ସ୍ୱର୍ଣ୍ଣାଦ୍ରି ବିଜେ କଲେ ଶ୍ରୀଲିଙ୍ଗରାଜ: ମାନଭଞ୍ଜନ ପରେ ପହଡ଼ ଖୋଲିଲେ ମା’ପାର୍ବତୀ

ପୁରୁଣା ଭୁବନେଶ୍ୱର: ଶେଷ ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଗତକାଲିଠାରୁ ସନ୍ଧ୍ୟାରୁ ରଥଦାଣ୍ଡ ମହାଖଳାରେ ବାହୁଡ଼ା ରଥରେ ଅପେକ୍ଷା କରିଥିବା ପ୍ରଭୁ ଶ୍ରୀଲିଙ୍ଗରାଜ ଆଜି ସନ୍ଧ୍ୟାରେ ମନ୍ଦିରକୁ ପ୍ରବେଶ କରିବା ସହ ସ୍ୱର୍ଣ୍ଣାଦ୍ରି ବିଜେ କରିଛନ୍ତି। ତାଙ୍କ ସହିତ ଭଉଣୀ ମା’ ରୁକ୍ମିଣୀ ଓ ପ୍ରଭୁ ଦୋଳଗୋବିନ୍ଦ ବି ନିଜ ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଏହା ପୂର୍ବରୁ ଚାହାଣି ମଣ୍ଡପରେ ଭେଟ ଆଳତି, ସିଂହଦ୍ବାରରେ ମା’ପାର୍ବତୀଙ୍କ ମାନଭଞ୍ଜନ ଆଦି ବିଧି ଅନୁଷ୍ଠିତ ହୋଇଥିଲା ଓ ପ୍ରଭୁଙ୍କ ଏହି ଦାମ୍ପତ୍ୟ ପ୍ରେମଭରା ଝଗଡ଼ା ଲୀଳାଖେଳା ଦେଖି ଶ୍ରଦ୍ଧାଳୁମାନେ ବିମୋହିତ ହୋଇଥିଲେ।

ଗତକାଲି ବାହୁଡ଼ା ରୁକୁଣା ରଥ ମହାଖଳାରେ ଅଟକି ରହିଥିଲା। ରୁକୁଣା ରଥ ଯାତ୍ରାକୁ ଗତକାଲି ଷଷ୍ଠ ଦିନ ହୋଇଥିବାରୁ ପ୍ରଭୁ ମନ୍ଦିରକୁ ପ୍ରବେଶ କଲେ ନାହିଁ। ରାତିସାରା ପ୍ରଭୁ ରଥରେ ରହିଲେ ଓ ପୂଜାବିଧି ସବୁ ରଥରେ ଅନୁଷ୍ଠିତ ହୋଇଥିଲା। ଆଜି ଦିନତମାମ୍‌ ଭକ୍ତମାନେ ପ୍ରଭୁଙ୍କୁ ରଥରେ ଦର୍ଶନ ଦେଇଥିଲେ। ମନ୍ଦିରର ନୀତି ଅନୁଯାୟୀ ରଥ ଉପରେ ପୂର୍ବାହ୍ନରେ ମଙ୍ଗଳ ଆଳତି ଓ ଅବକାଶ ପରେ ସକାଳ ଧୂପରେ ଶୁଖୁଲି ଭୋଗ, ମଧ୍ୟାହ୍ନ ଧୂପରେ ପଣା ଭୋଗ କରାଯାଇଥିଲା ସନ୍ଧ୍ୟାରେ ଚାହାଣି ମଣ୍ଡପରେ ମା’ ପାର୍ବତୀ ଓ ଶ୍ରୀ ଲିଙ୍ଗରାଜଙ୍କ ଭେଟ ଆଳତି କରାଯାଇଥିଲା। ମହାପ୍ରଭୁଙ୍କ ନୀତି ପୂଜା ପରେ ଦେବଦେବୀଙ୍କୁ ସେବାୟତମାନେ ରଥ ଉପରୁ ରାତି ପ୍ରାୟ ସାଢ଼େ ୮ଟାରେ ପହଣ୍ଡି କରି ନେଇଥିଲେ। ମନ୍ଦିର ପ୍ରବେଶ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଶୋଭାଯାତ୍ରା। ଆକର୍ଷଣୀୟ ଆତସବାଜି ଓ ରୋଶଣି କରି ଶ୍ରୀଲିଙ୍ଗରାଜ, ମା’ରୁକ୍ମିଣୀ ଓ ଦୋଳଗୋବିନ୍ଦଙ୍କୁ ସେବାୟତମାନେ ପହଣ୍ଡି କରି ନେଇଥିଲେ। ଏହି ଅବସରରେ ମୃଦଙ୍ଗ, ଢୋଲ, କାହାଳୀ ଓ ଘଣ୍ଟ ଘଣ୍ଟି ବାଜାରେ ପରିବେଶ ଉଛୁଳି ପଡ଼ୁଥିଲା। ବନାଟି ଓ ନାଗା ନୃତ୍ୟ ମଧ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା। ସେବାୟତମାନେ ରସଗୋଲା ବଣ୍ଟନ କରିଥିଲେ। କିନ୍ତୁ ପ୍ରଭୁ ଗର୍ଭଗୃହ ନିକଟରେ ପହଞ୍ଚିଲା ବେ‌ଳକୁ ପହୁଡ଼ ଖୋଲି ନଥିଲା।

