କୁଆଡ଼େ ଗଲା ତାରକା ହୋଟେଲ? ଜମି ନ ଥାଇ ନିଲାମ ଡାକିବା ବିଡିଏକୁ ମହଙ୍ଗା ପଡ଼ିଲା

ଭୁବନେଶ୍ବର : ଭୁବନେଶ୍ୱର ହେବ ତାରକା ହୋଟେଲର ହବ୍‌। ଦେଶ ଏବଂ ଦେଶ ବାହାରର ବହୁ ଅନ୍ତର୍ଜାତୀୟସ୍ତରର ହୋଟେଲର ଶାଖା ଏଠାରେ ଖୋଲିବ। ଏଥିପାଇଁ ରାଜ୍ୟ ସରକାର ରାଜଧାନୀର ପ୍ରମୁଖ ଅଞ୍ଚଳରେ ଜମି ଯୋଗାଇ ଦେବେ। ଇ-ନିଲାମ କରି ଜମି ଦିଆଯିବ। ଏହିଭଳି ସ୍ବପ୍ନ ବିଡିଏର ତତ୍କାଳୀନ ଉପାଧ୍ୟକ୍ଷ ତଥା ବର୍ତ୍ତମାନର ପୂର୍ତ୍ତ ସଚିବ ୨ ବର୍ଷ ତଳେ ଦେଖାଇଥିଲେ।

ଯୋଜନା ଅନୁଯାୟୀ, ଇ-ନିଲାମ ହେଲା। ୫ଟି ସଂସ୍ଥା ଭୁବନେଶ୍ବରରେ ହୋଟେଲ ଖୋଲିବାକୁ ଇ-ନିଲାମରେ ଅନୁମତି ପାଇଲେ। ହେଲେ ଆଜି ପର୍ଯ୍ୟନ୍ତ କୌଣସି ହୋଟେଲ ପାଇଁ ଇଟା ଖଣ୍ଡେ ପଡ଼ି ପାରିନାହିଁ। ପ୍ରସ୍ତାବିତ ‌ହୋଟେଲ୍‌ ପାଇଁ ବାକି ୫ଟି ଜାଗାରେ ଲୋକ ଏବେ ଜବରଦଖଲ କରିବା ଆରମ୍ଭ କରିଦେଲେଣି। ଏହି ଯୋଜନା ସଫଳ ହୋଇଥିଲେ ରାଜଧାନୀରେ ଖାଲି ପଡ଼ିଥିବା ସରକାରୀ ଜମିକୁ ବିଭିନ୍ନ ସଂସ୍ଥାକୁ ଲିଜ୍‌ ସୂତ୍ରରେ ଦିଆଯାଇଥାନ୍ତା, ହୋଟେଲ ଖୋଲି ପ‌ାରିଥାନ୍ତା। କିନ୍ତୁ ସବୁ ଫୁସ୍‌କି ଗଲା। ରାଜ୍ୟ ସରକାର ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ନକ୍ସା ପ୍ରସ୍ତୁତ କରୁଛନ୍ତି। କିପରି ଅଧିକରୁ ଅଧିକ ହୋଟେଲ ଖୋଲିବ, ଅଧିକ ପର୍ଯ୍ୟଟକ ଆସିବେ, ସେନେଇ ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି। କିନ୍ତୁ ରାଜଧାନୀରେ ହୋଟେଲ ଅଭାବ ଥିବାରୁ କୌଣସି ବଡ଼ ସମ୍ମିଳନୀ କି ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତା ହେଲେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ପ୍ରତିନିଧିମାନଙ୍କୁ କଟକ ଓ ପୁରୀରେ ରଖା ଯାଉଛି। ଅଧିକ ରୁମ୍ ଆବଶ୍ୟକ ହେଲେ ବିଭିନ୍ନ କର୍ପୋରେଟ୍ ସଂସ୍ଥାର ଗେଷ୍ଟ ହାଉସ୍‌କୁ ନିଆଯାଉଛି।

