ରାଜଭବନ-ନନ୍ଦନକାନନ ରାସ୍ତାରେ ଅସମ୍ଭାଳ ଭିଡ଼

ଡିପିଆର୍‌ରେ ଅଟକିଛି ୬ ଲେନ୍‌ ରାସ୍ତା, ୯ ଫ୍ଲାଏ ଓଭର, ବଢ଼ୁଛି ଜବରଦଖଲ, ଯୋଜନା ସଫଳ ହେବ ତ?

ଭୁବନେଶ୍ବର: ରାଜ୍ୟର ପ୍ରଥମ ନାଗରିକଙ୍କ ବାସଭବନରୁ ରାଜ୍ୟର ଉଚ୍ଚ ନ୍ୟାୟାଳୟକୁ ସଂଯୁକ୍ତ କରୁଥିବା ରାଜଭବନରୁ ନନ୍ଦନକାନନ ନେଇ କଟକ ଯାଉଥିବା ରାସ୍ତାର ଗୁରୁତ୍ବ ସମସ୍ତେ ଜାଣନ୍ତି। ଏହି ରାସ୍ତାରୁ ଭିଡ଼ କମାଇବା ପାଇଁ ସରକାର ସମାନ୍ତରାଳ ରାସ୍ତା ତିଆରି କରୁଛନ୍ତି। ହେଲେ ଏହାର ଶେଷ ହେବା ଅବଧି ଗଡ଼ି ଗଡ଼ି ଯାଉଛି। ଯେଉଁଥିପାଇଁ ଏହି ମୁଖ୍ୟ ରାସ୍ତାରେ ଭିଡ଼ ବଢ଼ି ବଢ଼ି ଯାଉଛି। ୫କିଲୋମିଟର ରାସ୍ତାକୁ ୩୦ ମିନିଟ୍‌ ଲାଗୁଥିବା ବେଳେ ଦୁର୍ଘଟଣାରେ ଯୋଗୁ ଜୀବନ ବିପନ୍ନ ହେବାରେ ଲାଗିଛି। କଟକକୁ କମ୍‌ ବାଟ ହୋଇଥିବାରୁ ଅଧିକାଂଶ ଏହାକୁ ପସନ୍ଦ କରୁଛନ୍ତି। ପ୍ରବଳ ଭିଡ଼ ଯୋଗୁ ଅନେକ ସମୟରେ ଆମ୍ବୁଲାନ୍ସ ଫସି ରହୁଥିବା ଦେଖାଯାଉଛି। ଆଗକୁ ହକି ବିଶ୍ବକପ୍‌ ଆୟୋଜନ ହେବାକୁ ଯାଉଥିବାରୁ ଭୁବନେଶ୍ବରରୁ କଟକ ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତାରେ ଭିଡ଼ ବଢ଼ିବାକୁ ଯାଉଛି। ଯେଉଁ ରାସ୍ତାର ଉନ୍ନତୀକରଣ କରି ବିଶ୍ବସ୍ତରରେ ‘ସୋ କେସ୍‌’ କରିବା କଥା ସେଠାରେ ପ୍ରବଳ ଜନ ଅସନ୍ତୋଷ ପାଇଁ ସରକାର ବଦନାମ ହେଉଛନ୍ତି। ଏଥିପାଇଁ ଯୋଜନା ହୋଇଛି, ସରକାରଙ୍କ ପାଖରେ ଅର୍ଥ ମଧ୍ୟ ଅଛି। ପ୍ରାୟ ବର୍ଷେ ତଳୁ ପୂର୍ତ୍ତ ବିଭାଗ ଏହି ରାସ୍ତାରେ ୯ଟି ଫ୍ଲାଏ ଓଭର ବ୍ରିଜ୍‌ ସହ ୬ ଲେନ୍‌ ବିଶିଷ୍ଟ ରାସ୍ତା ପାଇଁ ଡିପିଆର ପ୍ରସ୍ତୁତ କରିଛି। ହେଲେ ତାହା ଶୀତଳଭଣ୍ଡାରରେ ପଡ଼ି ରହିଛି।

ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ବଡ଼ବଡ଼ ଶିକ୍ଷାନୁଷ୍ଠାନ ରହିଛି। ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଛାତ୍ରଛାତ୍ରୀଙ୍କ ସହ କର୍ମଚାରୀ ଆସିଥାନ୍ତି। ସମସ୍ତେ ଏହି ରାସ୍ତାକୁ ବ୍ୟବହାର କରନ୍ତି। ଶିକ୍ଷାନୁଷ୍ଠାନ ସହ ଏହି ରାସ୍ତାରେ ଆଇଟି ହବ୍‌ ରହିଛି। ଭୁବନେଶ୍ବରରେ ବିଭିନ୍ନ ଜାଗାରେ ଚାକିରି କରୁଥିବା ଶହ ଶହ କର୍ମଚାରୀ କଟକ ପଟୁ ଏହି ରାସ୍ତା ଦେଇ ପ୍ରତ୍ୟହ ଆସନ୍ତି। ଏହି ସବୁ ଜାଗାରେ ନିର୍ଦ୍ଧାରିତ ସମୟରେ ପହଞ୍ଚିବାକୁ ହୁଏ। କିନ୍ତୁ ଏହି ରାସ୍ତା ପ୍ରବଳ ଭିଡ଼ ହେଉଥିବାରୁ ଗାଡ଼ି ଘଣ୍ଟା ଘଣ୍ଟା ଫସି ରହିଯାଏ। ତା’ ସହିତ ୨୦ରୁ ଅଧିକ ଘରୋଇ ହସ୍ପିଟାଲ ରହିଛି। ଏହା ବାଦ୍‌ ପ୍ରସିଦ୍ଧ ପ୍ରାଣୀଉଦ୍ୟାନ ସହ ଆମୋଦପ୍ରମୋଦ ଉଦ୍ୟାନ ରହିଛି। ଏଠାରେ ପ୍ରତିଦିନ ଶହ ଶହ ଲୋକ ଆସିଥାନ୍ତି। ଏଠାକାର ଆବାସିକ ଅଞ୍ଚଳରେ ରହୁଥିବା ଶହ ଶହ ଲୋକ ଏହି ରାସ୍ତାକୁ ବ୍ୟବହାର କରନ୍ତି। ପଟିଆରୁ ନନ୍ଦନକାନନ ପର୍ଯ୍ୟନ୍ତ ନୂଆ ନୂଆ ନିର୍ମାଣ ବଢ଼ୁଥିବାରୁ ଗହଳି ଆହୁରି ବଢ଼ିବାକୁ ଯାଉଛି। ଫଳରେ ଆଗକୁ ଏହି ରାସ୍ତାରେ ଭୟଙ୍କର ଅବସ୍ଥା ସୃଷ୍ଟି କରିବାକୁ ଯାଉଛି।

ଏହି ରାସ୍ତାରୁ ଭିଡ଼ କମାଇବା ପାଇଁ ସରକାର ଚିନ୍ତା କରି ସମାନ୍ତରାଳ ୨ଶହ ଫୁଟିଆ ରାସ୍ତା ମଧ୍ୟ ନିର୍ମାଣ କରୁଛନ୍ତି। ବାରମ୍ବାର ଏହାର ଶେଷ ତାରିଖ ଘୁଞ୍ଚୁଥିଲେ ମଧ୍ୟ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ଏହା ଏହି ରାସ୍ତାର ଭିଡ଼ କମାଇପାରିବ ନାହିଁ ବୋଲି ସଚେତନ ନାଗରିକମାନେ ଆଶଙ୍କା କରିଛନ୍ତି। ସେମାନଙ୍କ ମତରେ ଯେଉଁଠି ରାସ୍ତା ସୁବିଧା ହୁଏ ସେଠାରେ ନୂଆ ନୂଆ ନିର୍ମାଣ ବଢ଼ିଯାଏ। ଯେବେଠାରୁ ଏହି ସମାନ୍ତରାଳ ରାସ୍ତା ତିଆରି ଆରମ୍ଭ ହୋଇଛି ସେବେ ଠାରୁ ସେହି ରାସ୍ତା କଡ଼ରେ ନିର୍ମାଣ ଆରମ୍ଭ ହୋଇଛି। ଖାଲି ଜାଗା ପ୍ଲଟିଂ ହେଉଛି। ଅର୍ଥାତ୍‌ ଏହି ରାସ୍ତା ପ୍ରସ୍ତୁତ ହୋଇଗଲେ ଏଠାରେ ମଧ୍ୟ ଲୋକ ରହିବା ଆରମ୍ଭ କରିବେ ଓ ଏମାନେ ବ୍ୟବହାର କରିବାକୁ ଥିବା ଗାଡ଼ି ଏହି ରାସ୍ତା ଦେଇ ଗଡ଼ିବ। ଏଣୁ ଏହି ରାସ୍ତା ମୁଖ୍ୟ ରାସ୍ତାର ଭିଡ଼ କମାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଏହି ରାସ୍ତା ପାଇଁ ପୂର୍ତ୍ତ ବିଭାଗ ଡିପିଆର ପ୍ରସ୍ତୁତ କରିଛି। ଏହାକୁ ୬ ଲେନ୍‌ ବିଶିଷ୍ଟ କରିବା ପାଇଁ ଏହି ଡିପିଆର୍‌ରେ ବ୍ୟବସ୍ଥା ରହିଛି। ଏଥିପାଇଁ ରାସ୍ତା କଡ଼ରେ ରହିଥିବା ଘରୋଇ ଜମିରେ ମଧ୍ୟ ନିର୍ମାଣ ଉପରେ କଟକଣା କରିଛନ୍ତି ସରକାର। କାରଣ ରାସ୍ତା ସମ୍ପ୍ରସାରଣ ପାଇଁ ସରକାରୀ ଜମି ବାଦ୍‌ ଘରୋଇ ଜମି ଅଧିଗ୍ରହଣର ଆବଶ୍ୟକତା ରହିଛି। କିନ୍ତୁ ଅନେକ ଲୋକ ନିଜ ନିଜ ଜମି‌ରେ ନିୟମ ନ ମାନି ନିର୍ମାଣ କରୁଥିବା ବେଳେ ସରକାରୀ ଜାଗାରେ ମଧ୍ୟ ଜବରଦଖଲ ହୋଇଛି। ଯିଏ ଯେଉଁଠି ପାରୁଛି କଂକ୍ରିଟ୍‌ ନିର୍ମାଣ କରୁଛି। ପରେ ଏହାକୁ ଉଚ୍ଛେଦ କରିବାକୁ ହେଲେ ବା କେହି କୋର୍ଟର ଆଶ୍ରୟ ନେଲେ ନୂଆ ଡିପିଆର କାର୍ଯ୍ୟକ୍ଷମ ହେବା ସରକାରଙ୍କ ପାଇଁ କାଠକର ପାଠ ହେବା ଆଶଙ୍କା ରହିଛି। ବେଳହୁଁ ସରକାର କାହିଁକି ସାବଧାନ ହେଉ ନାହାନ୍ତି? ଜବରଦଖଲ ଉଚ୍ଛେଦ ନ କରି କାହିଁକି ନୂଆ ଜବରଦଖଲକୁ ପ୍ରୋତ୍ସାହିତ କରୁଛନ୍ତି ସେ ନେଇ ପ୍ରଶ୍ନ ଉଠିଛି।

