ଆତ୍ମଗୋପନରେ ଜାଇରା, ତଥାପି ଅପେକ୍ଷାରେ ଅଛନ୍ତି ପ୍ରଶଂସକ

ବୟସ ମାତ୍ର ୨୨ ବର୍ଷ, ମାତ୍ର ତିନିଟି ଫିଲ୍ମରେ ଅଭିନୟ। ତଥାପି ଏହି ସଂକ୍ଷିପ୍ତ ଅଭିନୟ ଜୀବନରେ ଛଅ ଛଅଟି ଜାତୀୟ ସ୍ତରର ସମ୍ମାନ ହାସଲ କରିବା କିଛି କମ୍‌ କଥା ନୁହେଁ। ଏଭଳି ବିରଳ କୀର୍ତ୍ତିର ଅଧିକାରିଣୀ ହେଉଛନ୍ତି ଅଭିନେତ୍ରୀ ଜାଇରା ଵାସିମ୍‌। ଜାମ୍ମୁକାଶ୍ମୀରର ଶ୍ରୀନଗରରେ ୨୦୦୦ ଅକ୍‌ଟୋବର ୨୩ ତାରିଖରେ ଏକ ମୁସଲମାନ ପରିବାରରେ ଜନ୍ମ ନେଇଥିବା ଜାଇରାଙ୍କ ପିତା ଜଣେ ବ୍ୟାଙ୍କ କର୍ମଚାରୀ ଓ ମାତା ଜଣେ ଶିକ୍ଷୟିତ୍ରୀ। ତେଣୁ ତାଙ୍କର ଜୀବନ ଅତ୍ୟନ୍ତ ଶୃଙ୍ଖଳିତ ଢଙ୍ଗରେ ବିତି ଆସିଛି। ଜଣେ ଅସାଧାରଣ ଛାତ୍ରୀ ଥିବା ଜାଇରା ଜୀବନରେ କେବେ ଅଭିନୟ କରିବେ ବୋଲି କଳ୍ପନା ବି କରିନଥିଲେ। ଅନ୍ୟମାନଙ୍କ ପରି ତାଙ୍କ ପିତାମାତା ମଧ୍ୟ ଚାହୁଁଥିଲେ ଯେ ଝିଅ ପ୍ରାଶାସନିକ ସେବାରେ ସାମିଲ ହେଉ। ମାତ୍ର ହାଇସ୍କୁଲରେ ପଢ଼ିଲା ବେଳେ ଏକ କ୍ଷୁଦ୍ର ନାଟକ ‘ମେରା କ୍ୟା କସୁର’ରେ ଅଂଶଗ୍ରହଣ ବେଳେ ତାଙ୍କର ଅନ୍ତର୍ନିହିତ ଅଭିନୟ ଦକ୍ଷତାକୁ ବିଦ୍ୟାଳୟର ଅଧ୍ୟକ୍ଷ ଠଉରେଇ ପାରିଥିଲେ। ସେହି ସମୟରେ ହିନ୍ଦୀ ଫିଲ୍ମ ‘ଫିତୁର’ ପାଇଁ ଜଣେ କିଶୋରୀ ଚରିତ୍ର ଖୋଜିବା ଉଦ୍ଦେଶ୍ୟରେ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରା ତାଙ୍କ ବିଦ୍ୟାଳୟକୁ ଆସିଥିବା ବେଳେ ଅଧ୍ୟକ୍ଷ ତାଙ୍କରି ନାମକୁ ସୁପାରିସ କରିଥିଲେ। ମାତ୍ର ଜାଇରା ସେଥି ପାଇଁ ମନୋନୀତ ହୋଇ ପାରିନଥିଲେ। ଅବଶ୍ୟ ପରେ ତାଙ୍କୁ ଦୁଇଟି ଟେଲିଭିଜନ ବିଜ୍ଞାପନରେ ଅଭିନୟ ପାଇଁ ଫୋନ୍‌ ଆସିଥିଲା ଏବଂ ତାଙ୍କ ପିତାମାତା ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ସଂପୃକ୍ତ ଅଧ୍ୟକ୍ଷ ସେମାନଙ୍କୁ ବହୁ ବୁଝାଇବା ପରେ ଜାଇରା ‘ମାଇକ୍ରୋସଫ୍‌ଟ ଲୁମିଆ’ ଓ ‘ଟାଟା ସ୍କାଏ’ ବିଜ୍ଞାପନରେ ସାମିଲ ହୋଇଥିଲେ।