୧୦ହୋଟେଲ ପାଇଁ ଜମି ନିଲାମ ହୋଇଥିଲା, ୫ଜଣ ଭାଗ ନେଇଥି‌ଲେ
ନିଜର ଜମି ନ ଥାଇ ନିଲାମ ଡାକିବା ବିଡିଏକୁ ମହଙ୍ଗା ପଡ଼ିଲା
ଜମି ନ ଥିବାରୁ ଇଟା ଖଣ୍ଡିଏ ବି ପଡ଼ି ପାରିଲା ନାହିଁ

ମନ୍ଦିରମାଳିନୀ ସହର, ଓଡ଼ିଶାର ରାଜଧାନୀ, ସ୍ମାର୍ଟ ସିଟିରେ ଯିଏ ହୋଟେଲ ଶିଳ୍ପକୁ ସମୃଦ୍ଧ କରିପାରୁନାହାନ୍ତି କି ନିବେଶକଙ୍କୁ ଆକୃଷ୍ଟ କରିପାରୁନାହାନ୍ତି, ସେମାନେ କିପରି ରାଜ୍ୟର ଅନ୍ୟ ସ୍ଥାନରେ ହୋଟେଲ ଶିଳ୍ପକୁ ସମୃଦ୍ଧ କରିବେ ବୋଲି ପ୍ରଶ୍ନ ଉଠୁଛି। କାହା ଭରସାରେ ପୁଞ୍ଜିପତିମାନେ ‌ଏଠାରେ ପୁଞ୍ଜିନିବେଶ କରିବେ ସେନେଇ ପ୍ରଶ୍ନ ଉଠିଲାଣି। ରାଜଧାନୀରେ ଜବରଦଖଲ ହୋଇ ପଡ଼ିଥିବା ହଜାର ହଜାର ଏକର ଜମିକୁ ଜବରଦଖଲମୁକ୍ତ କରି ଏହାକୁ ତୁରନ୍ତ କିପରି ବ୍ୟବହାର ଉପଯୋଗୀ କରାଯାଇପାରିବ, ସେ ଦିଗରେ ପଦକ୍ଷେପ ନେବାକୁ ଜାନୁଆରି, ୨୦୧୮ରେ ତତ୍କାଳୀନ ବିଡିଏ ଉପାଧ୍ୟକ୍ଷଙ୍କୁ ଦାୟିତ୍ବ ଦିଆଯାଇଥିଲା। ଏହାପରେ ଅଧିକ ଜମି ଜବରଦଖଲରେ ଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଏଥିରେ ବିଡିଏ ୧୬୭ ଏକର ଜମି ଜବରଦଖଲ ମୁକ୍ତ କରି ୧୩୪ଏକର ଜମିରେ ପାଚେରି ବୁଲାଇଥିଲା। ପ୍ରାୟ ୭୦୦ରୁ ୮୦୦ ଶଯ୍ୟା ବିଶିଷ୍ଟ ହୋଟେଲ ନିର୍ମାଣ ପାଇଁ ଯୋଜନା ହୋଇଥିଲା। ଏଥିପାଇଁ ୧୦ଟି ଜାଗା ଚିହ୍ନଟ ହୋଇଥିଲା। ଏଥିରେ ୬ଟି ତାରକା ହୋଟେଲ ଓ ୪ଟି ବଜେଟ୍‌ ହୋଟେଲ ନିର୍ମାଣ କରିବାକୁ ବିଡିଏ ବି ଆର୍‌ଏଫ୍‌ପି ଆହ୍ବାନ କରିଥିଲା। ଯେପରି ଅନ୍ତର୍ଜାତୀୟ ସଂସ୍ଥା ଭୁବନେଶ୍ବରରେ ହୋଟେଲ କରିବେ ସେଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଜ୍ଞାପନ ବି ଦିଆଯାଇଥିଲା। ‌ଯେଉଁ ସଂସ୍ଥା ଯେତେ ଅଧିକ ଟଙ୍କା ଇ-ନିଲାମରେ ଡାକିବ ସେହି ସଂସ୍ଥାକୁ ଜମି ମିଳିବାର ଥିବାରୁ ବିଡିଏ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ବି ହୋଇଥିଲା। ସର୍ତ୍ତ ଥିଲା, ଯେଉଁ ସଂସ୍ଥା ଟେଣ୍ଡର୍‌ ପାଇବେ, ସେମାନଙ୍କୁ ତୁରନ୍ତ ଜମି ଯୋଗାଇ ଦିଆଯିବ। ସେମାନେ ତିନି ବର୍ଷରେ ହୋଟେଲ ନିର୍ମାଣ କରିବେ।

