ଏ ବର୍ଷ ବି ଦଳ ଭର୍ତ୍ତି ପୋଖରୀରେ ଭାସିବ ବୋଇତ

ପୁରୁଣା ଭୁବନେଶ୍ୱର: ଆସୁଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଆ ଜାତିର ଐତିହ୍ୟ ଓ ଗୌରବର ବାର୍ତ୍ତା ବହନ କରୁଥିବା ବୋଇତ ବନ୍ଦାଣ ଉତ୍ସବ ପାଳନ ପାଇଁ ଚାରିଆଡ଼େ ଚାଲିଛି ପ୍ରସ୍ତୁତି। ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ବରରେ ବି ଏଥିପାଇଁ ଜୋର୍‌ଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଘରଠୁ ଅନୁଷ୍ଠାନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏଥିପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଲାଣି। କିନ୍ତୁ ପୁରୁଣା ଭୁବନେଶ୍ବରର ଗୋଟିଏ ଚିନ୍ତା ଦୂର ହୋଇପାରୁନାହିଁ। ଏଠା‌ରେ ଥିବା ସମସ୍ତ ତୀର୍ଥ ପୁଷ୍କରିଣୀର ଅବସ୍ଥା ବଡ଼ ଦୟନୀୟ। ସବୁ ପୁଷ୍କରିଣୀ ଦଳ ଭର୍ତ୍ତି। ପବିତ୍ର ବିନ୍ଦୁସାଗରର ଅବସ୍ଥା ତ ସବୁଠୁ ବେଶି ସଂଗିନ୍‌। କୋଟି କୋଟି ଟଙ୍କା ଖର୍ଚ୍ଚ ହେବା ପରେ ବି ଏହି ପବିତ୍ର ପୁଷ୍କରିଣୀର ପବିତ୍ରତା ଫେରାଇ ଆଣିବା ସମ୍ଭବ ହୋଇପାରିନାହିଁ। ତେଣୁ ଚଳିତ ବର୍ଷ ବି ଶ୍ରଦ୍ଧାଳୁମାନେ ଦଳ ଭର୍ତ୍ତି ପୁଷ୍କରିଣୀରେ ବୋଇତ ଭସାଇବାକୁ ବାଧ୍ୟ ହେବେ। ଏନେଇ ବିଭିନ୍ନ ମହଲରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ପ୍ରକାଶ ଥାଉକି ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପ ପାଇଁ ପାଖାପାଖି ୧୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଦୟାନଦୀରୁ ପାଇପ୍‌ ଯୋଗେ ଦୈନିକ ୨୦ ଲକ୍ଷ ଲିଟର ଜଳ ଆସି ବିନ୍ଦୁସାଗରରେ ପଡ଼ିବ ଓ ପୁଣି ପାଇପ୍‌ ଯୋଗେ ବାହାରିଯିବ। ଫଳରେ ପୁଷ୍କରିଣୀରେ ରୀତିମତ ଜଳପ୍ରବାହ ଜାରି ରହିବ ଓ ଆଉ ଦଳ ସୃଷ୍ଟି ହେବାକୁ ସୁଯୋଗ ମିଳିବ ନାହିଁ। ଏହା ହେଉଛି ପ୍ରକଳ୍ପର ମୂଳ ଲକ୍ଷ୍ୟ। ବଡ଼ କଥା ହେଉଛି ଯୋଜନାନୁସାରେ ସବୁ କାମ ସରିଛି। ଦୟାନଦୀ ନିକଟରେ ବିଶୋଧନ ପ୍ଲାଣ୍ଟ ପ୍ରତିଷ୍ଠା ହୋଇଛି, ପାଇପ୍‌ ବିଛାଇବା କାମ ସରିଛି, ପୋଖରୀ ଚାରିକଡ଼ରେ ବି ପାଇପ୍‌ ବିଛାଇବା ଶେଷ ହୋଇଛି, ଆବଶ୍ୟକ ସ୍ଥାନରେ ମଟର ଲଗାଯାଇଛି ଓ ମଟର ପାଇଁ ପ୍ରାୟ ୧୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପୁଣି ପରୀକ୍ଷଣ ବି ସରିଛି ଓ ପ୍ରକଳ୍ପ ସଫଳ ହୋଇଛି ବୋଲି ସ୍ପଷ୍ଟ ହୋଇଛି। କିନ୍ତୁ ପରିତାପର କଥା, ପ୍ରକଳ୍ପ ସରିବାର ବେଶ୍ କିଛି ମାସ ବିତିବା ପରେ ବି ଉଦ୍‌ଘାଟନ କରାଯାଉନାହିଁ କି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଉନାହିଁ।

