କାଳବୈଶାଖୀ ଉଡାଇନେଲା ଅଜନ୍ତା ସର୍କସର ଟେଣ୍ଟ; ଏତିକି ଦିନ ପାଇଁ ମନୋରଂଜନ କାର୍ଯ୍ୟକ୍ରମ ବାତିଲ

ଭୁବନେଶ୍ୱର: ଆଜି ରାଜଧାନୀରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କମ ସମୟ ପାଇଁ ହୋଇଥିବା ଏହି କାଳବୈଶାଖୀର ପ୍ରଭାବରେ କିଛି ସ୍ଥାନରେ ଡାଳ ଭାଙ୍ଗି ରାସ୍ତାରେ ପଡିଥିବାବେଳେ ଅଧିକାଂଶ ଅଂଚଳରେ ବିଦ୍ୟୁତ ସେବା ଠପ ହୋଇଯାଇଛି। ତେବେ ଏହାର ପ୍ରଭାବ ଆଜିଠାରୁ ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବାକୁ ଥିବା ଅଜନ୍ତା ସର୍କସ ଉପରେ ମଧ୍ୟ ପଡିଛି। କାଳବୈଶାଖୀ ଅଜନ୍ତା ସର୍କସର ଟେଣ୍ଟ ଭାଙ୍ଗିଦେଇଥିବାବେଳେ ସୋ’ ଦେଖିବାକୁ ଆସିଥିବା ଦର୍ଶକଙ୍କ ଉତ୍ସାହ ପାଣିରେ ମିଳାଇଯାଇଛି। ଟେଣ୍ଟ ବା ତମ୍ବୁ ଭୁଶୁଡିପଡିଥିବାରୁ ୪ ଦିନ ପାଇଁ ମନୋରାଂଜନ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ଯେଉଁମାନେ ସୋ’ ଦେଖିବା ପାଇଁ ଟିକେଟ କରିଥିଲେ ସବୁ ଲୋକମାନଙ୍କୁ ଅଜନ୍ତା ସର୍କସ ତରଫରୁ ଟଙ୍କା ଫେରସ୍ତ କରିଦିଆଯାଇଛି। ବିଶେଷ କରି ବହୁତ ଦିନ ପରେ ରାଜଧାନୀକୁ ସର୍କସ ଆସିଥିବାରୁ ଏହାକୁ ଦେଖିବାକୁ ସହରବାସୀ ଅତ୍ୟନ୍ତ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ।

୪୦ ଦିନ ପାଇଁ ସର୍କସରେ ସୋ’ ହେବାକୁ ଥିବାବେଳେ ଆଜି କାଳବୈଶାଖୀ ପାଇଁ ୪ ଦିନ ପାଇଁ ସୋ ବାତିଲ କରାଯାଇଛି ବୋଲି ସର୍କସ ମ୍ୟାନେଜର କହିଛନ୍ତି। ମିଳିଥିବା ସୂଚନା ମୁତାବକ ଅପରାହ୍ନ ୧ଟା, ଅପରାହ୍ନ ୩ଟା ଓ ସନ୍ଧ୍ୟା ୭ଟାରେ ସୋ ହେବାକୁ ଥିବାବେଳେ ଟିକେଟ ମୂଲ୍ୟ ୧୦୦, ୧୫୦, ୨୦୦ ଓ ୩୦୦ ଟଙ୍କା ରହିଛି। ଶେଷଥର ପାଇଁ ୨୦୧୨ ମସିହାରେ ଅଜନ୍ତା ସର୍କସ ଭୁବନେଶ୍ୱରକୁ ଆସିଥିଲା। ଯଦିଓ ସରକାରଙ୍କ ନିୟମ ମୁତାବକ ଏଥର ସର୍କସରେ କୌଣସି ଜନ୍ତୁ ନାହାନ୍ତି କିନ୍ତୁ ଅନେକ ବିଦେଶୀ କଳାକାର ରହିଛନ୍ତି, ଯେଉଁମାନେ ଦୁଃସାହସିକ କାରନାମା ପ୍ରଦର୍ଶନ କରିବେ।

ସମ୍ବନ୍ଧିତ ଖବର