ଅଗଷ୍ଟ,୨୦୧୮ରେ ହୋଇଥିବା ନିଲାମରେ ୧୦ଟି ସ୍ଥାନ ମଧ୍ୟରୁ ୫ଟି ସ୍ଥାନରେ ହୋଟେଲ ନିର୍ମାଣ ପାଇଁ ବିଭିନ୍ନ ସଂସ୍ଥା ଆଗ୍ରହ ଦେଖାଇଥିଲେ। ଏଥିରେ ଗୋପବନ୍ଧୁ ନଗରରେ ଥିବା ୧.୭୩୦ ଏକର ଜମିରେ ତାରକା ହୋଟେଲ ନିର୍ମାଣ ପାଇଁ ଭୁବନେଶ୍ବରର ଡି.ଏନ୍‌ ହୋମ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ୧୨.୫୩ କୋଟି ଟଙ୍କାର ବିଡି˚ ଡାକିଥିଲା। ସେହିପରି ପଟିଆରେ ୩.୫୦ ଏକର ଜମିରେ ଏକ ପଞ୍ଚତାରକା ହୋଟେଲ ନିର୍ମାଣ ପାଇଁ କଟକର ଶ୍ରୀ ଦୁର୍ଗା କଣ୍ତେଭ ପ୍ରା. ଲିମିଟେଡ୍‌ ଏବ˚ ପଦ୍ମା ହସ୍ପିଟାଲିଟି ପ୍ରା. ଲିମିଟେଡ୍‌ ୧୧.୬୦କୋଟି, ଚନ୍ଦ୍ରଶେଖରପୁରରେ ୩ଏକର ଜମିରେ ତାରକା ହୋଟେଲ ନିର୍ମାଣ ପାଇଁ ଭୁବନେଶ୍ବରର ଡାଇଭର୍ସିଫାଏଡ୍‌ ଏନର୍ଜି ସଲ୍ୟୁସନ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ୫.୯୬ କୋଟି, ଚଣ୍ତୀ ହାଟ (୨)ରେ ୩.୫୦ଏକର ଜମିରେ ତାରକା ହୋଟେଲ ନିର୍ମାଣ ପାଇଁ ନୂଆଦିଲ୍ଲୀର ଶ୍ୟାମ ଇଣ୍ତସ୍‌ ପାଵାର ସଲ୍ୟୁସନ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ୩.୨୨ କୋଟି, ଭରତପୁରର ୦.୫୦ଏକର ଜମିରେ ବଜେଟ୍‌ ହୋଟେଲ ନିର୍ମାଣ ପାଇଁ ଭୁବନେଶ୍ବରର ଶୈଳବାଳା ଇନ୍‌ଫ୍ରାଷ୍ଟ୍ରକଚର‌୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୩ କୋଟି ଟଙ୍କାରେ ଜମି ନିଲାମି ନେଇଥିଲେ। ବାକି ୫ଟି ଜାଗା ପାଇଁ କେହି ଆଗ୍ରହ ଦେଖାଇ ନ ଥିଲେ।