ଏଥିରେ ସେ ବହୁ ଉତ୍ସାହିତ ହୋଇ ଅଭିନୟରେ କ୍ୟାରିୟର୍‌ ଗଢ଼ିବାକୁ ଚାହିଁଥିଲେ। ଏହାପରେ ତାଙ୍କ ଜୀବନର ଚରମ ସଫଳତା ଆସିଥିଲା ୨୦୧୬ର ହିନ୍ଦୀ ଫିଲ୍ମ ‘ଦଙ୍ଗଲ’ର ଅଡ଼ିସନ୍‌ ବେଳେ। ଫିଲ୍ମଟିରେ ନାୟିକା ଗୀତା ଫୋଗଟଙ୍କ ଯୁବାବସ୍ଥା ନିଭାଇବା ପାଇଁ ପ୍ରାୟ ୧୯ ହଜାର କିଶୋରୀଙ୍କ ଭିତରେ ଜାଇରା ବାଜି ମାରିନେଇଥିଲେ। ଫିଲ୍ମଟି ସର୍ବକାଳୀନ ସର୍ବାଧିକ (ପ୍ରାୟ ୨୦୦୦ କୋଟି) ବ୍ୟବସାୟ କରିବା ସହ ଜାଇରାଙ୍କୁ ଶ୍ରେଷ୍ଠ ସହଅଭିନେତ୍ରୀ ଭାବେ ୬୪ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନ ମିଳିଥିଲା। ତହିଁ ପରବର୍ଷ ତାଙ୍କୁ ‘ସିକ୍ରେଟ୍‌ ସୁପରଷ୍ଟାର’ ସିନେମାରେ ସୁଯୋଗ ମିଳିଥିଲା। ଏହି ଫିଲ୍ମଟି ମଧ୍ୟ ଯଥେଷ୍ଟ ବ୍ୟବସାୟ କରିଥିବା ବେଳେ ଜାଇରାଙ୍କୁ ଶ୍ରେଷ୍ଠ ନବାଗତା ଭାବେ ସ୍କ୍ରିନ୍‌ ସମ୍ମାନ ଓ ଫିଲ୍ମଫେୟାର କ୍ରିଟିକ୍ସ ସମ୍ମାନ ମିଳିଥିଲା। ଏଥି ସହିତ ଉପରୋକ୍ତ ଉଭୟ ଫିଲ୍ମରେ ତାଙ୍କର ଅସାଧାରଣ ଭୂମିକା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଜାତୀୟ ଶିଶୁ ସମ୍ମାନରେ ସମ୍ମାନିତ କରିଥିଲେ। ଏହାପରେ ୨୦୧୯ରେ ଏକ ଜୀବନୀଭିତ୍ତିକ ହିନ୍ଦୀ ଫିଲ୍ମ ‘ଦି ସ୍କାଏ ଇଜ୍‌ ପିଙ୍କ’ରେ ଜାଇରାଙ୍କୁ ଏକ ବିଶେଷ ଭୂମିକା ମିଳିଥିଲା।

ଏଥିରେ ମଧ୍ୟ ସେ ସମୀକ୍ଷକ ଓ ପ୍ରଶଂସକମାନଙ୍କୁ ମୁଗ୍‌ଧ କରିପାରିଥିଲେ। ତେବେ ଏହାପରେ ସିନେ ଦର୍ଶକଙ୍କ ପାଇଁ ସେମାନଙ୍କ ପ୍ରିୟ ନାୟିକା ଦୁଃସମ୍ବାଦ ଆଣିଥିଲେ। ୨୦୧୯ ଜୁନ୍‌ ୩୦ରେ ଜାଇରା ଘୋଷଣା କଲେ କି ନିଜର ଧାର୍ମିକ କଟକଣା ପାଇଁ ତାଙ୍କୁ ସିନେ ଜଗତ୍‌ ଛାଡ଼ିବାକୁ ପଡ଼ିବ। ଏହାପରେ ତାଙ୍କର ଆଉ କୌଣସି ଫିଲ୍ମ ଆସି ନାହିଁ। ଏପରିକି ସାମାଜିକ ଗଣମାଧ୍ୟମରୁ ତାଙ୍କର ପ୍ରଚାରଧର୍ମୀ ଫଟୋଗୁଡ଼ିକୁ ହଟାଇନେବା ପାଇଁ ସେ ନିଜର ପ୍ରଶଂସକମାନଙ୍କୁ ୨୦୨୦ରେ ଅନୁରୋଧ କରିଥିଲେ। ଏପରି ଭାବେ ଜଣେ ଉଦୀୟମତି ତାରକାଙ୍କର ଅଭିନୟ ଜୀବନରେ ଡୋରି ବନ୍ଧାହୋଇଗଲା; ଜଣେ ସଫଳ ନାୟିକାଙ୍କ ଖ୍ୟାତିର ସମ୍ଭାବ୍ୟ ଉତ୍ତୁଙ୍ଗ ମିନାର ଆକସ୍ମିକ ଭୁଶୁଡ଼ିପଡ଼ିଲା। ତଥାପି ପ୍ରଶଂସକମାନେ ଗୋପନରେ ଥିବା ଏହି ତାରକାଙ୍କର ପୁନରାଗମନକୁ ଚାହିଁ ବସିଛନ୍ତି।

ସମ୍ବନ୍ଧିତ ଖବର