ନୂଆ ଡିପିଆର୍‌ରେ କ’ଣ ରହିଛି?

ରାଜଭବନରୁ ନନ୍ଦନକାନନ ପର୍ଯ୍ୟନ୍ତ ୬ ଲେନ୍‌ ବିଶିଷ୍ଟ ହେବ। ପାୱାର ହାଉସ୍‌ ଛକରୁ ନନ୍ଦନକାନନ ପର୍ଯ୍ୟନ୍ତ ୯ଟି ଫ୍ଲାଏ ଓଭର ବ୍ରିଜ୍‌ ନିର୍ମାଣ ହେବ। ପାୱାର ହାଉସ୍‌ ଛକରେ ଏହି ବ୍ରିଜ୍‌ର ଲମ୍ବା ୮୫୦ ମିଟର ରହିଥିବା ବେଳେ ନିକୋ ପାର୍କ ଛକରେ ୫୮୫, ଜୟଦେବ ବିହାରରେ(ଫ୍ଲାଏ ଓଭର ଉପରେ) ୧୦୫୦ ମିଟର, ଜାଭିୟର ଛକରେ ୧୦୫୦ ମିଟର, ନାଲ୍‌କୋ ଛକରେ ୬୦୦ ମିଟର, ଡମଣା ଛକରେ ୧୩୦୦ ମିଟର, ପଟିଆ ଛକରେ ୭୫୦ ମିଟର, କିଟ୍‌ ଛକରେ ୧୩୦୦ ମିଟର ଓ ନନ୍ଦନକାନନ ଛକରେ ୬୫୦ ମିଟର ପର୍ଯ୍ୟନ୍ତ ଫ୍ଲାଏ ଓଭର ନିର୍ମାଣ କରିବାକୁ ଯୋଜନା ରହିଛି। ରାସ୍ତା ୬ ଲେନ୍‌ ବିଶିଷ୍ଟ କରିବାକୁ ଜମି ମଧ୍ୟ ଚିହ୍ନଟ ହୋଇ ସାରିଛି। କେତେ ଜବରଦଖଲ ଅଛି? କେତେ ଘରୋଇ ଜମି ଅଧିଗ୍ରହଣ ହେବ ତାହା ମଧ୍ୟ ଚିହ୍ନଟ ହୋଇଛି। ହେଲେ କେବେ ବାସ୍ତବ ରୂପ ନେବ ଏହି ଡିପିଆର କାହା ପାଖରେ ଉତ୍ତର ନାହିଁ।

ସମ୍ବନ୍ଧିତ ଖବର