ଏଣେ ବିନ୍ଦୁସାଗରରେ ଭର୍ତ୍ତି ହୋଇଯାଉଥିବା ଚିଙ୍ଗୁଡ଼ିଆ ଦଳ ସଫା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି। ପ୍ରକଳ୍ପ ସରିବା ପରେ ପରୀକ୍ଷଣ ବାହାନାରେ ଉଦ୍‌ଘାଟନକୁ ବିଳମ୍ବ କରାଯାଉଥିବାରୁ ବୁଦ୍ଧିଜୀବୀ ମହଲରେ ନାନା ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜନୈତିକ ସ୍ବାର୍ଥ ଲକ୍ଷ୍ୟରେ ଜାଣିଶୁଣି ଏହି ପ୍ରକଳ୍ପକୁ ଉଦ୍‌ଘାଟନ କରାଯାଉନାହିଁ ବୋଲି ସବୁ ମହଲରୁ ଅଭିଯୋଗ ଉଠିଲାଣି। ବିଜେପି ନେତା ବାବୁ ସିଂ, କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର ଓ ସାମାଜିକ କର୍ମୀ ଭୀଷ୍ମନାରାୟଣ ନାୟକ ପ୍ରମୁଖ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟକୁ ଟାର୍ଗେଟ୍‌ କରିଛନ୍ତି। ଲୋକେ ଉପକାର ନ ପା‌ଆନ୍ତୁ ପଛେ ନିର୍ବାଚନକୁ ଆଖି ଆଗରେ ରଖି ସରକାର ଏହି ପ୍ରକଳ୍ପକୁ ଉଦ୍‌ଘାଟନ କରୁନାହାନ୍ତି ବୋଲି ଶ୍ରୀମତୀ ମହାପାତ୍ର କହିଛନ୍ତି। ଦଳ ସଫେଇରୁ ହାତ ଚିକ୍କଣ ହେଉଥିବା ବେଳେ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ତାହା ବନ୍ଦ ହୋଇଯିବ ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି।

ବିନ୍ଦୁସାଗର ପରେ ଏକାମ୍ର କ୍ଷେତ୍ରରେ ରହିଛି ଏକାଧିକ ଐତିହ୍ୟ ପୁଷ୍କରିଣୀ। ଶ୍ରୀଲିଙ୍ଗରାଜ ମନ୍ଦିରର ପୂର୍ବ-ଉତ୍ତର କୋଣରେ ରହିଛି ଦେବୀ ପାଦହରା ପୁଷ୍କରିଣୀ। ଏହି ପୁଷ୍କରିଣୀର ଚାରିପଟେ ରହିଛି ୧୦୮ ଶିବଲିଙ୍ଗ ମନ୍ଦିର। ତା’ ଭିତରୁ ୬୦ଟି ମନ୍ଦିରରେ ଶିବ ଲିଙ୍ଗ ନଥିବା ବେଳେ ୨୨ଟି ଭଗ୍ନ ଅବସ୍ଥାରେ ପଡ଼ିରହିଛି। କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ଏହି ପୁଷ୍କରିଣୀ ଓ ତତ୍‌ସଂଲଗ୍ନ ମନ୍ଦିରଗୁଡ଼ିକର ପୁନରୁଦ୍ଧାର କାମ ଆରମ୍ଭ କରିଥିଲା। ହେଲେ ଏବେ ସେଠାରେ ପ୍ରଚୁର ଦଳ ଭର୍ତ୍ତି ହୋଇରହିଛି। ଏକାମ୍ର କ୍ଷେତ୍ରର ଅନ୍ୟତମ ପବିତ୍ର ପୋଖରୀ ମେଘେଶ୍ୱର ପୁଷ୍କରିଣୀର ଅବସ୍ଥା ମଧ୍ୟ ଅନୁରୂପ। ଏହି ପୁଷ୍କରିଣୀ ପାଖରେ ଯାଇଥିବା ଡ୍ରେନ୍‌ ଉଚ୍ଚା ହୋଇଥିବାରୁ ବର୍ଷା ପାଣି ଠିକ୍‌ରେ ନିଷ୍କାସନ ହୋଇପାରେନାହିଁ। ମନ୍ଦିର ନଳା ଦେଇ ନର୍ଦ୍ଦମାର ପଚା ପାଣି ଗର୍ଭ ଗୃହକୁ ପ୍ରବେଶ କରେ। ଦୀର୍ଘ ୯ବର୍ଷ ହେଲା ଲାଗିରହିଥିବା ଏହି ସମସ୍ୟାକୁ ଏଏସ୍‌ଆଇ ସୁଧାରିପାରିନାହିଁ। ସେହିପରି କେଦାରଗୌରୀ ମନ୍ଦିର ପରିସରରେ ଥିବା ୪ଟି କୁଣ୍ଡର ପୁନରୁଦ୍ଧାର କାମ ଚାଲିଥଲେ ମଧ୍ୟ ମୂଳ ସମସ୍ୟା ଦୂର ହୋଇପାରୁନାହିଁ। ସେହିପରି ସୂକ୍ଷ୍ମେଶ୍ବର ପୁଷ୍କରିଣୀର ପାଚେରି ଭାଙ୍ଗି ପଡ଼ିଥିବା ବେଳେ ପାଣିରେ ଦଳ ଭର୍ତ୍ତି ହୋଇରହିଛି।

ସମ୍ବନ୍ଧିତ ଖବର