ମା’ଙ୍କ ମାନଭଞ୍ଜନ ବେଳେ ଜମିଲା ବଚନିକା

ପ୍ରଭୁ ଲିଙ୍ଗରାଜ ରୁକୁଣା ରଥ ଚଢ଼ି ରାମେଶ୍ୱର ମନ୍ଦିର ଯାତ୍ରା କରିଥିବା ବେଳେ ସାଙ୍ଗରେ ମା’ ପାର୍ବତୀଙ୍କୁ ନେଇ ନଥିଲେ। ସାଙ୍ଗରେ ଭଉଣୀ ମା’ ରୁକ୍ମିଣୀ ଓ ଦୋଳଗୋବିନ୍ଦଙ୍କୁ ନେଇଥିଲେ ବି ଧର୍ମପତ୍ନୀ ମା’ ପାର୍ବତୀଙ୍କୁ ନେଇନଥିଲେ। ଏତେ ବଡ଼ ଯାତ୍ରାରୁ ମା’ପାର୍ବତୀ ବଞ୍ଚିତ ହୋଇ ରାଗ ଓ ଅଭିମାନରେ ଥିଲେ। ଏମିତିକି ଦୁଇଦୁଇ ଥର ରଥ କାଠ ଭାଙ୍ଗି ଦେଇଥିଲେ। ସେହିଭଳି ଆଜି ଶ୍ରୀଲିଙ୍ଗରାଜ ମହାପ୍ରଭୁ ଗର୍ଭଗୃହକୁ ପ୍ରବେଶ କଲା ବେଳେ ମା’ ଅଭିମାନରେ କବାଟ ବନ୍ଦ କରିଥିଲେ। ଏହା‌ପରେ ଆରମ୍ଭ ହେଲା ମା’ଙ୍କ ମାନଭଞ୍ଜନ ପର୍ବ। ୨୨ ଦିନବ୍ୟାପୀ ଚନ୍ଦନ ଯାତ୍ରା ଅବସରରେ ମା’ଙ୍କୁ ସାଙ୍ଗରେ ନେବେ ଓ ଚାପ ଖେଳିବେ ବୋଲି ପ୍ରଭୁ ଲିଙ୍ଗରାଜ ପ୍ରତିଶ୍ରୁତି ଦେବାରୁ ମା’ କବାଟ ଖୋଲିଥିଲେ। ସେବାୟତମାନଙ୍କ ଦ୍ବାରା ବଚନିକାରେ ଏହି ପର୍ବ ପାଳନ କରାଯାଇଥିଲା ଓ ଏହି ମନୋରମ ଦୃଶ୍ୟ ଦେଖିବାକୁ ବହୁ ଶ୍ରଦ୍ଧାଳୁ ରୁଣ୍ଡ ହୋଇଥିଲେ। ଏହି ଅବସରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁରେଶ କୁମାର ରାଉତରାୟ, ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ ଗଣ ଓ ସେବାୟତ ନିଯୋଗର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଉଠିଲା ମହାଦୀପ

ଆଜି ଦମନତ ଚତୁର୍ଦ୍ଦଶୀ ତିଥି ଉପଲକ୍ଷେ ବିଳମ୍ୱିତ ରାତିରେ ଶ୍ରୀଲିଙ୍ଗରାଜ ତୀର୍ଥେଶ୍ୱର ମନ୍ଦିର ଯାତ୍ରା କରିଥିଲେ। ମହାପ୍ରଭୁଙ୍କ ସ୍ୱର୍ଣ୍ଣାଦ୍ରି ବିଜେ ଯାତ୍ରା ପରେ ଚତୁର୍ଦ୍ଦଶୀ ନୀତି ସମ୍ପନ୍ନ ହୋଇଥିଲା ଓ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିଥିଲା। ଏହା ପରେ ମହାପ୍ରଭୁ ବିନ୍ଦୁସାଗର ନିକଟ ତୀର୍ଥେଶ୍ୱର ମନ୍ଦିରକୁ ଦୟଣା ଆଣିବାକୁ ଯାଇଥିଲେ।

ସମ୍ବନ୍ଧିତ ଖବର