ତାରକା ହୋଟେଲ ପାଇଁ ଅନ୍ତର୍ଜାତୀୟ ସଂସ୍ଥା ଓ ବଡ଼ ବଡ଼ ହୋଟେଲ ଗ୍ରୁପ୍‌କୁ ଡାକିବାକୁ ନିଷ୍ପତ୍ତି ହୋଇଥିଲେ ହେଁ କେହି ବଡ଼ ସଂସ୍ଥା ଭାଗ ନେଲେନି। ଏନେଇ ବିଡିଏ ପକ୍ଷରୁ କୁହାଗଲା ଯେ, ଦେଶର ବଡ ବଡ଼ ହୋଟେଲ ଗ୍ରୁପ୍‌ ଏହି ବିଡି˚ରେ ଭାଗ ନେବେ ବୋଲି ଆମେ ଆଶା କରିଥିଲୁ। କିନ୍ତୁ ସେମାନେ ଭାଗ ନେଲେନି। ଯେଉଁମାନେ ଭାଗ ନେଲେ, ତାଙ୍କଠାରୁ ସ୍ଥାନୀୟ ସ˚ସ୍ଥାଗୁଡ଼ିକ ଅଧିକ ବିଡି˚ ଡାକିଛନ୍ତି। ଏହି ସ˚ସ୍ଥାଗୁଡ଼ିକର ରିଅଲ ଇଷ୍ଟେଟ୍‌ ଏବ˚ ହୋଟେଲ ଜଗତରେ ପୂର୍ବରୁ ସ˚ପୃକ୍ତି ଥିବାରୁ ସେମାନଙ୍କୁ ଜମି ଦେବାକୁ ନିଷ୍ପତ୍ତି ନେଇଛୁ। କିନ୍ତୁ ନିଜ ମାଲିକାନାରେ ଜମି ନ ଥାଇ ବିଡିଂ ଡାକିବା ବିଡିଏ ପାଇଁ ମହଙ୍ଗା ପଡ଼ିଲା। ଇ-ନିଲାମ ‌ଡକାଯାଇଥିବା ଜମିକୁ ସାଧାରଣ ପ୍ରଶାସନ ବିଭାଗ ଓ ଇଡ୍‌କୋ ଅଧୀନରେ ଥିବାରୁ ବିଡିଏ ଜମି ଆଣି ଏହି ସଂସ୍ଥାଗୁଡ଼ିକୁ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଜମି ହସ୍ତାନ୍ତର ହୋଇପାରି ନ ଥିବାରୁ ଦେଢ଼ ବର୍ଷ ଭିତରେ ହୋଟେଲ ପାଇଁ ଇଟା ଖଣ୍ଡେ ବି ପଡ଼ି ପାରିଲା ନାହିଁ।

ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମ ପାଖରେ ଜମି ନ ଥିଲା। ଆମେ ସାଧାରଣ ପ୍ରଶାସନ ବିଭାଗ ଓ ଇଡ୍‌କୋକୁ ଜମି ଦେବାକୁ ଚିଠି ଲେଖିଥିଲୁ। ଆମକୁ ଜମି ମିଳିନି। ତେଣୁ ଆମେ ଜମି ଦେଇନୁ। ସେହିପରି ଉକ୍ତ ସଂସ୍ଥାଗୁଡ଼ିକ ବି ଜମି ପାଇ ପାରି ନ ଥିବାରୁ ଏବେ ହୋଟେଲ ପାଇଁ ପୁଞ୍ଜିନିବେଶ କରିବାକୁ ଆଗ୍ରହୀ ନ ଥିବା ଲାଗୁଛି। ସେମାନେ ଏନେଇ ଆମ ସହିତ ବି ଆଲୋଚନା କରୁନାହାନ୍ତି। ଆମ ହାତକୁ ଜମି ଆସିଲେ ଦିଆଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ରାଜଧାନୀର ୧୦ଟି ସ୍ଥାନରେ ହୋଟେଲ ନିର୍ମାଣ ପାଇଁ ବିଡିଏ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ଏଥିରେ ବମିଖାଲ, ଭୀମପୁର, ଚନ୍ଦ୍ରଶେଖରପୁର, ପଟିଆ, ଗୋପବନ୍ଧୁ ନଗର, ଭରତପୁର, ଘାଟିକିଆ, ଇଡ୍‌କୋ ଚନ୍ଦକା ଶିଳ୍ପାଞ୍ଚଳ, ଇନଫୋଭ୍ୟାଲି -୧ ଓ ଇନଫୋଭ୍ୟାଲି-୨ରେ ଜମି ଯୋଗାଇବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ବମିଖାଲ, ଭୀମପୁର, ଘାଟିକିଆ, ଇନଫୋଭ୍ୟାଲି -୧ ଓ ଇନଫୋଭ୍ୟାଲି-୨ରେ କେହି ହୋଟେଲ ନିର୍ମାଣ କରିବାକୁ ଆଗ୍ରହ ଦେଖାଇ ନ ଥିଲେ।

ସମ୍ବନ୍ଧିତ ଖବର