ଆଜି ପାତ୍ରପଡ଼ାରେ ଉଦ୍‌ଘାଟିତ ହେବ ଟ୍ରାଫିକ୍‌ ଥାନା-୨

ଭୁବନେଶ୍ବର:  ଗୁରୁବାର ପାତ୍ରପାଡ଼ାରେ ଟ୍ରାଫିକ୍‌ ଥାନା-୨ ଉଦ୍‌ଘାଟିତ ହେବ। ଦେଢ଼ କୋଟିରୁ ଊର୍ଧ୍ବ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଦୁଇ ମହଲା କୋଠା ବିଶିଷ୍ଟ ଏହି ଥାନା କାର୍ଯ୍ୟାଳୟକୁ ପୁଲିସ ଡିଜି ସୁନୀଲ ବଂଶଲ୍‌ ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଓପିଏଚ୍‌ଡବ୍ଲୁସିର ପରିଚାଳନା ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ, ଡିସିପି ପ୍ରତୀକ ସିଂ, ଟ୍ରାଫିକ ଡିସିପି ଠାକୁର ପ୍ରସାଦ ପାତ୍ର, ଏସିପି ସ୍ବସ୍ତିକ ପଣ୍ଡା ପ୍ରମୁଖ ଯୋଗଦେ‌ବେ। ଏଣିକି ଆଉ ଚନ୍ଦ୍ରଶେଖରପୁରରେ ଟ୍ରାଫିକ୍‌ ଥାନା ରହିବ ନାହିଁ ଏବଂ ଏଠାରେ ଏକ ଟ୍ରାଫିକ୍‌ ଫାଣ୍ଡି କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି। ସେଠାରେ ଜଣେ ଏସ୍‌ଆଇ ରୢାଙ୍କର ଅଧିକାରୀ ଦାୟିତ୍ବରେ ରହିବେ ଏବଂ ସେ ସେଠାରୁ ସ୍ଥାନୀୟ ଅଞ୍ଚଳର ଟ୍ରାଫିକ୍‌ ପରିଚାଳନା କରିବେ।

ସୂଚନାଯୋଗ୍ୟ ଯେ ଏହି ଦ୍ବିତୀୟ ଟ୍ରାଫିକ୍‌ ଥାନା ଅଧୀନରେ ୧୬ ନମ୍ବର ଜାତୀୟ ରାଜପଥ ଜୟଦେବବିହାର ଛକରୁ ଜଟଣୀ ଏବଂ ଜୟଦେବବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଅଞ୍ଚଳ ରହିବ। ଏହି ଅଞ୍ଚଳରେ ୨୭ଟି ଟ୍ରାଫିକ୍‌ ପୋଷ୍ଟ ରହିଛି। ସେହିଭଳି ଜାତୀୟ ରାଜପଥରେ ଯାଁଳା ଓଗାଳପଡ଼ା ମା’ବାଟଭୂଆସୁଣୀ ମନ୍ଦିର ଛକ, ଗୋହିରା, ଆଇଗିଣିଆ, ପାତ୍ରପଡ଼ା ଏବଂ ଗଙ୍ଗପଡ଼ା ଭଳି ପାଞ୍ଚ ପାଞ୍ଚଟି ବ୍ଲାକ ସ୍ପଟ୍‌ ମଧ୍ୟ ରହିଛି। ଏହି ଦ୍ବିତୀୟ ଟ୍ରାଫିକ୍‌ ଥାନାରେ ଜଣେ ଇନ୍‌ସ୍ପେକ୍ଟରଙ୍କ ସହ ୬ ଏସ୍‌ଆଇ, ୧୦ ଏଏସ୍‌ଆଇ, ୧୪୦ କନେଷ୍ଟବଳ ପଦ ରହିଛି। ହେଲେ ବର୍ତ୍ତମାନ ଜଣେ ଇନ୍‌ସ୍ପେକ୍ଟରଙ୍କ ସହ ୨ ଏସ୍‌ଆଇ, ଜଣେ ଏଏସ୍‌ଆଇଙ୍କ ସମେତ ମୋଟ୍‌ ୧୬୦ଜଣ କର୍ମଚାରୀ କାମ କରିବେ।

ସମ୍ବନ୍ଧିତ ଖବର