଡ଼ିଥିବା ଅଭିଯୁକ୍ତମାନେ ହେଲେ, ଉକ୍ତ ଫାଣ୍ଡି ଅଧୀନ ପୁବାଶାସନ ଗ୍ରାମର ସତ୍ୟରଞ୍ଜନ ଭୋଇ ଓରଫ ମନ୍ତ୍ରୀ(୨୩), ଚିତ୍ତରଞ୍ଜନ ଭୋଇ ଓରଫ ସୋନୁ(୨୩), ସୁଜିତ କୁମାର ମଲ୍ଲିକ ଓରଫ ପମା(୩୮) ଏବଂ ଉତ୍ତରା ଭୋଇସାହିର ବଳରାମ ସାହୁ ଓରଫ ନନ୍ଦୁ(୧୯)। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ବାଇକ୍‌, ସ୍କୁଟି, ଦୁଇଟି ଖଣ୍ଡା ଏବଂ ଅନ୍ୟ ଦୁଇଟି ଛୁରା ଜବତ କରିଛି। ଆଜି କୋର୍ଟରେ ଅଭିଯୁକ୍ତମାନଙ୍କ ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ନିମାପଡ଼ା ଉପକାରାଗାରକୁ ପଠାଇ ଦିଆଯାଇଥିବା ଜଣାଯାଇଛି। ପିପିଲି ଥାନାରେ ଏନେଇ ନଂ ୨୧ରେ ମାମଲା ରୁଜୁ ହୋଇଛି।

ସୂଚନା ଅନୁସାରେ, କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ସୌମ୍ୟରଞ୍ଜନ ଜେନା ଅନ୍ୟ ପୁଲିସ କର୍ମଚାରୀଙ୍କ ସହ ପୁବାଶାସନ ଅଞ୍ଚଳରେ ରାତ୍ରି ପାଟ୍ରୋଲିଂ କରୁଥି‌ଲେ। ସନ୍ଦେହ ହେବାରୁ ସେମାନେ ସିଫା ପରିସରରେ ଥିବା ଏକ ପରିତ୍ୟକ୍ତ ଘର ଉପରେ ଚଢ଼ଉ କରିଥିଲେ। ପୁଲିସକୁ ଦେଖି ଜଣେ ଅଭିଯୁକ୍ତ ଫେରାର୍‌ ହୋଇଯାଇଥିବା ବେଳେ ବାକି ୪ଜଣ ଧରାପଡ଼ିଥିଲେ।

ସମ୍ବନ୍ଧିତ ଖବର