କୁଆଡ଼େ ଗଲା ମହିଳା ଏସପିଓ ଯୋଜନା?

ଭୁବନେଶ୍ବର: ୨୦୨୦ ଜାନୁଆରି ପ୍ରଥମ ସପ୍ତାହ। କମିସନରେଟ୍‌ ପୁଲିସ୍‌ ପକ୍ଷରୁ ଆରମ୍ଭ ହେଲା ମହିଳା ଏସପିଓ ଯୋଜନା। ୪୬ଟି ଅନୁଷ୍ଠାନର ପାଖାପାଖି ୨୪୮ଜଣ ଯୁବତୀ ମହିଳା ଏସପିଓ ଭା‌ବେ ନିଯୁକ୍ତି ପାଇଥିଲେ। ସେମାନଙ୍କୁ ପରିଚୟପତ୍ର ଯୋଗାଇ ଦିଆଯିବା ସହ ଟି-ସାର୍ଟ ମଧ୍ୟ ଦିଆଗଲା। ଏପରିକି ସେମାନଙ୍କୁ ତାଲିମ୍ ମଧ୍ୟ ଦିଆଯାଇଥିଲା। ପୁଲିସ ଭଳି ସେମାନଙ୍କୁ ମଧ୍ୟ ପୁଲିସର କ୍ଷମତା ପ୍ରଦାନ କରାଯାଇଥିଲା। ଆବଶ୍ୟକସ୍ଥଳେ, ସେମାନେ ଗିରଫ ମଧ୍ୟ କରିପାରିବେ ବୋଲି କମିସନରେଟ ପୁଲିସ ସ୍ଥିର କରିସାରିଥିଲା। କିନ୍ତୁ ଦୁଇ ବର୍ଷ ମଧ୍ୟରେ କମିସନରେଟ୍‌ ପୁଲିସର ଏହି ଯୋଜନା କୁଆଡ଼େ ଉଭେଇଗଲା, ତାହା କେହି ଜାଣିପାରୁନାହାନ୍ତି। ଯୋଜନାର ସ୍ଥିତିକ’ଣ ତା’ର ଉତ୍ତର କାହା ପାଖରେ ନାହିଁ।

ଯୋଜନାର ଲକ୍ଷ୍ୟ ଥିଲା, ସ୍କୁଲ, କଲେଜ, ରାସ୍ତାଘାଟ ଓ ବିଭିନ୍ନ କର୍ମ ସଂସ୍ଥାନରେ ଏହି ଏସପିଓ ନିଯୁକ୍ତି ପାଇବେ। ଯୁବତୀ ବା ମହିଳାମାନଙ୍କୁ କେହି ଅଶାଳୀନ ମନ୍ତବ୍ୟ ଦେଲେ କିମ୍ବା ଅସଦାଚରଣ କଲେ ତୁରନ୍ତ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ରାଜଧାନୀରେ ବିଭିନ୍ନ କଲେଜ ନିକଟରେ ଏଭଳି ଅଶାଳୀନ ମନ୍ତବ୍ୟ ଜନିତ ଅଭିଯୋଗ ବଢ଼ିବା ପରେ କମିସନରେଟ ପୁଲିସ ପକ୍ଷରୁ ଏଭଳି ଯୋଜନା ଆରମ୍ଭ ହୋଇଥିଲା। ଏଭଳି ଯୋଜନାକୁ ଅନେକ ସ୍ବାଗତ କରିଥିଲେ। କେତେକ ସ୍ଥାନରେ ଏସ୍‌ପିଓମାନେ ନିଜ କାର୍ଯ୍ୟଦକ୍ଷତା ପରିଚୟ ଦେଇ ବିଭିନ୍ନ ସ୍ଥାନରେ ଘଟିଥିବା କେତେକ ଘଟଣାର ସମାଧାନ ମଧ୍ୟ କରିଥିଲେ। ଯାହା ଫଳରେ କେତେକ ରୋଡ୍‌-ରୋମିଓ ସାବାଡ୍‌ ମଧ୍ୟ ହୋଇଥିଲେ। କିନ୍ତୁ ଏହି ଯୋଜନା କାର୍ଯ୍ୟକ୍ଷମ ନ ହେଉଥିବା କାରଣରୁ ପୁଣିଥରେ କଲେଜ ନିକଟରେ ଏବେ ରୋଡ୍‌-ରୋମିଓମାନେ ଉତ୍ପାତ କଲେଣି। କଲେଜ ଯାଉଥିବା ଛାତ୍ରୀମାନଙ୍କୁ ଅନେକ ସ୍ଥାନରେ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ଯେଉଁଥିପାଇଁ କଲେଜ ଛାତ୍ରୀମାନେ ଏବେ ପୁଣିଥରେ ଚିନ୍ତାରେ।

ଏ ସମ୍ପର୍କରେ କମିସନରେଟ ପୁଲିସର ଜଣେ ଅଧିକାରୀ କହିଛନ୍ତି, ଯୋଜନା ଆରମ୍ଭ ହେବାର ମାତ୍ର ଦୁଇ ମାସ ପରେ କରୋନା ପାଇଁ ଲକ୍‌ଡା‌ଉନ୍ ଓ ସଟ୍‌ଡାଉନ୍‌ ହେଲା। ଶିକ୍ଷାନୁଷ୍ଠାନ ଓ ବିଭିନ୍ନ କର୍ମ ସଂସ୍ଥାନ ପାଖାପାଖି ଦୁଇ ବନ୍ଦ ରହିଲା। ତେଣୁ ଯୋଜନା ଧୀରେଧୀରେ ସ୍ଥାଣୁ ହୋଇଗଲା। ପୁଣିଥରେ ଏହି ଯୋଜନା ଲାଗୁ କରିବାକୁ ଚିନ୍ତା କରାଯାଉଛି।

ସମ୍ବନ୍ଧିତ ଖବର